ବୈତରଣୀରୁ ବନ୍ୟାଜଳ ହ୍ରାସ : ଚାଷଜମି ଜଳମଗ୍ନ

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବୈତରଣୀ ନଦୀରେ ବନ୍ୟାଜଳ ହ୍ରାସ ପାଇ ବିପଦ ସଂକେତ ତଳକୁ ଖସିଆସିଛି। ହେଲେ ବୈତରଣୀର ଶାଖା ନଦୀ କୋଚିଳା ନଦୀରେ ବନ୍ୟାଜଳ ବୃଦ୍ଧି ପାଇଛି। ଏଥିସହ ରେବ ଓ କପାଳି ନଦୀରେ ବର୍ଷାଜଳ ବୃଦ୍ଧି ଯୋଗୁଁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରେବ-କପାଳି ନଦୀର ଜଳ ଦ୍ୱାରା ବମକୁରା, କାଶିମପୁର, ଖୋପସାହି, ବାଙ୍କସାହି, ପଛାଲୋ, ଖଡିମାହାରା, ପତ୍ରିସାହି ଆଦି ଅଂଚଳର ଚାଷଜମି ବୁଡି ରହିଥିବା ବେଳେ କୋଚିଳା ଓ ଗେଙ୍ଗୁଟୀ ନଦୀର ଜଳ ଅର୍ଜୁନପୁର, ଦଳାଙ୍ଗ, ନଦୀଗାଁ, ପଧାନୀ, କୋଠାର, ବୟାଙ୍ଗଡିହ, ଧାମନଗର ଆଦି ପଞ୍ଚାୟତର ଚାଷଜମିକୁ ମାଡିଛି। ସେହିପରି ବୈତରଣୀ ନଦୀର ଗୌରାଙ୍ଗପୁର ଏସକେପରୁ ବନ୍ୟାଜଳ ବାହାରି ସୋହଡା, କରଦା, ଖଡିପଦା ଓ ପଧାନୀ ଆଦି ପଞ୍ଚାୟତର ଚାଷଜମିକୁ ମାଡିଯାଇଛି। ଲଗାଣ ବର୍ଷା ପରେ ଏବେ ବନ୍ୟାଜଳ ଚାଷଜମିରେ ଭରି ରହିଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏଦିଗରେ କୃଷି ଅଧିକାରୀ ଚାଷଜମିରୁ ଜଳ ନିଷ୍କାସନ ହେବା ପରେ ତଦନ୍ତ କରି ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *