ବୌଦ୍ଧ ଜିଲାର ଉଚ୍ଚଶିକ୍ଷା ସମ୍ବଲପୁରରୁ ବ୍ରହ୍ମପୁର ଅଧିନକୁ ଯିବା ନେଇ ଏବିଭିପିର ବିକ୍ଷୋଭ, ଉଚ୍ଚଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ବୌଦ୍ଧ, ୧୧ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲାରେ ଆଜି ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ଉନ୍ନତ୍ତ ମାନର ହୋଇନଥିବା ବେଳେ ଜିଲାର ଉଚ୍ଚ ଶିକ୍ଷା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ସମ୍ବଲପୁର ଅଧିନରେ କାର୍ଯ୍ୟ କରିଆସୁଥିବା ବେଳେ ଜିଲାର ଯୁକ୍ତ ୩ ବିଭାଗର ସମସ୍ତ ପାଠ୍ୟ ଓ ପରିକ୍ଷା ଗୁଡିକ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ପରିଚାଳିତ ହେଉଅଛି। ଜିଲାରେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ସରକାରୀ ମହାବିଦ୍ୟାଳୟ ସ୍ଥାପନ ହୋଇପାରିନାହିଁ। ଜିଲାଟି ପଶ୍ଚିମ ଓଡିଶା ସହ ଅଙ୍ଗାଅଙ୍ଗି ଭାବେ ଜଡିତ ଥିବା ସହ ଲୋକ ମାନେ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହ ସମସ୍ତ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ୩ ଗୋଟି ଆଞ୍ଚଳିକ ନିର୍ଦ୍ଦେଶାଳୟ ବ୍ରହ୍ମପୁର, ସମ୍ବଲପୁର ଓ ଭୁବନେଶ୍ୱରରେ ଥିବା ବେଳେ ବର୍ତ୍ତମାନ ସରକାରଙ୍କ ଆଉ ୨ ଗୋଟି ନୁତନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବାଲେଶ୍ୱର ଓ ଜୟପୁର ଠାରେ ଗତ ୨୯ ଡିସେମ୍ବର ୨୦୧୭ ଠାରୁ ଖୋଲିବା ପରେ ରାଜ୍ୟରେ ୫ ଗୋଟି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ କାର୍ଯ୍ୟକାରୀ ହୋଇଅଛି। ଏହି ନୁତନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଖୋଲିବା ପରେ ନୁତନ ନିୟମ ଅନୁଯାୟୀ ଯେଉଁ ଜିଲା ଯେଉଁ ରାଜସ୍ୱ କମିଶନର ଅଧିନରେ ଅଛି,  ସେସବୁ ଜିଲା ନିଜ ରାଜସ୍ୱ କମିଶନରେ ଥିବା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନରେ ସମସ୍ତ କାର୍ଯ୍ୟ ଚାଲୁ ରହିବ ବୋଲି ନିୟମ କରିବା ସହ ଏହି ନିୟମ ଗତ ୨୯ ଡିସେମ୍ବର ୨୦୧୭ ରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଅଛନ୍ତିି। ଏପଟେ ବୌଦ୍ଧ ଜିଲାର ଯୁକ୍ତ ୩ ଶିକ୍ଷା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ବେଳେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବ୍ରହ୍ମପୁର ଠାରେ କାର୍ଯ୍ୟ କରାଗଲେ ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନେ ବହୁ ଅସୁବିଧାରେ ପଡିବା ସଙ୍ଗେ ସଙ୍ଗେ ହଇରାଣ ମଧ୍ୟ ହେବେ। ଏହାକୁ ବିରେୀଧ କରି ବୁଧବାର ଦିନ ଅଖିଳ ଭାତୀୟ ବିଦ୍ୟାର୍ଥୀ ପରିଷଦ ବୌଦ୍ଧ ଶାଖା ପକ୍ଷରୁ ପ୍ରତିବାଦ କରିବା ସହ ତୁରନ୍ତ ସରକାର ଏହି ନିଷ୍ପତ୍ତି ବଦଳାଇବାକୁ ଦାବି କରିଛନ୍ତି। ବୌଦ୍ଧ ଜିଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବୌଦ୍ଧ ଶାଖାର ସଭାପତି ବାଲ୍ମିକ ମହାକୁଡଙ୍କ ନେତୃତ୍ୱରେ ଛାତ୍ର ମାନେ ଏକ ରାଲି କରି ସହରର ଏନଏସି ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଆଗାମୀ ଦିନରେ ସରକାର ଏହା ଉପରେ କିଛି ପଦକ୍ଷେପ ନ ନେଲେ ପରିଷଦ ପକ୍ଷରୁ ଆନ୍ଦୋଳନ ଜୋର ଦାର କରାଯିବାକୁ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *