ବୌଦ୍ଧ ମହୋତ୍ସବର ତୃତୀୟ ସନ୍ଧ୍ୟା ସମ୍ବଲପୁରୀ ନୃତ୍ୟରେ ଦୁଲୁକିଲା ମଞ୍ଚ

ବୌଦ୍ଧ, ୦୫.୦୧ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ମହୋତ୍ସବ ଓ ପଲ୍ଳିଶ୍ରୀ ମେଳାର ତୃତୀୟ ଦିବସରେ ମୁ୍ଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଯୋଗଦେଇଥିଲେ। ଜିଲା ମହୋତ୍ସବ କମିଟିର ଅଧକ୍ଷ ତଥା ଜିଲାପାଳ ମଧୁସୁଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଠ ତବଲା ବାଦକ ଘାସିରାମ ମିଶ୍ର, ଚଳଚିତ୍ର ତାରକା ଲୋଚନି ବାଗ, ଜିଲା ପରିଷଦ ଅଧକ୍ଷ୍ୟା ଜ୍ୟୋସ୍ନା ଭୋଇ,  ଜିଲା ପରିଷଦ ଉପାଧକ୍ଷ ଅକ୍ରୁର ସେଠୀ, ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷ୍ୟା ଦିପ୍ତିପ୍ରଭା ସ୍ୱାଇଁ, ବୌଦ୍ଧ ବ୍ଳକ ଅଧକ୍ଷ୍ୟା ରେବତୀ ମହାଲିକ, ହରଭଙ୍ଗା ବ୍ଳକ ଅଧକ୍ଷ୍ୟ ବିଶ୍ୱଜିତ ମିଶ୍ର, କଣ୍ଟାମାଳ ବ୍ଳକ ଅଧକ୍ଷ୍ୟା ଯଜେ୍ଞଶ୍ୱରୀ ପ୍ରଧାନ ଓ ଉପଜିଲାପାଳ ଏନସିଜ୍ୟୋତିରଂଜନ ନାଏକ ଯୋଗ ଦେଇଥିଲେ। ବୁଦ୍ଧଙ୍କ ମାଟି ଯୋଗୁଁ ବୌଦ୍ଧ ଜିଲା ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଅତିଥି ମାନେ ମତ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ବୌଦ୍ଧ ଜିଲା ପ୍ରକୃତିର ଗନ୍ତାଘର ଓ କଳା, ସଂସ୍କୃତିରେ ପରିପୁର୍ଣ୍ଣ ବୋଲି ଅତିଥି ମାନେ ପରିପ୍ରକାଶ କରିଥିଲେ। ଏହିପରି ଜିଲା ସ୍ତରରେ ମହୋତ୍ସବ ପାଳନ ଯୋଗୁଁ କଳା ଓ ସଂସ୍କୃତି ଉଜିବିତ ହୋଇପାରୁଛି। ତୃତୀୟ ଦିବସର ସାଂସ୍କୃତିକ ସନ୍ଧ୍ୟାରେ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ନଟରାଜ କଳା ପରିଷଦ କନ୍ଧମାଳ ପକ୍ଷରୁ ଓଡିଶୀ ଗଙ୍ଗା ତରଙ୍ଗ,  ଝାଡା୍ରଜିଙ୍ଗ ଆଶ୍ରମ ସ୍କୁଲ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ପାଟଣାଗଡର ପଞ୍ଚଶିଳ ସାଂସ୍କୃତିକ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଦୁଲହା ବିହା ଓ ଚୁଟକୁଚୁଟା, ମାଲକାନଗିରି ଡି.ସି.ସି ପକ୍ଷରୁ ଆଦିବାସୀ ଲୋକନୃତ୍ୟ, କଲିକତା ଅଜୟମଦୁମଦାର ପ୍ରୁଡେଣ୍ଟ ଡ୍ୟାନ୍ସ, କଲିକତା ଅନୁରାଧା ରାୟ ପକ୍ଷରୁ ବୁଦ୍ଧ ଜୟ ଭୀମ ଡ୍ୟାନ୍ସ ଓ ଦିଲ ଡ୍ୟାନ୍ସ ଭୁବନେଶ୍ୱର ପକ୍ଷରୁ ଦେବଦାସୀ ନୃତ୍ୟ(ମାହାରୀ) ପରିବେଷଣ ହୋଇଥିଲା। ବିଶେଷ ଭାବରେ ପଶ୍ଚିମ ଓଡିଶାର ସମ୍ବଲପୁରୀ ନୃତ୍ୟ ଓ ଢୋଲ, ନିଶାନ ଆଉ ଦୁଲଦୁଲି ବାଦ୍ୟ ଶିତୁଆ ରାତିରେ ଦର୍ଶକମାନଙ୍କୁ ମତୱାଲା କରିଦେଇଥିଲା। ବୌଦ୍ଧ ବିଡିଓ ନିହାର ରଂଜନ କହଁର ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *