ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦର ଶୋକ

ରାଉରକେଲା ୨-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଯୁବ ସାହିତ୍ୟିକ, ସାମ୍ବାଦିକ, ଓକିଲ ତଥା ଜଣେ ସଫଳ ନିଷ୍ଠାପର ବ୍ୟକ୍ତିଙ୍କ ଅକାଳ ବିୟୋଗରେ ‘ବେଦବ୍ୟାସ ସଂସ୍କୃତି ଓ ସାହିତ୍ୟ ପରିଷଦ’ ପକ୍ଷରୁ ଆୟୋଜିତ ଏକ ଶୋକସଭାରେ ସ୍ୱର୍ଗତଃ ସଂଜୟ ରାଉଳ ଓ ଦୁର୍ଗା ପ୍ରସାଦ ଦାଶଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଅନୁଷ୍ଠାନର କର୍ମକର୍ତ୍ତା ମାନେ ବିନମ୍ର ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ। ଅନୁଷ୍ଠାନର ସଭାପତି ଡା. ରାହାସ ବିହାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକସଭାରେ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। କବି ଗୌରାଙ୍ଗ ଦାଶ କହିଲେଯେ, ମାତ୍ର ୪୨ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିବା ସଂଜୟ ରାଉଳ ଏକାଧାରରେ ଜଣେ କବି, ଗାଳ୍ପିକ, ଗଣମାଧ୍ୟମ ପ୍ରତିନିଧି, ଆଇନଜିବୀ ଓ ସମାଜସେବୀ ଭାବରେ ବେଶ ପ୍ରତିଷ୍ଠା ଅର୍ଜନ କରି ପାରିଥିଲେ। ସେ ଯୁବ ଗାଳ୍ପିକ ପୁରସ୍କାର, ଶ୍ରେଷ୍ଠ ସମ୍ବାଦଦାତା ପୁରସ୍କାର ତଥା ବହୁ ଅନୁଷ୍ଠାନରୁ ସାହିତ୍ୟ କ୍ଷେତ୍ରରେ ପୁରସ୍କାର ଅର୍ଜନ କରିଥିଲେ। ଓଡ଼ିଶା ଜଣେ ଯୁବ ସାହିତ୍ୟିକଙ୍କୁ ହରାଇଲା ବୋଲି ଅନୁଷ୍ଠାନର କର୍ମକର୍ତ୍ତା ମାନେ ମତପୋଷଣ କରିଥିଲେ। ସେହିପରି ଅବସରପ୍ରାପ୍ତ ଆରଏସ୍ ପି ପ୍ରଶାସନିକ ଅଧିକାରୀ ଦୁର୍ଗାପ୍ରସାଦ ଦାଶଙ୍କ ବିୟୋଗରେ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଗଭୀର ଶୋକ ପ୍ରକଟ କରିଥିଲେ। ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟରତ ସମୟରେ ସେ ବହୁ ଜନହିତକର କାର୍ଯ୍ୟ କରି ଆସୁଥିଲେ। ଗୋପବନ୍ଧୁ ପ୍ରଗତି ପବ୍ଲିକ ସ୍କୁଲ ସହ ସାରନଗରୀରେ ଲୋକପ୍ରିୟତା ବଜାୟ ରଖିଥିଲେ। ଉଭୟଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଶୋକସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡ. ମଂଜୁଶର୍ମା ମହାପାତ୍ର, ଡା. ଅକ୍ଷୟ ସାମଲ, ଚିନ୍ମୟ ମହାପାତ୍ର, ବିଜୟ ମହାନ୍ତି, ହରପ୍ରିୟା ପରିଡ଼ା, ଅଜୟ ବିଶ୍ୱାଳ, ଗୌରାଙ୍ଗ ଦାଶ, ହରିହର ବେହେରା, ପ୍ରସନ୍ନ ନନ୍ଦ, ବିଚିତ୍ରାନନ୍ଦ ଦାସ, ଶଚିନ୍ଦ୍ର ସ୍ୱାଇଁ, ସତ୍ୟବ୍ରତ ଦାଶ, ସୁଶାନ୍ତ ନାୟକ ପ୍ରମୁଖ ଯୋଗ ଦେଇ ଗଭୀର ଶୋକପ୍ରକଟ କରିଥିଲେ।

Leave a Reply

Your email address will not be published. Required fields are marked *