ଜିଲ୍ଲା ପରିକ୍ରମା

ବୌଦ୍ଧ ପୁରୁଣାବ୍ଲକ ଛକରେ ଶୌଚାଳୟ ନିର୍ମାଣ ଦାବି

ବୌଦ୍ଧ ୧୦ା୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା), : ସ୍ୱଛଭାରତ ମିଶନ କାର୍ଯ୍ୟକ୍ରମ ନାମରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରୁଥିବାବେଳେ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ପରିମଳ ବ୍ୟବସ୍ଥାକୁ କଡା କଡି ଭାବରେ କାର୍ଯ୍ୟକାରୀ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଯୋଜନା ଅଧିନରେ ସଂପ୍ରତି ପାଇଖାନା ନିର୍ମାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଓ ଜିଲାକୁ ବାହ୍ୟ ମଳମୁକ୍ତ ଘୋଷଣା କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ସମୀକ୍ଷା କରାଯାଉଛି। କିନ୍ତୁ ସହରାଂଚଳରେ ଏହି ଯୋଜନା ଯେତେ ଆଗେଇବା କଥା ତାହାଠାରୁ ବହୁ ପଛରେ ପଡିଥବା ଜଣାଯାଇଛି। ବୌଦ୍ଧ ସହର କଡେ କଡେ ମହାନଦୀ ପ୍ରବାହିତ ହେଉଥିବାବେଳେ ବହୁ ସଂଖ୍ୟାରେ ଲୋକ ଶୌଚ ହେବାକୁ ଯାଇ ଖୋଲାରେ ମଳତ୍ୟାଗ କରୁଛନ୍ତି। ଏହାକୁ ନେଇ ସମୀକ୍ଷା ବୈଠକରେ ବାରମ୍ବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ମହାନଦୀ କୂଳେ କୂଳେ ଗୋଷ୍ଠୀ ପାଇଖାନା ନିର୍ମାଣ ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଦିଗରେ ସାମାନ୍ୟ ଅଗ୍ରଗତି ହୋଇପାରିନାହିଁ। ବୌଦ୍ଧ ଏନଏସିର ୨ ନମ୍ବର ୱାର୍ଡ ଅନ୍ତର୍ଗତ ପୁରୁଣାବ୍ଲକ ଛକ ଅଂଚଳରେ ସେହିଭଳି ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ ପାଇଁ ସ୍ଥାନୀୟ ବାସୀନ୍ଦାମାନେ ଦାବି କରିଛନ୍ତି। ସୂଚନା ମୁତାବକ ପୁରୁଣାବ୍ଲକ କାର୍ଯ୍ୟାଳୟ କୋଠାରେ ନୂତନ ଭାବରେ ଫିଜିଓଥେରାପି କେନ୍ଦ୍ର ଆରମ୍ଭ କରାଯାଇଛି। ତେଣୁ ପ୍ରତିଦିନ ବହୁ ସଂଖ୍ୟାରେ ରୋଗୀ ଏହି କେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଛନ୍ତି। ଏହାବ୍ୟତୀତ ପୁରୁଣା ବ୍ଲକଛକ ନିକଟରେ ଅବସ୍ଥିତ ରଘୁନାଥଜୀଉଙ୍କ ମନ୍ଦିର ସମ୍ମୁଖରେ ବୌଦ୍ଧର ଗଣପର୍ବ ରାମଲୀଳା ଯାତ୍ରା କେଉଁ ଆବାହମାନ କାଳରୁ ଅନୁଷ୍ଠିତ ହେଉଅଛି। ପବିତ୍ର ରାମନବମୀ ଠାରୁ ଲଗାତାର ୧୮ ଦିନ ଧରି ଏହି ଉତ୍ସବ ପାଳନ କରାଯାଉଥିବାବେଳେ ଲକ୍ଷାଧିକ ଭକ୍ତ ଉତ୍ସବରେ ସାମିଲ ହୋଇଥାନ୍ତି। ସେହିପରି ଏହି ଅଂଚଳରେ ରାଜାଙ୍କ ଅମଳରୁ ସବଜେଲ କାର୍ଯ୍ୟ କରୁଥିବାବେଳେ ବହୁ ସଂଖ୍ୟାରେ ଲୋକ ପ୍ରତିଦିନ ନିଜର ଆତ୍ମିୟ ସ୍ୱଜନଙ୍କୁ ଭେଟିବାକୁ ଆସି ଘଂଟା ଘଂଟା ଅପେକ୍ଷା କରିଥାନ୍ତି। ଏଠାରେ କୌଣସି ଶୌଚାଳୟ ନଥିବାରୁ ଲୋକମାନେ ମନ୍ଦିର କାନ୍ଥ, ଜେଲ କାନ୍ଥ କିମ୍ବା ଫିଜିଓଥେରାପି ଚିକିତ୍ସାଳୟ କାନ୍ଥ ପାଶ୍ୱର୍ରେ ଝାଡା ପରିଶ୍ରା କରି ମନ୍ଦିର ବେଢାରେ ଥିବା ନଳକୂପରେ ଶୌଚ ହେବା ଘଟଣା ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଉଅଛି। ତେଣୁ ଏଠାରେ ଏକ ଗୋଷ୍ଠୀ ଶୌଚାଳୟ ତୁରନ୍ତ ନିର୍ମାଣ ପାଇଁ ରୀମଲୀଳା ନାଟ୍ୟ ସଂସଦର ପୂର୍ବତନ ସଭାପତି ପ୍ରଦୋଷ କୁମାର ମିଶ୍ର ଲିଖିତ ଭାବରେ ଏନଏସି କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି। ସୂଚନା ଥାଉକି ବୌଦ୍ଧ ବସଷ୍ଟାଣ୍ଡ ନିକଟରେ ସୁଲଭ ଇଂଟରନେସନାଲ ପକ୍ଷରୁ ଏକମାତ୍ର ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିବାବେଳେ ଏହାରି ଉପରେ ସାଧାରଣ ଯାତ୍ରୀ, ମୁଖ୍ୟଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ସଂପର୍କିୟଙ୍କ ସମେତ ସହରର ଅନେକ ଲୋକ ନିର୍ଭର କରୁଛନ୍ତି। ସହର ମଧ୍ୟରେ ଆହୁରି ଶୌଚାଳୟ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଅଛି। ତେଣୁ ପୁରୁଣାବ୍ଳକ ଛକ ସମେତ ସହରର ବିଭିନ୍ନ ସ୍ଥାନରେ ଅଧିକ ସଂଖ୍ୟାରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଗଲେ ପରିମଳ ବ୍ୟବସ୍ଥାରେ ସୁଧାର ଆସିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top