ବୌଦ୍ଧ ରଥ ଯାତ୍ରା ପ୍ରସ୍ତୁତି ବୈଠକ, ଠିକ୍ ସମୟରେ ଦେବନିତି ପାଳନକୁ ଗୁରୁତ୍ୱ

ବୌଦ୍ଧ, ୦୫ା୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଗଡଜାତର ପ୍ରସିଦ୍ଧ ରଥଯାତ୍ରା ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଜିଲାପାଳ ମଧୁସୁଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ତଥା ଦେବତ୍ତୋର ନିର୍ବାହୀ ଅଧିକାରୀ ଏନସି ଜ୍ୟୋତିରଂଜନ ନାଏକଙ୍କ ଦ୍ୱାରା ପ୍ରାରମ୍ଭିକ ସୂଚନା ପ୍ରଦାନ ପରେ ଆଲୋଚନାରେ ଠିକ୍ ସମୟରେ ଦେବନିତି ପାଳନକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଦେବସ୍ନାନ ପରେ ତିନିଠାକୁର ଅଣସର ସେବାରେ ରହିଥିବାବେଳେ ଆସନ୍ତା ୧୩ ତାରିଖ ଦିନ ସକାଳ ୬.୧୩ ରୁ ୭.୧୬ ମିନିଟ ମଧ୍ୟରେ ନବଯୌବନ ଦର୍ଶନ ଦେବେ। ସେହିଦିନ ନେତ୍ରତ୍ସୋବ ଓ ରଥରେ ଧ୍ୱଜା ବନ୍ଧନ ନିତି ମଧ୍ୟ ଠିକ୍ ସମୟରେ ପାଳନ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ରଥଯାତ୍ରା ଦିନ ସକାଳ ୯.୪୬ ମିନିଟରେ ଠାକୁରମାନଙ୍କ ପହଣ୍ଡି ନିତି ଆରମ୍ଭ କରାଯିବ। ଠାକୁରମାନେ ନୂତନ ପରମ୍ପରାରେ ଗୋଟି ପହଣ୍ଡିରେ ରଥ ପର୍ଯ୍ୟନ୍ତ ଯିବାକୁ ବ୍ରାହ୍ମଣ ସମାଜ, ମନ୍ଦିର ପରିଚାଳନା କମିଟି ଓ ରଥ ପରିଚାଳନା କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଥିବାରୁ ଠିକ୍ ସମୟରେ ତିନି ଠାକୁରଙ୍କୁ ରଥାରୁଢ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ମନ୍ଦିର ଠାରୁ ରଥ ପର୍ଯ୍ୟନ୍ତ ସର୍ବସାଧାରଣ ଭକ୍ତ ଯେଉଁଠି ଚାହିଁବେ ଗୋଟି ପହଣ୍ଡିରେ ଠାକୁରମାନଙ୍କୁ ବାଟଭୋଗ ଦେଇପାରିବେ ବୋଲି ଉପଜିଲାପାଳ ମନ୍ଦିରରେ ବିଭିନ୍ନ କମିଟି ପକ୍ଷରୁ ହୋଇଥିବା ନିଷ୍ପତିକୁ ଶୁଣାଇଥିଲେ ଏବଂ ତାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଛେରାପହଁରା ନିତି ପୂର୍ବରୁ ଦୂର ଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କୁ ରଥ ଉପରେ ତିନି ଠାକୁରଙ୍କ ଦର୍ଶନ ଓ ଛୋଟ ପିଲାଙ୍କୁ ରଥ ଛୁଆଇଁବା ପରମ୍ପରା ପାଇଁ ଯଥେଷ୍ଟ ସମୟ ଦେବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ବଡଦାଣ୍ଡରେ ଚାଲିଥିବା ସମସ୍ତ ନିର୍ମାଣ କାର୍ଯ୍ୟ ତୁରନ୍ତ ସମାପନ କରିବା, ରଥଯାତ୍ରା ସମୟରେ ବିଦ୍ୟୁତ ସରବରାହ ଠିକ୍ ରଖିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ପୋଲିସ ପକ୍ଷରୁ ଆଇନ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୃତୟନ କରାଯିବା, ମୀନାବଜାର ଓ ଜନଗହଳି ସ୍ଥାନରେ ପୋଲିସ ପ୍ରେଟ୍ରୋଲିଂକୁ କଡାକଡି କରାଯିବା, ସହରର ଟ୍ରାଫିକ ବ୍ୟବସ୍ଥା ଠିକ୍ କରିବା ଉପରେ ଜିଲା ପୋଲିସ ପକ୍ଷରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅନୁରୋଧ କରାଯାଇଥିଲା। ଏହା ବ୍ୟତୀତ ସହରର ପରିମଳ ବ୍ୟବସ୍ଥା, ମାଉସୀମା ମନ୍ଦିର ଠାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସମାରୋହ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ତିନି ଠାକୁରଙ୍କ ପହଣ୍ଡି ନିରୀକ୍ଷଣ ପାଇଁ ଅଖିଳଚାନ୍ଦ ମହାପାତ୍ର, ଷଷ୍ଠ କୁମାର ପୁରୋହିତ ଓ ଅଚ୍ୟୁତାନନ୍ଦ ମିଶ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ଆଇନଜିବୀ ତାରେଣୀ ମହାପାତ୍ରଙ୍କୁ ସମସ୍ତ ଠାକୁରଙ୍କ ପହଣ୍ଡି ସେବା ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଠାକୁରମାନଙ୍କ ପାଇଁ ଠିକ୍ ସମୟରେ ଟାହ୍ୟା ଓ ସଂକିର୍ତ୍ତନ ମଣ୍ଡଳୀ ପହଂଚିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହାବ୍ୟତୀତ ଜରୂରୀ ସ୍ୱାସ୍ଥ୍ୟସେବା ଓ ପାନୀୟଜଳ ଯୋଗାଇଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦେବତ୍ତୋର ମ୍ୟାନେଜର ଖଦାଳ ପାତ୍ର, ଅତିରିକ୍ତ ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ଗୌର ପ୍ରସାଦ ମିଶ୍ରଙ୍କ ସମେତ ବ୍ରାହ୍ମଣ ସମାଜ, ମନ୍ଦିର ପରିଚାଳନା କମିଟି, ରଥ ପରିଚାଳନା କମିଟି ଓ ସହରର ବୁଦ୍ଧିଜିବୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *