ଜିଲ୍ଲା ପରିକ୍ରମା

ବୌଦ୍ଧରେ ସ୍ୱଛତା ହିଁ ସେବା ଅଭିଯାନର ଶୁଭାରମ୍ଭ,  ସ୍ୱଛ ଓ ସୁନ୍ଦର ବୌଦ୍ଧ ଗଠନ ପାଇଁ ଜିଲାପାଳଙ୍କ ଆହ୍ୱାନ

ବୌଦ୍ଧ, ୧୯ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱଛଭାରତ କାର୍ଯ୍ୟକ୍ରମ ୪ ବର୍ଷ ପୁର୍ତ୍ତି ହେବାକୁ ଯାଉଥିବାବେଳେ ଜିଲାସ୍ତରରେ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସ୍ୱଛତା ହିଁ ସେବା ଅଭିଯାନ ଆରମ୍ଭ ହୋଇଛି। ବୌଦ୍ଧ ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷଠାରେ ଜିଲାପାଳ ସିତାଂଶୁ କୁମାର ରାଉତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ସ୍ୱଛ ଓ ସୁନ୍ଦର ବୌଦ୍ଧ ଗଠନ ପାଇଁ ଜିଲାବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସରକାର ଯୋଜନା କାର୍ଯ୍ୟକାରୀ କଲେ ମଧ୍ୟ ସ୍ୱଛତା ପାଇଁ ମାନସିକତାର ଆବଶ୍ୟକତା ରହିଛି ବୋଲି ଏହି ଅବସରରେ ଅତିଥିମାନେ ମତବ୍ୟକ୍ତ କରିବା ସହିତ ଡିସେମ୍ବର ସୁଦ୍ଧା ଜିଲାକୁ ବାହ୍ୟ ମଳମୁକ୍ତ ଘୋଷଣା କରିବା ପାଇଁ ଯୁଦ୍ଧକାଳୀନ ଭିତିରେ ସ୍ୱଛଭାରତ କାର୍ଯ୍ୟକ୍ରମ ପାଇଁ ଯୋଜନାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ଜିଲାର ୧୧୦୭ ଗ୍ରାମରେ ୯୬୭୧୨ ପରିବାର ରହୁଥିବାବେଳେ ସେମାନଙ୍କ ମଧ୍ୟରୁ ୪୭୫୮ ପରିବାରଙ୍କ ନିଜସ୍ୱ ପାଇଖାନା ରହିଛି। ପାଇଖାନା ନଥିବା ୯୧୯୫୪ ଟି ପରିବାରଙ୍କ ମଧ୍ୟରୁ ସ୍ୱଛଭାରତ କାର୍ଯ୍ୟକ୍ରମ ଜରିଆରେ ମାର୍ଚ୍ଚ ୨୦୧୭ ସୁଦ୍ଧା ୪୬୬୫୪ ପରିବାର ପାଇଁ ପାଇଖାନା ନିର୍ମାଣ କରାଯାଇପାରିଛି। ଲକ୍ଷ ହାସଲରେ ରାଜ୍ୟରେ ବୌଦ୍ଧଜିଲାର ସ୍ଥାନ ୧୭ ନମ୍ବରରେ ଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟକୁ ବାଦଦେଲେ ଅନ୍ୟ ସମସ୍ତ କାର୍ଯ୍ୟକ୍ରମରେ ୭ମ ସ୍ଥାନରେ ଥିବା ସୂଚନା ଦିଆଯାଇଛି। ତେବେ ଡିସେମ୍ବର ପର୍ଯ୍ୟନ୍ତ ଦୈନିକ୧୦୦ ଗୋଟି ପାଇଖାନା ନିର୍ମାଣ ହୋଇପାରିଲେ ୭୦ ପ୍ରତିଶତ ଲକ୍ଷ ହାସଲ କରାଯାଇପାରିବ। ତେବେ ଏଥିପାଇଁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଜିଲାପାଳ ଶ୍ରୀରାଉତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜିଲାରେ ଅର୍ଦ୍ଧାଧିକ ପରିବାର ପାଇଁ ସ୍ୱଛଭାରତ ଯୋଜନା ମାଧ୍ୟମରେ ପାଇଖାନା ନିର୍ମାଣ ସରିଥିଲେ ମଧ୍ୟ ଏକ ସର୍ଭେ ଅନୁଯାୟୀ ମାତ୍ର ୪୦ ପ୍ରତିଶତ ଲୋକ ପାଇଖାନା ବ୍ୟବହାର କରୁଥିବା ଓ ଅନ୍ୟମାନେ ପୂର୍ବପରି ବାହାରେ ମଳତ୍ୟାଗ କରୁଥିବା ବୈଠକରେ ଖୋଦ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ ସୂଚନା ଦେବାପରେ ବାହ୍ୟ ମଳମୁକ୍ତ ଜିଲା ଘୋଷଣା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୈଠକରେ ଗ୍ରାମ୍ୟ ପାନୀୟଜଳ ଓ ପରିମଳ ମିଶନ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଜିଲାରେ ୧୧ ଟି ପଂଚାୟତକୁ ବାହ୍ୟ ମଳମୁକ୍ତ ଘୋଷଣା କରାସରିଛି। ଖୁବଶିଘ୍ର ଜିଲାର ହରଭଙ୍ଗା ବ୍ଲକକୁ ସଂପୁର୍ଣ୍ଣ ବାହ୍ୟମଳମୁକ୍ତ ଘୋଷଣା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ଯଦି ପ୍ରତି ଶହେ ଜଣରେ ୬୦ ଜଣ ପାଇଖାନା ନିର୍ମାଣ ସତ୍ୱେ ବ୍ୟବହାର କରୁନାହାନ୍ତି ସେମାନଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବାକୁ ବୈଠକରେ ମତପ୍ରକାଶ ପାଇଥିଲା। ପାଇଖାନା ନିର୍ମାଣ ସତ୍ୱେ ଏହାକୁ ବ୍ୟବହାର କରିବା ପାଇଁ ପର୍ଯ୍ୟାପ୍ତ ଜଳର ଆବଶ୍ୟକତା ହେଉଥିବାରୁ ବାହ୍ୟ ମଳମୁକ୍ତ ଘୋଷଣା ପୂର୍ବରୁ ଗ୍ରାମ ଗୁଡିକରେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ କରାଯିବାକୁ ପ୍ରାଥମିକତା ଦିଆଯାଉଥିବା ବିଭାଗୀୟ ଅଧିକାରୀ ସୂଚନା ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ପଂଚାୟତିରାଜ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବରେ ସ୍ୱଛ ଓଡ଼ିଶା ସୁସ୍ଥ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଜିଲାରେ ସ୍ୱଛତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବାକୁ ଜିଲାପାଳ ଶ୍ରୀରାଉତ ବୈଠକରେ ପରାମର୍ଶ ଦେଇଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟତମ ଅତିଥି ଭାବରେ ଏନଏସି ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ, ବୌଦ୍ଧବ୍ଲକର ଉପାଧ୍ୟକ୍ଷ ଶ୍ରୀନିବାସ ପୁରୋହିତ ଓ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ମିଶନର ନିର୍ବାହି ଯନ୍ତ୍ରୀ ଭଂଜ କିଶୋର ମନୋହରୀ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ୟୁନିସେଫ ପ୍ରତିନିଧି ବିଜୟ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top