ବେତନଟୀ ବ୍ଲକର ତିଳପଦା ଗାଁରେ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ବିକାଶ କାମର ଶୁଭାରମ୍ଭ – ସୌରଚାଳିତ ପାନୀୟ ଜଳ ଓ ଷ୍ଟ୍ରିଟ ଲାଇଟକୁ ଲୋକାର୍ପିତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ପୂର୍ବରୁ ଦେଶ ଓ ରାଜ୍ୟର ସରକାର ମାନେ ବିକାଶ କାମରେ ଲାଗିଥିଲେ ମଧ୍ୟ ବିକାଶର ସୁଫଳ ଗାଁରେ ପହଂଚି ନାହିଁ ଏ କଥା ମାନିବାକୁ ପଡିବ

ଭୁବନେଶ୍ୱର/ ବେତନଟୀ, ୨୯ ଏପ୍ରିଲ (ଓଡ଼ିଆ ପୁଅ) – ମୟୁରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ସନ୍ତରା ଗ୍ରାମ ପଂଚାୟତର ତିଳପଦା ଗ୍ରାମରେ ଇଣ୍ଡିଆନ ଅଏଲର ସାମାଜିକ ଦାୟିତ୍ୱବୋଧ ଯୋଜନା ଅନ୍ତର୍ଗତ ପାନୀୟ ଜଳ କାର୍ଯ୍ୟକ୍ରମ ଇଣ୍ଡିଆନ ଅଏଲ ‘ଜଳଜୀବନ’ ଓ ସଡକ ଆଲୋକୀକରଣ କାର୍ଯ୍ୟକ୍ରମ ଇଣ୍ଡିଆନ ଅଏଲ ‘ସୂର୍ଯ୍ୟ ପ୍ରକାଶ’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୌର ଚାଳିତ ପମ୍ପ ଯୋଗେ ପାଣି ଉଠାଇ ଏହି ଗାଁରେ ୧୫ଟି ଟ୍ୟାପ ଯୋଗେ ଜଳ ଯୋଗାଣର ବ୍ୟବସ୍ଥା କରା ଯାଇଛି। ଏହାକୁ ଉଦଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ସୌର ଚାଳିତ ଜଳ ଯୋଗାଣ ପ୍ରକଳ୍ପ ସେ ମଧ୍ୟ ପ୍ରଥମ ଥର ଦେଖୁଛନ୍ତି।

ଏହା ସହ ଏହି ଗାଁରେ ୨୫ଟି ସୌରଚାଳିତ ଷ୍ଟ୍ରିଟ ଲାଇଟ ମଧ୍ୟ ଶ୍ରୀ ପ୍ରଧାନ ଶୁଭାରମ୍ଭ କରିଛନ୍ତି। ଏହି ଗାଁର ଆଉ ଗୋଟିଏ ସାହିକୁ ପାଣି ଓ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥାକୁ ସଂପ୍ରସାରିତ କରିବା ପାଇଁ ଇଣ୍ଡିଆନ ଅଏଲ କର୍ତ୍ତୃପକ୍ଷଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଦେଶର ୨୦-୨୧ ହଜାର ଗାଁକୁ ଚିହ୍ନଟ କରିଛନ୍ତି। ଯେଉଁଥିରେ ଓଡିଶାର ୩୮୮ ଗାଁ ସାମିଲ ଅଛି। ପୂର୍ବରୁ ଦେଶ ଓ ରାଜ୍ୟର ସରକାର ମାନେ ବିକାଶ କାମରେ ଲାଗିଥିଲେ ମଧ୍ୟ ବିକାଶର ସୁଫଳ ଗାଁରେ ପହଂଚି ନାହିଁ ଏ କଥା ମାନିବାକୁ ପଡିବ। ଏପରି ପରିସ୍ଥିତିରେ ସେ ମୟୁରଭଂଜ ଜିଲ୍ଲା ବଡସାହି ବ୍ଲକର ହରିପୁର ଗାଁରେ ରାତ୍ରି ଯାପନ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *