ବେନାମୀ ସଂଦିଗ୍ଧ ଆକାଉଂଟ ନେଇ ବିଜେଡି ସ୍ପଷ୍ଟୀକରଣକୁ ପାଲଟା ପ୍ରଶ୍ନ କଲା ବିଜେପି

–    ବିଜେଡି ଆକାଉଂଟ ନମ୍ବର ୧୦୦୯୧୮୦୫୫୭୩ ସମ୍ବନ୍ଧରେ ପ୍ରଶ୍ନ ପଚାରି ନାହିଁ କି ବ୍ୟାଙ୍କ ଏହି ଆକାଉଂଟ ସମ୍ପର୍କରେ ଉତର ଦେଇ ନାହିଁ
–    ଆଇନଗତ କାର୍ଯ୍ୟାନୁଷ୍ଠାନର ନାଲି ଆଖି ଦେଖାଇ ବିଜେଡି ମୂଳ ପ୍ରସଙ୍ଗରୁ ମୁହଁ ବୁଲାଇ ପାରିବ ନାହିଁ
–    ସଚିବାଳୟରୁ ବୟାନ ରଖି ବିଜେଡି ମୁଖପାତ୍ର ତୃତୀୟ ମହଲାର କିରାଣୀଙ୍କ ନିର୍ଦେଶରେ କାମ କରୁଛନ୍ତି

ଭୁବନେଶ୍ୱର, ତା.୨୪/୦୭(ଓଡ଼ିଆ ପୁଅ):ନବୀନ ହାବାଲା ଘୋଟାଲା ମାମଲାରେ ଆୟ କର ବିଭାଗର ହସ୍ତକ୍ଷେପ ଲୋଡିବା ଲାଗି ବିଜେଡି ମୁଖପାତ୍ର ତଥା ରାଜ୍ୟ ସଭା ସାଂସଦ ପ୍ରତାପ ଦେବଙ୍କ ପ୍ରତିକ୍ରିୟା ମୂଳ ପ୍ରଶ୍ନକୁ ଉତର ନ ଦେଇ ରାଜନୈତିକ ପଇଁତରାବାଜି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଶ୍ରୀ ପ୍ରତାପ ଦେବ ସଚିବାଳୟ ଠାରେ ତୃତୀୟ ମହଲାର କିରାଣୀଙ୍କ ନିର୍ଦେଶରେ ବିବୃତି ରଖିଛନ୍ତି ବୋଲି ଶ୍ରୀ ମହାନ୍ତି ପାଲଟା ଅଭିଯୋଗ କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେଡି ମୁଖପାତ୍ର ଏସବିଆଇ ଉତର ନାମରେ ବିଭ୍ରାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏସବିଆଇକୁ ବିଜେଡି ଏହାର ଚିଠିରେ କଣ ତଥ୍ୟ ମାଗିଥିଲା ବୋଲି ପ୍ରତାପ ଦେବ ସ୍ପଷ୍ଟ କରି ନାହାନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ବିଜେଡି ତରଫରୁ ଗଣ ମାଧ୍ୟମରେ ବିତର୍କିତ ହୋଇଥିବା ଆକାଉଂଟ ନମ୍ବର ୧୦୦୯୧୮୦୫୫୭୩ ସମ୍ବନ୍ଧରେ ବିଜେଡି ଏସବିଆଇକୁ ସ୍ପଷ୍ଟୀକରଣ ମାଗି ନାହିଁ ବା ଏସବିଆଇ ଏହି ନିର୍ଦିଷ୍ଟ ଆକାଉଂଟ ସମ୍ବନ୍ଧିତ କୌଣସି ତଥ୍ୟ ଦେଇ ନାହାନ୍ତି। ଏହି ଆକାଉଂଟ ନମ୍ବରଟି ବେନାମୀ ଓ ଏହି ଆକାଉଂଟରୁ ବିଜେଡିର ଆକାଉଂଟକୁ କୋଟି କୋଟି ଟଙ୍କା ଟ୍ରାନସଫର ହୋଇଛି କି ନାହିଁ ଏହାର ତଦନ୍ତ କରିବାକୁ ବିଜେପି ଆଜି ଆୟ କର ବିଭାଗର ହସ୍ତକ୍ଷେପ ଲୋଡିଛି।

ତଦନ୍ତର ସାମନା କରିବା ପରିବର୍ତେ ବିଜେଡି ମୁଖପାତ୍ର ଆଇନଗତ କାର୍ଯ୍ୟାନୁଷ୍ଠାନର ନାଲି ଆଖି ଦେଖାଇ ମୂଳ ପ୍ରସଙ୍ଗରୁ ମୁହଁ ବୁଲାଇ ପାରିବେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଏବଂ ରାଷ୍ଟ୍ରୀୟ ଉପସଭାପତି ଯୁବମୋର୍ଚ୍ଚା ଠାକୁର ରଣଜିତ ଦାସ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *