ବୈତରଣୀରେ ଆସୁଛି ବଡ ଧରଣର ବନ୍ୟା:ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ;ଦୁର୍ବଳ ନଦୀବନ୍ଧକୁ ବୁଲି ଦେଖିଲେ ବିଧାୟକ

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପାଞ୍ଚ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ସମଗ୍ର ଧାମନଗର ଅଂଚଳ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ପୁଣି ଏକ ବଡଧରଣ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଆଜି ସନ୍ଧ୍ୟା ପାଞ୍ଚଟା ବେଳକୁ ସେଠାରେ ବନ୍ୟାଜଳ ୧୭.୩୦ ମିଟରରେ ପ୍ରବାହିତ ହେଉଛି। ତେବେ ଆଜି ରାତି ୧୧ଟା ବେଳକୁ ବନ୍ୟାଜଳ ବିପଦ ସଂକେତ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଜଳ ସଂପଦ ବିଭାଗ ପକ୍ଷରୁ ଜଣାଯାଇଛି। ଫଳରେ କୋଚିଳା, ଗେଙ୍ଗୁଟୀ ଓ କଣ୍ଡିଆ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହି ଲଗାଣ ବର୍ଷାରେ ଦୁଇଦିନ ପୂର୍ବେ କୋଚିଳା ନଦୀବନ୍ଧର ଶଇଲୋ ଠାରେ ପ୍ରାୟ ଏକଶହ ଫୁଟର ବଡଧରଣର ଫାଟ ସୃଷ୍ଟି ହୋଇଥିବା ବେଳେ ଜଳ ସଂପଦ ବିଭାଗ ପକ୍ଷରୁ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। କେତେକ ଦୁର୍ବଳ ବନ୍ଧରେ ବାଲିବସ୍ତା ଓ ବାଉଁଶ ମହଜୁତ ରଖାଯାଇଛି। ଫାଟ ସୃଷ୍ଟି ହୋଇଥିବା ସ୍ଥାନକୁ ଆଜି ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଡିଓ ନରହରି ବେହେରା, ତହସିଲଦାର ଚାଲର୍ସ ନାୟକ ଓ ଏସଡିଓ ଭୁବନାନନ୍ଦ ମହାନ୍ତି ପ୍ରମୁଖ ପହଞ୍ଚି ତଦାରଖ କରିବା ସହିତ ସମ୍ଭାବ୍ୟ ବନ୍ୟାକୁ ମୁକାବିଲା କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଅର୍ଜୁନପୁର ପଞ୍ଚାୟତ ତରେଇସାହି ଠାରେ ପକ୍କାପୋଲର ଆପ୍ରୋଜ ରୋଡ ଧସିଥିବା ବେଳେ ତୁରନ୍ତ ତାହାକୁ ମରାମତି ପାଇଁ ଜଳ ସଂପଦ ବିଭାଗକୁ ବିଧାୟକ ନିର୍ଦେଶ ଦେଇଥିଲେ। ତୁହାକୁ ତୁହା ବର୍ଷା ଯୋଗୁଁ ଧାମନଗର ଅଂଚଳର ହଜାର ହଜାର ଚାଷଜମି ଜଳମଗ୍ନ ହୋଇଛି। ବ୍ଲକର ଧାମନଗର, ଜୟନଗର, ଦଳାଙ୍ଗ, ଅର୍ଜୁନପୁର, ଖଡିପଦା, ପଧାନୀ, ଭଟ୍ଟସାହି, ନଦୀଗାଁ, ଆନନ୍ଦପୁର, ସୋହଡା, ଧୁଷୁରୀ, ଅସୁରାଳି, କୋଠାର, ବମକୁରା, ପାଳସାହି, ରଇପୁର, ରାଧାବଲ୍ଲଭପୁର, କଲ୍ୟାଣୀ, ଗୋବିନ୍ଦପୁର, ଚୁଡାକୁଟୀ, ଦଇପୁର, ସାହସପୁର, ହସନାବାଦ ଆଦି ପଞ୍ଚାୟତର ହଜାର ହଜାର ଚାଷଜମିରେ ବର୍ଷାଜଳ ଭରପୁର ରହିଛି। ଫଳରେ ଖାଲୁଆ ଥିବା ଜମିରେ ଧାନତଳି ନଷ୍ଟ ହେଲାଣି। ସେହିପରି ବର୍ଷା ଯୋଗୁଁ ଧାମନଗର-ଫଳପୁର ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତା ବୁଡି ପାଣି ସୁହ ଚାଲିଥିବାରୁ ଯାତାୟତ ସମସ୍ୟା ଦେଖାଦେଇଛି। ତେବେ ସମ୍ଭାବ୍ୟ ବନ୍ୟାକୁ ଆଖିଆଗରେ ରଖି ଦୁର୍ବଳ ନଦୀବନ୍ଧ ଗୁଡିକରେ ବାଲିବସ୍ତା ମହଜୁତ ରହିବା ସହିତ ପାଣି ପାଉଚ ଓ ୭ଟି ସରକାରୀ ବୋର୍ଟ ମହଜୁତ ରହିଥିବା ବିଡିଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ଥିବା ବେଳେ ଅଫିସରମାନେ ସମ୍ଭାବ୍ୟ ବନ୍ୟା ପାଇଁ ସଜାଗ ରହିଛନ୍ତି।

Leave a Reply

Your email address will not be published. Required fields are marked *