ବୌଦ୍ଧ ତୃତୀୟ ଶିକ୍ଷାମେଳା ଫେବୃୟାରୀ ୧୨ ରୁ ଆରମ୍ଭ

ବୌଦ୍ଧ, ୨୯ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ତୃତୀୟ ବୌଦ୍ଧ ଶିକ୍ଷାମେଳା ଫେବୃୟାରୀ ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଅଛି। ପ୍ରତିବର୍ଷ ବୌଦ୍ଧଜିଲା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜନ କରାଯାଉଥିବା ଏହି ଶିକ୍ଷାମେଳା ଧିରେ ଧିରେ ଅଭିଭାବକମାନଙ୍କ ଦ୍ୱାରା ଆଦୃତ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହେଉଛନ୍ତି। ଚଳିତବର୍ଷ ମଧ୍ୟ ସ୍ଥାନୀୟ ଟାଉନହଲ ପରିସରରେ ଏହି ଶିକ୍ଷାମେଳା ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲା ଓ ରାଜ୍ୟର ଲବ୍ଧ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମାନେ ଏହି ମେଳାରେ ଯୋଗଦେଇ ନିଜର ଅନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିବା ପାଇଁ ରହିଥିବା ସୁବିଧା ସୁଯୋଗ ସଂପର୍କରେ ଅବଗତ କରାଇବାର ସୁଯୋଗ ପାଇଥାନ୍ତି। ବର୍ତମାନ ସମୟରେ ନିଜର ପୁଅ ଝିଅଙ୍କ ଉଚ୍ଚଶିକ୍ଷା ପାଇଁ ଭଲ ଶିକ୍ଷାନୁଷ୍ଠାନଟିଏ ବାଛିବା ଅନେକ ଅଭିଭାବକମାନଙ୍କ ପାଇଁ କଷ୍ଟକର ହୋଇପଡିଥିବାବେଳେ ଜିଲା ସାମ୍ବାଦିକ ସଂଘ ନିଜ ସହରରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଇଁ ଶିକ୍ଷାମେଳା ଜରିଆରେ ସେହି ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ କରିଛି। ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଫେବୃୟାରୀ ୧୨ ଓ ୧୩ ମାତ୍ର ଦୁଇଦିନ ହେବାକୁଥିବା ଏହି ଶିକ୍ଷାମେଳା ପରିଦର୍ଶନ କରି ବିଭିନ୍ନ ଶିକ୍ଷାନୁଷ୍ଠାନ ସଂପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଏହାବ୍ୟତୀତ ଶିକ୍ଷାମେଳା ଅବସରରେ ଛାତ୍ରଛାତ୍ରୀମାନେ କେଉଁ ବିଷୟରେ ଅଧ୍ୟୟନ କଲେ ଭବିଷ୍ୟତରେ ନିଯୁକ୍ତି କ୍ଷେତ୍ରରେ କେଉଁ କେଉଁ ସୁବିଧା ସୁଯୋଗ ରହିଛି ଏବଂ ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ଅନୁଯାୟୀ କିପରି ଶିକ୍ଷା ଗ୍ରହଣ କରିବା ଉଚିତ୍ ସେ ସଂପର୍କରେ ଅଭିଜ୍ଞ କାଉନସିଲରମାନଙ୍କ ଦ୍ୱାରା ପରାମର୍ଶ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି। କେବଳ ଉଚ୍ଚଶିକ୍ଷା ନୁହେଁ ବଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନ ଓ ପ୍ରାଥମିକ ସ୍ତରରୁ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରିଥିବା ଶିକ୍ଷାନୁଷ୍ଠାନ ଗୁଡିକ ଏହି ଶିକ୍ଷାମେଳାରେ ସାମିଲ ହେବାକୁ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଯେଉଁ ଶିକ୍ଷାନୁଷ୍ଠାନମାନେ ଶିକ୍ଷାମେଳାରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ଅଟନ୍ତି ସଭାପତି ଜିଲା ସାମ୍ବାଦିକ ସଂଘ, ବୌଦ୍ଧ, ମୋବାଇଲ ନମ୍ବର ୯୯୩୭୦୬୦୧୯୬,  ଆବାହକ ୯୧୭୮୪୪୭୦୪, ଇମେଲ boudh.dja@gmail.com ଠିକଣାରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *