ବୌଦ୍ଧ ଜିଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଧାରଣା

ବୌଦ୍ଧ, ୦୭ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧଜିଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବା ନେଇ ବିଜେପି ପକ୍ଷରୁ ଜିଲା ମୁଖ୍ୟଚିକିତ୍ସାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ବିଜେପି କୃଷକ ମୋର୍ଚ୍ଚାର ଆହ୍ୱାନକ୍ରମେ ଏହି ଦିନିକିଆ ଧାରଣା ଅବସରରେ ଜିଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବା ପାଇଁ ସ୍ଥାନୀୟ ଶାସକ ବିଜେଡି ର ନେତା ତଥା ବିଧାୟକ ପ୍ରଦିପ କୁମାର ଅମାତଙ୍କୁ ଦାୟି କରାଯିବା ସହିତ ଦୃଢ ସମାଲୋଚନା କରାଯାଇଛି। ଦୀର୍ଘବର୍ଷ ହେଲା ଏଠାରୁ ବିଜେଡି ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା କେବେ ସୁଧୁରି ପାରିଲାନାହିଁ। ଶଯ୍ୟା ଅଭାବରୁ ଅନେକ ରୋଗୀ ତଳେ ଶୋଉଥିବାବେଳେ ପରିମଳ ବ୍ୟବସ୍ଥା ସଂପୁର୍ଣ୍ଣ ବପର୍ଯ୍ୟସ୍ଥ ହୋଇପଡିଛି। ବିଶେଷଜ୍ଞ ନଥିବାରୁ ମୁଖ୍ୟ ଚିକିତ୍ସାଳୟର ଅନେକ ମୂଲ୍ୟବାନ ଯନ୍ତ୍ରପାତି ଖତ ଖାଉଛି। ସେହିପରି କେଉଁ ବିଭାଗରେ ଡାକ୍ତର ଥିଲେ ଆନୁସଙ୍ଗିକ ବ୍ୟବସ୍ଥା ନଥିବାବେଳେ ଆଉ କେଉଁ ବିଭାଗରେ ବ୍ୟବସ୍ଥା ଥିଲେ ଡାକ୍ତର ନାହାନ୍ତି। ବିଶେଷ ଭାବରେ ଚକ୍ଷୁ ଡାକ୍ତର ନଥିବାରୁ ମୂଲ୍ୟବାନ ଯନ୍ତ୍ରପାତି ପଡି ରହିଥିବାବେଳେ ବୃଦ୍ଧ ବୃଦ୍ଧାମାନେ ଚକ୍ଷୁ ସମସ୍ୟା ନେଇ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେହିପରି ସରକାର ଜନନୀ ସୂରକ୍ଷା ଯୋଜନା ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚିକିତ୍ସାଳୟରେ ସୂରକ୍ଷିତ ଭାବରେ ପିଲା ଜନ୍ମ କରାଇବାକୁ ପ୍ରୋତ୍ସାହନ ଯୋଗାଇ ଦେଉଥିବାବେଳେ ନିଶ୍ଚେତକ ଡାକ୍ତର ନଥିବାରୁ ୫ ଜଣ ସ୍ତ୍ରୀ ଓ ପ୍ରସୂତୀ ଡାକ୍ତର ବସି ରହିଛନ୍ତି। ପ୍ରତିଦିନ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅନେକ ଆଶା ନେଇ ଆସୁଥିବା ଅନେକ ଗରିବ, ଖଟିଖିଆ, ଚାଷୀ ପରିବାରର ଆସନ୍ନ ପ୍ରସବା ମହିଳାମାନେ ଗୁରୁତର ଅବସ୍ଥାରେ ପିଲା ଜନ୍ମ କରାଇବା ପାଇଁ ପୋଡଶୀ ଜିଲା କିମ୍ବା ବୁର୍ଲା ଚିକିତ୍ସାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଫଳରେ କିଏ ଗଛତଳେ ତ କିଏ ଆମ୍ବୁଲେନସ ମଧ୍ୟରେ ଅସୁରକ୍ଷିତ ଭାବରେ ପିଲା ଜନ୍ମ କରିବାର ଅନେକ ଘଟଣାର ନଜିର ରହିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଯଦି ଚିକିତ୍ସାସେବା ଏହିପରି ତେବେ ଗ୍ରାମାଂଚଳରେ କଣ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି। ତେବେ ଜିଲାରେ ତୁରନ୍ତ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବାକୁ ଠିକ୍ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ୧୦ ଦଫା ଦାବିପତ୍ର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି। କୃଷକ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ବୌଦ୍ଧଜିଲାରେ ୯୫ଜଣ ଡାକ୍ତର ଓ ୯୨ ଜଣ ନର୍ସଙ୍କ ଆବଶ୍ୟକତା ଥିବାବେଳେ ୪୩ଜଣ ଡାକ୍ତର ଓ ୧୭ ଜଣ ନର୍ସଙ୍କୁ ନେଇ କାମ ଚଳାଯାଉଛି। ତେଣୁ ଜିଲାରେ ଡାକ୍ତର ଓ ନର୍ସ ପଦବି ପୂରଣ, ନିଶ୍ଚେତକ ଡାକ୍ତର ପଦବି ତୁରନ୍ତ ପୂରଣ, ବିପର୍ଯ୍ୟସ୍ଥ ଜଳ ଓ ପରିମଳ ବ୍ୟବସ୍ଥାରେ ସୁଧାର, ଡାକ୍ତରଖାନାରେ ରୋଗୀଙ୍କ ଶଯ୍ୟା ସଂଖ୍ୟା ବୃଦ୍ଧି, ରୋଗୀଙ୍କୁ ଉତ୍ତମ ମାନର ଖାଦ୍ୟ ଯୋଗାଣ, ଡାକ୍ତରଖାନାରେ ୨୪ ଘଂଟିଆ ବିଦ୍ୟୁତ ବ୍ୟବସ୍ଥା, ଗର୍ଭବତୀ ମହିଳା ଓ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ବୁର୍ଲା ନପଠାଇ ଚିକିତ୍ସା ସେବା ଯୋଗାଇ ଦେବା, ଚିକିତ୍ସାଳୟର ମୂଲ୍ୟବାନ ଯନ୍ତ୍ରପାତି କର୍ମଚାରୀ ଅଭାବରୁ ପଡିରହିଥିବାରୁ ତୁରନ୍ତ ବୈଷୟିକ ପଦବୀ ପୂରଣ କରିବା ଓ ଚିକିତ୍ସାଳୟରେ ଥଣ୍ଡା ପାନୀୟଜଳର ଅଭାବ ଆଦି ୧୦ ଦଫା ଦାବି କରାଯାଇଛି। ତୁରନ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବିଜେପି କୃଷକମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି। କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଦିଆଯାଇଥିବା ଏହି ଧାରଣାରେ ଜିଲା ବିଜେପି ଜିଲା ମହିଳା ସଭାନେତ୍ରୀ ନମିତା ରାଣୀ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯୁଗଳ କିଶୋର ସାହୁ, ଏସ ସି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧାଂଶୁ ଡାଙ୍ଗ, ପୂର୍ବତନ ଜିଲା ସଭାପତି ମାଗୁଣି ଗାଈଗୌରିଆ, ମନୋରଂଜନ ଦାଶଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *