ଓଡ଼ିଶା

“ବେଟି ବଚାଅ, ବେଟି ପଢାଅ” ଯୋଜନାରେ ୨ ଲକ୍ଷ ଟଙ୍କା ମିଳିବା ଗୁଜବ ନେଇ ପ୍ରଶାସନ ନୀରବ ଜିଲାର ବିଭିନ୍ନ ପୋଷ୍ଟାଲରେ ନାହିଁନଥିବା ଭିଡ, ବନ୍ତ ପୋଷ୍ଟମାଷ୍ଟରଙ୍କୁ ମହିଳାଙ୍କ ଘେରାଉ

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସତରେ ଆମେ ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ବହୁ ଆଗକୁ ଯାଉଥିଲେ ବି ବେଳେବେଳେ କେତେକ ଠକ ସଂଗଠନ ଓ ସ୍ୱେଚ୍ଛାସେବୀ ନାମରେ ଶସ୍ତା ନାମ କମାଉଥିବା ବ୍ୟକ୍ତିବିଶେଷଙ୍କ ଜାଲରେ ପଡିଯାଇଥାଉ। ସେହିଭଳି ଏକ ଅଭାବନୀୟ ଘଟଣା ଏବେ ଉତ୍ତରପ୍ରଦେଶ, ହରିୟାଣା, ଉତ୍ତରାଖଣ୍ଡ, ପଂଜାବ, ହିମାଚଳ ପ୍ରଦେଶ, ଦିଲ୍ଲୀ ଭଳି ବଡ ବଡ ରାଜ୍ୟ ଓ ସହର ପରେ ଓଡ଼ିଶାର ବିଭିନ୍ନ ଜିଲାରେ ଦେଖାଦେଇଛି। ସେଥିମଧ୍ୟରୁ ଭଦ୍ରକ ଅନ୍ୟତମ। ତାହା ହେଲା ଭାରତ ସରକାରଙ୍କ ଅଧୀନରେ ଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରଣ “ବେଟି ବଚାଅ, ବେଟି ପଢାଅ’ ଯୋଜନା। ଏହି ଯୋଜନାରେ କୁଆଡେ ଶିଶୁ ଓ ମହିଳାଙ୍କ କ୍ଷେତ୍ରରେ ୮ ବର୍ଷରୁ ୩୨ ବର୍ଷ ପର୍ଯ୍ୟନ୍ତ ଆବେଦନ କଲେ ବର୍ଷକୁ ୨ ଲକ୍ଷ ଟଙ୍କା ଲେଖାଏଁ ମିଳିବ। ତେବେ ଏହି ଯୋଜନାର ଆବେଦନ ପତ୍ର ପାଇଁ ହଜାର ହଜାର ଆବେଦନକାରୀ ଏଭଳି ଭାବେ ବ୍ୟତିବ୍ୟସ୍ତ ହୋଇପଡିଥିଲେ ଯେ ଫର୍ମ ପିଛା ୨୦ ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଛାଉନାହାଁନ୍ତି। ଏହି ଆବେଦନ ପତ୍ର ପୈଠ କରିବାର ଶେଷ ସମୟସୀମା ଗତ ମାର୍ଚ୍ଚ ୩୧ ତାରିଖ ବୋଲି କୁହାଯାଇଥିଲା। ଫଳରେ ଭଦ୍ରକ ଜିଲାର ଲକ୍ଷାଧିକ ଅଭିଭାବକ ସେମାନଙ୍କର କନ୍ୟା ଓ ମହିଳାମାନଙ୍କ ପାଇଁ ବିଭିନ୍ନ ପୋଷ୍ଟ ଅଫିସ୍ ଗୁଡିକରେ ଲମ୍ବା ଲାଇନ୍ ଦେଇଥିବାର ଦେଖାଯାଇଥିଲା। ଯାହାକୁ ନେଇ ପୋଷ୍ଟାଲ ବିଭାଗର କର୍ମଚାରୀମାନଙ୍କ ଅବସ୍ଥା ବେହାଲ ହୋଇପଡିଥିଲା। ପରବର୍ତ୍ତୀ ସମୟରେ ଏହି ଆବେଦନ ପତ୍ର ପ୍ରଦାନର ଶେଷ ତାରିଖ ଆଜି ଅର୍ଥାତ୍ ଏପ୍ରିଲ ୧୦ ବୋଲି ପ୍ରଚାର ହେବା ପରେ ଶହ ଶହ ସଂଖ୍ୟାର ଆବେଦନକାରୀ ଭଦ୍ରକ ମୁଖ୍ୟ ଡାକଘରେ ଭିଡ ଜମାଇଥିଲେ। ଅନୁରୂପ ବନ୍ତ ବ୍ଲକ୍ ପୋଷ୍ଟ ଅଫିସ୍ରେ ଏଭଳି ଭିଡ ସୃଷ୍ଟି ହେଲା ଯେ ବିଚରା ପୋଷ୍ଟମାଷ୍ଟର ସୁବଳ ମୁର୍ମୁ ଉପରକୁ ହାତ ଟେକି ବସିଗଲେ। ଫଳରେ ହଜାର ହଜାର ସଂଖ୍ୟାର ମହିଳା ଆବେଦନକାରୀ ତାଙ୍କୁ ଦୀର୍ଘ ସମୟ ଘେରାଉ କରି ରଖିବା ପରେ ସେ ମୁଖ୍ୟ ଡାକଘରକୁ ଖବର ଦେଇଥିଲେ। ପରେ ମୁଖ୍ୟ ଡାକଘରୁ କେତେକ ଅଧିକାରୀ ପ୍ରିଣ୍ଟର ଓ ଅନ୍ୟାନ୍ୟ ସରଂଜାମ ନେଇ ସେଠାରେ ପହଞ୍ଚି ଲୋକଙ୍କ ଠାରୁ ସେମାନଙ୍କର ଆବେଦନ ପତ୍ର ରେଜେଷ୍ଟି୍ର ଓ ସ୍ପିଡି ପୋଷ୍ଟ ଯୋଗେ ଗ୍ରହଣ କରିଥିଲେ। ତେବେ କେନ୍ଦ୍ର ସରକାରଙ୍କ ଏଭଳି ଏକ ଯୋଜନାର ସତ୍ୟତା ସଂପର୍କରେ ବହୁପୂର୍ବରୁ ଉକ୍ତ ମନ୍ତ୍ରଣାଳୟ ପକ୍ଷରୁ ଏହା ସତ୍ୟ ନୁହେଁ, ଜାଲ୍ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରାଯାଇଥିଲେ ମଧ୍ୟ କିଭଳି ଯେ ଆବେଦନକାରୀମାନେ ଅନ୍ଧ ଭଳି ରେଜେଷ୍ଟି୍ର ପୋଷ୍ଟ ପିଛା ୨୨ ଟଙ୍କା ଓ ସ୍ପିଡି ପୋଷ୍ଟ ପିଛା ୪୧ ଟଙ୍କା ଖର୍ଚ୍ଚ କରିବାକୁ ପଛାଉନାହାଁନ୍ତି, ତାହା ଭାବିଲେ ବିସ୍ମିତ ହେବାକୁ ପଡେ। ଏହି ଆବେଦନ ପତ୍ରରେ ସ୍ଥାନୀୟ ସରପଞ୍ଚ କିମ୍ବା କାଉନ୍ସିଲରଙ୍କ ଦସ୍ତଖତ ଓ ସିଲ୍ ଲଗାଯିବାର ନିୟମ ରହିଥିବାର ଦର୍ଶାଯାଇଥିବାରୁ ସେମାନେ ଖାଇବା ପିଇବା ଓ ଶୋଇବା ଭୁଲିଯାଇଛନ୍ତି ବୋଲି କହିଛନ୍ତି ଭଦ୍ରକ ପୌରପାଳିକାର କାଉନ୍ସିଲର ସେକ୍ ସମଦାନୀ। ଏହି ଯୋଜନାର ସତ୍ୟତା ସଂପର୍କରେ ସଂପୃକ୍ତ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ଘୋଷଣାନାମା ଜାରି ହୋଇଛି, ତାହା ଏହିଭଳି। “ବେଟି ବଚାଅ, ବେଟି ପଢାଅ” କାର୍ଯ୍ୟକ୍ରମଟି ସାମାଜିକ ବ୍ୟବସ୍ଥାରେ କନ୍ୟାଙ୍କ ପ୍ରତି ରହିଥିବା ଋଢୀବାଦୀ ମାନସିକତା ପରିବର୍ତ୍ତନର ଏକ ଅଂଶବିଶେଷ। ଏହା ଘରେ ରହିଯାଉଥିବା ବାଳିକାମାନଙ୍କୁ ଶିକ୍ଷା କ୍ଷେତ୍ରରେ ବିକଶିତ କରାଇବା ସହ ମହିଳା ସଶକ୍ତିକରଣ ଏହାର ମୂଳ ଲକ୍ଷ୍ୟ। ଏହା କୌଣସି ଡିବିଟି (ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରଣ ) ଯୋଜନା ନୁହେଁ। ତେବେ ଏହି ଘଟଣା ପ୍ରଥମେ ଉତ୍ତର ପ୍ରଦେଶରୁ ଆରମ୍ଭ ହୋଇ କ୍ରମେ ହରିୟାଣା, ଉତ୍ତରାଖଣ୍ଡ, ପଂଜାବ, ହିମାଂଚଳ ପ୍ରଦେଶ ଓ ଦିଲ୍ଲୀକୁ ବ୍ୟାପିବା ପରେ ପର୍ଯ୍ୟାୟକ୍ରମେ ବିହାର, ପଶ୍ଚିମବଂଗ, ରାଜସ୍ଥାନ, କେରଳ ଭଳି ରାଜ୍ୟରେ ଦେଖାଦେଇଥିଲା। ଯାହା କେବଳ ରେଜିଷ୍ଟର ପୋଷ୍ଟ ମାଧ୍ୟମରେ ପଠାଯିବାର ନିୟମ ରହିଥିବାର ପ୍ରଚାର କରାଯାଉଥିଲା। ଏହି ଘଟଣା ଜଣାପଡିବା ପରେ ଉପରୋକ୍ତ ବିଭାଗ ପକ୍ଷରୁ ସେଠାକାର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଯାଇ ଏହା ବିରୁଦ୍ଧରେ ରାଜ୍ୟ ସରକାର ତୁରନ୍ତ ଏଫଆୟାର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାକୁ ନିକଟତମ ପୁଲିସ୍ ଷ୍ଟେସନ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ କୁହାଯାଇଥିଲା। ସେତେବେଳେ ମିରଠ ଓ ମୁଜଫର ନଗରର ଜିଲାପାଳଙ୍କ ଦ୍ୱାରା ପ୍ରଥମ କରି ଏଫଆୟାର ରୁଜୁହୋଇଥିଲା। ତେବେ ଏଭଳି ଜାଲିଆତି ଘଟଣା ସଂପର୍କରେ ଏପର୍ଯ୍ୟନ୍ତ ଭଦ୍ରକର ଜିଲାପାଳ କିମ୍ବା କୌଣସି ପଦାଧିକାରୀ କୌଣସି ପଦକ୍ଷେପ ନନେବା ଘଟଣା ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକ୍ରିୟା ସୃଷ୍ଟି କରିଛି। ଏବଂ ଏଭଳି ଏକ ଗୁରୁତର ଅପରାଧ ସଂପର୍କରେ ମୁଖ୍ୟ ଡାକଘରର କେତେକ ଅଧିକାରୀଙ୍କୁ ଏ ଗଣମାଧ୍ୟମ ପ୍ରତିନିଧି ପଚାରିବାରେ ସେମାନେ ଏହା ଜାଲ୍ ବୋଲି ଜାଣିଥିଲେ ବି ଆବେଦନକାରୀଙ୍କ ପତ୍ର ଗ୍ରହଣ କରିବାରେ କୌଣସି ନିର୍ଦ୍ଦେଶନାମା ସେମାନଙ୍କ ବିଭାଗ ପକ୍ଷରୁ ପାଇନଥିବାରୁ ମୌନ ରହୁଥିବାର ଦର୍ଶାଇଛନ୍ତି। ଅଧିକନ୍ତୁ ଜଣେ ଡାକ ଅଧିକାରୀଙ୍କ କହିବା ଭାଷାନୁସାରେ “ଏହି ଜାଲ୍ ଫର୍ମ ଟ୍ରକ୍ ଟ୍ରକ୍ ଉତ୍ତର ପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟରେ ପୋଡାଯାଉଥିବାର ଦୃଶ୍ୟ ଟିଭି ଭଳି ଗଣମାଧ୍ୟମରେ ପ୍ରଚାର ପରେ ଲୋକେ ଯଦି ପାଗଳ ଭଳି ଆମକୁ ରେଜେଷ୍ଟି୍ର ଓ ସ୍ପିଡି ପୋଷ୍ଟ ଯୋଗେ ପଠାଇବାକୁ କହିବେ, ତେବେ ଆମେ କାହିଁକି ମନା କରିବୁ। ଏହାଦ୍ୱାରା ପୋଷ୍ଟାଲର କ୍ଷତି ନହୋଇ ଲାଭ ହେଉନାହିଁ କି!”

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top