ବୋନସ ନଦେଲେ ଆରଏସପି ଅଚଳ କରିବାକୁ ବିଏମଏସର ଧମକ

ରାଉରକେଲା/୧୪/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ପାଖେଇଲାଣି ଦୁର୍ଗାପୂଜା । ଆଉ ମାତ୍ର ୧୩ ଦିନ ରହିଥିବା ବେଳେ, ଆରଏସପି କର୍ମଚାରୀଙ୍କ ମୁହଁରେ ହସ ନାହିଁ । ମାତ୍ର ଏପର୍ଯ୍ୟନ୍ତ ସେଲ କର୍ତୃପକ୍ଷ ବୋନସ ଘୋଷଣା କରି ନାହାନ୍ତି । ବୋନସ ପାଇଁ ସେଲ କର୍ମଚାରୀ ଚାତକ ପରି ଅନାଇ ରହିଥିବା ବେଳେ, ସେଲ କର୍ତୃପକ୍ଷଙ୍କ ଏଥିପ୍ରତି ଉଦାସୀନତାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ବିଏମଏସ ପକ୍ଷରୁ କୁହାଯାଇଛି । ଏହି ଅବସରରେ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ପକ୍ଷରୁ ଇସ୍ପାତ କାରଖାନା ସିଇଓ ଅଶ୍ୱୀନୀ କୁମାର ଏବଂ ସ୍ଥାନୀୟ ଆଂଚଳିକ କମିଶନରଙ୍କୁ ବନ୍ଦ ନୋଟିସ ପ୍ରଦାନ କରାଯାଇଛି । ଆରଆଇକେକେଏସର ସାଧାରଣ ସଂପାଦକ ହିମାଂଶୁ ବଳଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ଗୋଲଘର ସ୍ଥିତ ଆଂଚଳିକ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟକୁ ଯାଇ ଏହି ଦାବିପତ୍ର ପ୍ରଦାନ କରିଥିଲେ । ଆସନ୍ତା ୧୬ ତାରିଖ ଦିନ ସକାଳେ ବିଶ୍ରାଛକ ଠାରେ ଏକ ବିଶାଳ ଗଣବିକ୍ଷୋଭ କରାଯିବାକୁ ଏଥିରେ ଉଲ୍ଲେଖ କରାଯାଇଛି । ସେହିପରି ବୋନସ ସମ୍ପର୍କରେ କର୍ତୃପକ୍ଷ ଦୃଷ୍ଟି ନଦେଲେ ଆସନ୍ତା ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ କାରଖାନାକୁ ଅଚଳ କରି ଦିଆଯିବ ବୋଲି ଆରଆଇକେକେଏସ ପକ୍ଷରୁ ସେଲ କର୍ତୃପକ୍ଷଙ୍କୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *