ବୌଦ୍ଧ ଜିଲାସ୍ତରୀୟ ଜନଜାତି କ୍ରୀଡା ଉଦ୍ୟାପିତ

ବୌଦ୍ଧ, ୨୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ବୌଦ୍ଧଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ଜନଜାତି କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଜିଲା କ୍ରୀଡା ଅଧିକାରୀ ପବିତ୍ର କୁମାର ରାଉତଙ୍କ ତତ୍ୱାବଧାନରେ ସ୍ଥାନୀୟ କଚେରୀ ପଡିଆଠାରେ ଅନୁଷ୍ଠିତ ଏହି କ୍ରୀଡାତ୍ସୋବରେ ମୁଖ୍ୟଅତିଥି ଭାବରେ ଜିଲାପାଳ ମଧୁସୂଦନ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ପାଇଁ ପାଠପଢା ସହିତ ଖେଳର ଆବଶ୍ୟକତା ନିତାନ୍ତ ଜରୁରୀ ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଳାପାଳ ତରଣୀସେନ ନାଏକ, ଜିଲା ମଙ୍ଗଳ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ବରିଷ୍ଠ କ୍ରୀଡାବିତ୍ ଶିବ ନାରାୟଣ ଦାସ ଓ ଜିଲା ଏଥଲେଟିକ ଆସୋସିଏସନର ସଂପାଦକ ରବିନ୍ଦ୍ର କୁମାର ରାଉତ ଯୋଗଦେଇ କ୍ରୀଡାବିତ୍ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଖେଳାଳୀମାନଙ୍କ ଦ୍ୱାରା କ୍ରୀଡା ମଶାଲ ସ୍ଥାପନ ଓ କ୍ରୀଡା ପତାକା ଜିଳାପାଳ ଶ୍ରୀମିଶ୍ର ଉତ୍ତୋଳନ କରି ଅନୁଷ୍ଠିତ ପ୍ୟାରେଡରେ ଅଭିବାଦନ ଗ୍ରହଣ ପୁର୍ବକ ଏହାକୁ ଉଦଘାଟନ କରିଥିଲେ। ଜିଲାର ତିନୋଟି ବ୍ଲକର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରୁ ୨୫୨ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନିତ କରାଯାଇଥିଲା। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ ଜିଲାପାଳ ଶ୍ରୀମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। କ୍ରୀଡା ଶିକ୍ଷକ ରଂଜିତ କୁମାର ରାଉତ, ସୁରେନ୍ଦ୍ର କୁମାର ସାହୁ, ଅମ୍ବରୀଶ ପ୍ରଧାନ ଓ ମନୋଜ ଭଂଜଙ୍କ ସମେତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡା ଶିକ୍ଷକମାନେ ପ୍ରତିଯୋଗିତା ଗୁଡିକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *