ବ୍ରଜପାତରେ ମୃତ ହକି ଖେଳାଳୀଙ୍କୁ ପ୍ରଶାସନିକ ସହାୟତା ଦାବି

ରାଉରକେଲା ୧୨/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଗତ ରବିବାର ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ ଶାଗବାହାଲ ପଂଚାୟତର ଶଙ୍କରାବାହାଲ ଗ୍ରାମର ତିନିଜଣ ହକି ଖେଳାଳୀ ଗ୍ରାମର ଏକ ପଡ଼ିଆରେ ହକି ଖେଳ ଅଭ୍ୟାସ କରୁଥିବା ବେଳେ ବ୍ରଜପାତ ହେବାରୁ ଶୋଚନୀୟ ମୃତ୍ୟୁବରଣ କରିଥିବା ବେଳେ, ଏଥିରେ ଦୁଇଜଣ ଆହତ ହୋଇ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ବ୍ରଜପାତରେ ମୃତକ ମାନେ ହେଳେ ସୁମନ୍ତ ଗୌଡ଼, ସୁଶାନ୍ତ ଗୌଡ଼, ରବି ନାରାୟଣ ତନ୍ତୀ। ଏମାନଙ୍କ ବୟସ ୨୨ରୁ ୩୦ ବର୍ଷ ମଧ୍ୟରେ। ବ୍ରଜାପତରେ ମହେଶ୍ୱର ତନ୍ତୀ ଓ ଜହରୁ ତନ୍ତୀ ଆହତ ହୋଇଛନ୍ତି। ସେମାନଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିିକିତ୍ସାଳୟରେ ଭର୍ତି କରାଯାଇଛି। ସେମାନଙ୍କ ଚିକିତ୍ସା ଚାଲିଛି। ଗତ ରବିବାର ଏକ ହକି ଟୁର୍ଣ୍ଣାମେଂଟ ଚାଲୁଥିବା ବେଳେ, ଅପରାହ୍ନ ପ୍ରାୟ ୫ଟାରେ କଳା ହାଣ୍ଡିଆ ମେଘ ଘୋଟି ଆସିବା ସହ ବର୍ଷା ହୋଇଥିଲା। ଫଳରେ ହକି ଖେଳୁଥିବା ଖେଳାଳୀ ଓ କିଛି ଦର୍ଶକ ପଡ଼ିଆ କଡ଼ରେ ଥିବାେ ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ। ଏହି ସମୟରେ ବ୍ରଜପାତ ହେବାରୁ ୩ ଜଣ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ, ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ପରେ ଶଙ୍କରାବାହାଲ ଗ୍ରାମରେ ଶୋକର ଛାୟା ଖେଳିଯିବା ସହ ଗ୍ରାମବାସୀଙ୍କ ଆଖିରୁ ଲୁହ ଶୁଖିନାହିଁ। ଗ୍ରାମରେ ଚୁଲି ମଧ୍ୟ ଜଳି ନାହିଁ। ମୃତ ହକି ଖେଳାଳୀ ମାନଙ୍କ ପରିବାରବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *