ବୌଦ୍ଧ ମହୋତ୍ସବ ପଲ୍ଲିଶ୍ରୀ ମେଳା, ଆଲୋଚନା ଓ ପାଠଚକ୍ରର ପ୍ରଥମ ଦିବସ

ବୌଦ୍ଧ, ୦୪ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ସ୍ଥାନୀୟ ଉଦ୍ୟାନ ବିଭାଗ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଏ ବର୍ଷର ଐତିହାସିକ ତଥ୍ୟ ସମ୍ବଳିତ ଆଲୋଚନା ପାଠଚକ୍ରର ଆୟୋଜନ କରାଯାଇଛି। ଏହି ପାଠଚକ୍ରକୁ ବୌଦ୍ଧ ବିଧାୟକ ତଥା ଓଡିଶା ବିଧାନସଭାର ବାଚସ୍ପତି ପ୍ରଦିପ କୁମାର ଅମାତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରର ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କଂଟାମାଳ ବିଧାୟକ ମହିଧର ରଣା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସା ଭୋଇ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଲ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଟ୍ଟନାୟକ, ଉପ-ଜିଲ୍ଲାପାଳ ଏନ.ସି. ଜ୍ୟେତିରଂଜନ ନାଏକ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଆଲୋଚକଭାବେ ଗବେଷକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଏବଂ ଅନ୍ୟତମ ଆଲୋଚକଭାବେ ପାଲଲହଡା ଉପଜିଲାପାଳ ତପନ କୁମାର ଶତପଥୀ ଆଲୋଚନାରେ ଭାଗ ନେଇଥିଲେ। ଜିଲ୍ଲାପାଳ ଶ୍ରୀମିଶ୍ର ପାଠଚକ୍ରର ଉଦ୍ଦେଶ୍ୟ ସର୍ମ୍ପକରେ ସୂଚନା ପ୍ରଦାନ କରବା ସହ ଦୀର୍ଘ ଚାରିବର୍ଷ ଧରି ମହୋତ୍ସବ ସମୟରେ ବୌଦ୍ଧର କଳା, ସଂସ୍କୃତି, ଐତିହ, ପରମ୍ପରାକୁ ଆଧାରକରି ବିଭିନ୍ନ ଗବେଷକ ଓ ଐତିହାସିକମାନଙ୍କ ଉପସ୍ଥିତିରେ ବିସ୍ତୃତ ଆଲୋଚନା କରାଯାଉଛି ବୋଲି ପ୍ରକାଶ କରିଥିଲେ। ଜିଲାର ବିଭିନ୍ନ ସ୍ତରରୁ ଶିିକ୍ଷା ଓ ଗବେଷଣା ପ୍ରତି ଆଗ୍ରହ ରଖିଥିବା ବିଦ୍ୟାର୍ଥୀ ଏବଂ ଗଣମାଧ୍ୟମଙ୍କ ସହ ବୁଦ୍ଧିଜୀବି ମାନଙ୍କୁ ଆମନ୍ତ୍ରଣ କରାଯାଇ ବୌଦ୍ଧ ରାଜ୍ୟର ଅନାଲୋଚିତ ଐତିହାସିକ ତଥ୍ୟ ଓ ସତ୍ୟ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇ ପ୍ରଶ୍ନୋତର ମାଧ୍ୟମରେ ସଂଶୟ ଦୂରିଭୁତ କରିବାର କ୍ଷେତ୍ର ଉନ୍ମୁକ୍ତ ରଖାଯାଇ ପାରୁଛି।

ଆଲୋଚନାଚକ୍ରର ଦ୍ୱିତିୟ ପର୍ଯ୍ୟାୟରେ ଆବାହକ ରଜନୀକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ସଂଯୋଜକ ଶଙ୍କର ପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବାସହ ପାଠଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଗବେଷକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ନିଜ ସାର ଗର୍ଭକ ଅଭିଭାଷଣରେ ବୌଦ୍ଧର ଗନ୍ଧରାଡି ମନ୍ଦିରର ପୂରାତନ ତଥ୍ୟ ସହିତ ଜଗନ୍ନାଥ ସଂସ୍କୃତିରେ ବୌଦ୍ଧ ହିଁ ଜଗନ୍ନାଥଙ୍କ ଆଦ୍ୟସ୍ଥଳୀ ବୋଲି ବିଭିନ୍ନ ତଥ୍ୟ ମାଧ୍ୟମରେ ପ୍ରମାଣିତ କରିଥିଲେ। ଅନ୍ୟତମ ଆଲୋଚକ ପାଲଲହଡା ଉପଜିଲ୍ଲାପାଳ ଗବେଷକ ତପନ କୁମାର ଶତପଥି ଅନେକ ତଥ୍ୟ ଉପସ୍ଥାପନା କରି ମନ୍ଦିର କଳା ଓ କୋଣାର୍କ ମନ୍ଦିର ତଥା ମାଦାଳାପାଞ୍ଜି ଓ ପୁରୀ ଶ୍ରୀମନ୍ଦିର ସମ୍ପର୍କରେ ଐତିହାସିକ ତଥ୍ୟ ଉପସ୍ଥାପନ କରିଥିଲେ। ତାଙ୍କରି ମତରେ ବୌଦ୍ଧସ୍ଥିତ ଗନ୍ଧରାଡି ଓ ଅନ୍ୟାନ୍ୟ ପାରିପାଶ୍ୱିର୍କ ଅବସ୍ଥିତିକୁ ନେଇ ଉଡ୍ର ରାଜ୍ୟ ଓ ପରବର୍ତ୍ତୀ ସମୟର ବୌଦ୍ଧ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଗବେଷକ ଇ. ସଞ୍ଜୟ ପଣ୍ଡା ଓ ସୁବାଶ ଚନ୍ଦ୍ର ବେଉରିଆ ବିଭିନ୍ନ ପ୍ରଶ୍ନ ଉପସ୍ଥାପନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଯୋଗିନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ,  ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନର୍ସିଂ ସ୍କୁଲର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାର ବିଭିନ୍ନ କୃଷକ ସଂଗଠନର ସଦସ୍ୟ ଗଣ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମରସେନ ସିଂ, ବସନ୍ତ ଦିଶିରି, ଚିତ୍ରସେନ ସାହୁ ଓ ବିସ୍ମୟ ମୋହନ ସାହୁ ପ୍ରମୁଖ ସହେଯାଗ କରିଥିଲେ

Leave a Reply

Your email address will not be published. Required fields are marked *