ବୌଦ୍ଧରେ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ପ୍ରକିୟାରେ ଶତପ୍ରତିଶତ ମହିଳାଙ୍କୁ ଭୋଟର ତାଲିକାରେ ସାମିଲ କରାଯିବାକୁ ଲକ୍ଷଧାର୍ଯ୍ୟ

ବୌଦ୍ଧ,୧୮ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଦେ୍ର୍ଦଶକ୍ରମେ ବୌଦ୍ଧଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା ଅବଧି ବୃଦ୍ଧି କରାଯାଇଛି । ଚଳିତ ନଭେମ୍ବର ୧୫ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ସଂଶୋଧନ ପ୍ରକ୍ରିୟା ଚାଲୁ ରହିବ ବୋଲି ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିନଳୀରେ ସୂଚନା ଦିଆଯାଇଛି । ଏହି ଅବସରରେ ବୌଦ୍ଧଜିଲାର ବୌଦ୍ଧ ଓ କଂଟାମାଳ ନିର୍ବାଚନ ମଣ୍ଡଳୀର ସମୁଦାୟ ୩୯୧ ଟି ଭୋଟ ଗ୍ରହଣ କେନ୍ଦ୍ରରେ ବୁଥସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଘରକୁ ଘର ସର୍ବେକ୍ଷଣ କରାଯିବ । ଜିଲାରେ ଯେପରି ଜଣେ ହେଲେ ଭୋଟର ମତଦାନ ଅଧିକାରରୁ ବଂଚିତ ହେବେନାହିଁ ସେଥିପାଇଁ ଶତପ୍ରତିଶ ଭୋଟର ତାଲିକା ପ୍ରସ୍ତୁତ ପାଇଁ ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ବୈଠକରେ ଦିଆଯାଇଥିବା ସୂଚନା ଅନୁଯାୟୀ ଜିଲାରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ କମ୍ ରହିଥିବାବେଳେ ମହିଳାମାନେ ମତଦାନ ପାଇଁ ଆଗ୍ରହ ପ୍ରକାଶ କରୁନଥିବା ପରିଲକ୍ଷିତ ହୋଇଛି । ତେଣୁ ଏହି ସର୍ବେକ୍ଷଣ ସମୟରେ ମହିଳା ଭୋଟରମାନଙ୍କୁ ଅଗ୍ରାଧିକାର ଭିତିରେ ଭୋଟର ତାଲିକାରେ ସଂଯୁକ୍ତ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇ ବୁଥସ୍ତରୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଏହି ସର୍ବେକ୍ଷଣ ସମୟରେ ଭୋଟର ତାଲିକାରେ ନାମ ଯୋଗ କରିବା ସହିତ ନାମ ବାଦ୍ ଦେବା ଓ ସଂଶୋଧନ କରିବା ପାଇଁ ନିର୍ଦ୍ଧାରିତ ଫର୍ମରେ ଭୋଟରଙ୍କ ନାମ,ମୋବାଇଲ ନମ୍ବର,ଇମେଲ ଆଇଡି ଓ ଫଟୋ ସହିତ ସଂପୁର୍ଣ୍ଣ ତଥ୍ୟ ସଂଗ୍ରହ କରି ପୂରଣ କରିବେ । ଏଥିପାଇଁ ନଭେମ୍ବର ୧୯,୨୩,୨୬,୨୮ କୁ ସ୍ୱତନ୍ତ୍ର ତାରିଖ ଭାବରେ ଗ୍ରହଣ କରାଯାଇ ବୁଥସ୍ତରୀୟ ଅଧିକାରୀମାନେ ମତଦାନ କେନ୍ଦ୍ରରେ ନିଶ୍ଚିତ ଭାବରେ ଉପସ୍ଥିତ ରହି ଉପରୋକ୍ତ ଫର୍ମ ଯାଂଚ ଓ ସଂଗ୍ରହ କରିବାକୁ ସ୍ଥିର କରାଯାଇଛି । ବୁଥ ଅଧିକାରୀମାନେ ସଂଗ୍ରହ କରିଥିବା ଫର୍ମ ଗୁଡିକୁ ନିକଟସ୍ଥ ଯାଂଚ ଅଧିକାରୀଙ୍କ ଜରିଆରେ ବ୍ଲକସ୍ତରୀୟ ନିର୍ବାଚନ ପଂଜିକରଣ ଅଧିକାରୀଙ୍କ ପାଖରେ ଦାଖଲ କରିବେ । ଏନଏସିର ନିର୍ବାହୀ ଅଧିକାରୀଙ୍କୁ ସହରାଞ୍ଚଳର ନୋଡାଲ ଅଫିସର ବା ନିର୍ବାଚନ ପଂଜିକରଣ ଅଧିକାରୀ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ବ୍ଲକସ୍ତରରେ ବିଡିଓ ଓ ତସହସିଲଦାରମାନେ ଏହି ଦାୟିତ୍ୱ ତୁଲାଇବେ । ସମସ୍ତ ପ୍ରକ୍ରିୟା ଶେଷ ପରେ ଚୁଡାନ୍ତ ଭୋଟର ତାଲିକା ୨୦୧୮ ଜାନୁୟାରୀ ୧୫ ତାରିଖ ଦିନ ଜିଲାର ସମସ୍ତ ମତଦାନ କେନ୍ଦ୍ର ଗୁଡିକରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯିବ । ଏହି ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ପାଇଁ କଂଟାମାଳ ନିର୍ବାଚନ ମଣ୍ଡଳୀର ୨୦୫ ଗୋଟି ବୁଥରେ କାର୍ଯ୍ୟ ତଦାରଖ ପାଇଁ ୧୫ ଜଣ ଅଧିକାରୀଙ୍କୁ ସୁପରଭାଇଜର ନିଯୁକ୍ତ କରାଯାଇଥିବାବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀର ୧୮୬ ବୁଥ ପାଇଁ ୨୨ ଜଣ ଅଧିକାରୀଙ୍କୁ ସୁପରଭାଇଜର ନିଯୁକ୍ତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ମୁତାବକ କଂଟାମାଳ ନିର୍ବାଚନ ମଣ୍ଡଳୀରେ ୧୫୪୩୦୦ ଭୋଟରଙ୍କ ନାମ ପଂଜିକୃତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୭୮୬୮୯ ଓ ମହିଳା ଭୋଟରଙ୍କ ସଂଖ୍ୟା ୭୫୬୧୧ ରହିଛି । ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୧୪୯୫୬୮ ଭୋଟର ନାମ ପଂଜିକୃତ କରିଥିବାବେଳେ ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୭୭୬୦୫ ଓ ମହିଳା ଭୋଟରଙ୍କ ସଂଖ୍ୟା ୭୨୭୧୪ ରହିଛି । ସୂଚନା ମୁତାବକ କଂଟାମାଳ ନିର୍ବାଚନ ମଣ୍ଡଳୀରେ ୯୯.୫୧ ପ୍ରତିଶତ ଭୋଟରଙ୍କୁ ଭୋଟ୍ ପରିଚୟପତ୍ର ପ୍ରଦାନ କରାଯାଇଥିବାବେଳେ ୯୯.୩୬ ଭୋଟରଙ୍କ ଫଟୋ ସଂଗ୍ରହ କରାଯାଇପାରିଛି । ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀର ୯୯.୪୯ ପ୍ରତିଶତ ଭୋଟରଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବାବେଳେ ୯୯.୩୩ ପ୍ରତିଶତ ଭୋଟରଙ୍କ ଫଟୋ ସଂଗ୍ରହ କରାଯାଇପାରିଛି । ତେଣୁ ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରକାଶନ ପୂର୍ବରୁ ଏହି ଅନ୍ତିମ ତଥା ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକିୟାରେ ଯେପରି ଶତପ୍ରତିଶତ ଭୋଟରଙ୍କୁ ମତଦାନ ପ୍ରକିୟାରେ ଯୋଡାଯାଇ ପାରିବ ସେଥିପାଇଁ ଗୁରୁତ୍ୱ ଦେବାକୁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଯୁଧିଷ୍ଠିର ମେହେର ସୂଚନା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *