ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦର ବାର୍ଷିକୋତ୍ସବ ଓ ସାରସ୍ୱତ ସମାରୋହ ‘ସଂସ୍କୃତିର ସଙ୍କଟ ନୁହେଁ, ସାମାଜିକ ଉଦ୍ବର୍ତନର ସମୟ’

ରାଉରକେଲା ୧୨-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସାରନଗରୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦର ୧୮ତମ ବାର୍ଷିକୋତ୍ସବ ଓ ସାରସ୍ୱତ ସମାରୋହ ସ୍ଥାନୀୟ କମ୍ୟୁନିଟି ସେଂଟର ଠାରେ ମହାସମାରୋହରେ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡା. ରାହାସ ବିହାରୀ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମଂଚ ପରିଚାଳନା କବି ଅଜୟ ବିଶ୍ୱାଳ କରିଥିବା ବେଳେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଗୌରାଙ୍ଗ ଚନ୍ଦ୍ର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅବସରପ୍ରାପ୍ତ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ଯୋଗ ଦେଇ ମା’ ସରସ୍ୱତୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜଳନପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ‘ସାଂପ୍ରତିକ ସମୟର ସାଂସ୍କୃତିକ ସଙ୍କଟ’ ଶୀର୍ଷକ ଏକ ଆଲୋଚନାଚକ୍ରରେ ଭାଗ ନେଇ ସେ କହିଲେଯେ, ସଂସ୍କୃତି ହେଉଛି ଆମ ବଂଚିବାର ମାର୍ଗ। ଧର୍ମ, ଆଧ୍ୟାତ୍ମିକତା ଓ ନୈତିକତାକୁ ଆଧାରକରି ସଂସ୍କୃତିର ଯାତ୍ରା ସୁନ୍ଦର ହୁଏ। ସମାଜରୁ ମାନବିକତା ଓ ଉଦାରତାର ଲୋପ ହେଲେ ସଂସ୍କୃତିର ମୂଳଦୂଆ ଦୋହଲିଯାଏ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଆରଏସପି ପ୍ରଶାସନିକ ଅଧିକାରୀ ନାରାୟଣ ପତି ଯୋଗ ଦେଇ ସମାଜରେ ଘଟୁଥିବା କେତେକ ଖବରର ବିଶ୍ଲେଷଣ କରି ସେ କହିଲେଯେ, ସାମାଜିକତା ପ୍ରତି ଅଧିକ ଗୁରୁତ୍ୱ ନଦେଲେ ସଭ୍ୟତା ଓ ସଂସ୍କୃତି ଦୃଢ ହୋଇ ପାରେ ନାହିଁ। ସାହିତ୍ୟର ସାଧକ ଜଣେ କବି ଅବା ଲେଖକ ହୋଇପାରେ ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସୁସାହିତ୍ୟିକ ଡ.ଭବେଶ ଚନ୍ଦ୍ର ସାହୁ ଯୋଗ ଦେଇ ସଂସ୍କୃତିର ଉପାଦାନ ଭାବେ ପରମ୍ପରା, କଳା, ସାହିତ୍ୟ ଓ ଧର୍ମ ଦର୍ଶନକୁ ନିଆଯାଇ ପାରିବ। ଉପାଦାନ ଗୁଡ଼ିକର ବିଘଟନ ହେଉଛି, ତେଣୁ ତାହା ସଂସ୍କୃତିର ବିଘଟନ ପରି ଲାଗୁଛି। ପ୍ରକୃତରେ ଏହା ହେଉଛି ସାମାଜିକ ଉଦବର୍ତ୍ତନର ପରିଣାମ ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନୀୟ ବକ୍ତା ଭାବେ ରାଜୀବ ପାଣି, ରେବତୀ ବଲ୍ଲଭ ବେହେରା, ବିଚିତ୍ରାନନ୍ଦ ସାହୁ ଓ ଡ. କୃପାସିନ୍ଧୁ ନାୟକ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ବେଦବ୍ୟାସ ସମ୍ମାନ’ରେ ଅଳକା ଚାନ୍ଦଙ୍କୁ ତାଙ୍କର ସାମଗ୍ରୀକ ସାହିତ୍ୟ ସାଧନା ପାଇଁ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ଦ୍ୱାରା ‘ବେଦବ୍ୟାସ’ପତ୍ରିକାର ଅନାବରଣ କରାଯାଇଥିଲା। କାର୍ଯ୍ୟକ୍ରମର ଦ୍ୱିତୀୟ ସୋପାନରେ ପଣ୍ଡିତ ହରିହର ବେହେରାଙ୍କ ଅଧ୍ୟକ୍ଷତାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କବି ତ୍ରିନାଥ ସିଂହ କବିତା ସମ୍ପର୍କରେ ସମକ୍ୟ ଆଲୋଚନା କରିଥିଲେ। କବି ସୁଶାନ୍ତ କୁମାର ନାୟକ ଓ କବୀ ହରପ୍ରିୟା ପରିଡ଼ାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ପ୍ରାୟ ୫୦ରୁ ଉର୍ଦ୍ଧ କବି ନିଜର ସ୍ୱରଚିତ କବିତା ପାଠ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ନିର୍ମଳା ମହାପାତ୍ର, ପଂଚାନନ ସାହୁ, ଗୌତମ ଦାଶ, ସଂଜିବ ଭୋଇ, ସତ୍ୟବ୍ରତ ଦାଶ, ବିକ୍ରମ ଆଚାର୍ଯ୍ୟ, ଲକ୍ଷ୍ମୀ ପଣ୍ଡା, କୁଂଜ ବିହାରୀ ରାଉତ, କମଳାକାନ୍ତ ଦାଶ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଗୌରବ ନାଥ, ରାମଚନ୍ଦ୍ର ନାୟକ, ହିରେନ୍ଦ୍ର କୁମାର ସିଂହଦେଓ, ଉର୍ବଶି ଦାସ(ପତି), ସୁବ୍ରତା ପତି, କିଶୋରୀ ମୋହନ କର, ଶିଶିର ନାୟକ, ପି. ଅଶୋକ ପାତ୍ର, ରଶ୍ମିତା ଜେନା, ଜ୍ୟୋତିର୍ମୟୀ ସାହୁ, ପ୍ରଭାତ ନଳିନୀ ସାହୁ, ରାଜକୁମାର ମହାନ୍ତି ପ୍ରମୁଖ କବିତା ପାଠୋତ୍ସବରେ ଭାଗ ନେଇଥିଲେ। ଉକ୍ତ ଉତ୍ସବରେ ଝାଡଖଣ୍ଡ, ବଣାଇଁ, ସୁନ୍ଦରଗଡ଼ ଓ ରାଉରକେଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସାହିତ୍ୟିକ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଜୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡ୍ରିମ ଟିମ୍ର ସଦସ୍ୟ, ସଦସ୍ୟା ମାନେ ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *