ଜିଲ୍ଲା ପରିକ୍ରମା

ବେଆଇନ୍ ଗୁଟ୍ଖା ବେପାର ୩୦୦ କୋଟି ହରାଇଲେଣି ସରକାର

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ୫ ବର୍ଷ ତଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଇନ୍ ଆଣିଲେ, ରାଜ୍ୟରେ ଗୁଟ୍ଖା ଉତ୍ପାଦନ ଆଉ ବିକ୍ରି କରାଯିବନି। ୫ ବର୍ଷ ତଳେ ଗୁଟ୍ଖା ବେପାରୀଙ୍କୁ ବେଆଇନ୍ କରି ଆଇନ୍ ଆଣିଥିବା ସରକାର ଚୁପ୍ ବସିରହିଛି। ଗୋଟିଏ ପଟେ ଏହି ଗୁଟ୍ଖା ବେପାର ଖୁଲମ୍ଖୁଲା ଚାଲିଥିବାବେଳେ ଏହାର ଚୋରା କାରବାର ବଢିଚାଲିଛି। ଦୋକାନୀ ବିନା ଭୟରେ ସାମନାରେ ଗୁଟ୍ଖା ମାଳ ଝୁଲାଇ ବେପାର କରୁଛନ୍ତି। ମାତ୍ର ସ୍ୱାସ୍ଥ୍ୟ ବିଭାଗ ଉଦ୍ଭଟ ଯୁକ୍ତି ବାଢିଛି। କହୁଚି ଗୁଟ୍ଖା ବିକ୍ରି ଉପରେ ଚଢଉ ଚାଲିଛି। ଆଉ ରାଜ୍ୟରେ ଆଇନ୍କୁ କାର୍ଯ୍ୟକାରୀ କରାଯାଇଛି। ରାଜ୍ୟରେ ଗୁଟ୍ଖା ଉତ୍ପାଦନ ଓ ବିକ୍ରି ବନ୍ଦ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୨୦୧୩ ଜାନୁୟାରୀ ୩ ରେ ଆଇନ୍ ଆଣିଲେ। ବିଜ୍ଞପ୍ତି ଜରିଆରେ କହିଲେ ଗୁଟ୍ଖା, ପାନ ମସଲା ସମେତ ନିକୋଟିନ୍ ଥିବା କୌଣସି ଖାଦ୍ୟ ପଦାର୍ଥ ବିକ୍ରି ହେବନି। ଯଦି କିଏ ଏହି ଆଇନ୍ର ଖିଲାପ କରିବେ, ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଜରିମାନା ଆଦାୟ କରାଯିବ। ସତକୁ ସତ ଆଇନ୍ ଆସିବା ୧୦ ଦିନ ପର୍ଯ୍ୟନ୍ତ ଲୋକେ ଗୁଟ୍ଖା ବଜାରରେ ପାଇଲେନି। ହେଲେ କିଛିଦିନ ପରେ ସବୁ ଆଇନ୍ କାନୁନ୍ ମିଳେଇ ଗଲେ। ଖୁଲମ୍ଖୁଲା ଚାଲିଲା ଗୁଟ୍ଖା ବେପାର। ବେଆଇନ୍ ବେପାର ଉପରେ ନଜର ରଖିବା ଦାୟିତ୍ୱ ନେଇଥିବା ଫୁଡ୍ ସେଫ୍ଟି କମିଶନ ସେତେବେଳେ ଷ୍ଟାଫ୍ ଅଭାବର ବାହାନ ତ ଆଉ କେତେବେଳେ ପୁଲିସ୍ ପ୍ରଶାସନର ସହାୟତା ମିଳୁନଥିବା ଯୁକ୍ତି ଦର୍ଶାଇଛି। ମାତ୍ର କେମିତି ଆଇନ୍କୁ କଡାକଡି କରାଯିବ, ସେ ନେଇ ପଦକ୍ଷେପ ନେଇ ନାହାଁନ୍ତି। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଆଇନ୍ ଆସିଥିଲା ଏବେ, ତାହା ବାଟବଣା। ଗୋଟିଏ ପଟେ ସରକାର ଗୁଟ୍ଖା ଉତ୍ପାଦନ ଓ ବିକ୍ରି ଉପରେ ପାଇବାକୁ ଥିବା ୨୫୦ ରୁ ୩୦୦ କୋଟି ଟଙ୍କାର ବାର୍ଷିକ ଟିକସ ହରାଇଥିବାବେଳେ ଅନ୍ୟପଟେ ମୁଖ କର୍କଟ ରୋଗୀ ସଂଖ୍ୟା ବି ବଢି ଚାଲିଛି। ପୁଣି କ୍ୟାନସର ଚିକିତ୍ସା ପାଇଁ କ୍ୟାନସର ରୋଗୀଙ୍କୁ ମାଗଣାରେ କେମୋଥେରାପି ଦେଉଛନ୍ତି। ସେ ବାବଦରେ ମଧ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ଯାଉଛି। ଗ୍ଲୋବାଲ ଆଳରୁ ସର୍ଭେ ମୁତାବକ ଭାରତର ମୋଟ ଜନସଂଖ୍ୟାର ୩୫% ଲୋକେ ତମାଖୁ ଖାଉଥିବାବେଳେ ରାଜ୍ୟରେ ଏହା ୪୬% ରହିଛି। ଯାହା ଜାତୀୟ ହାରଠୁ ବି ଖୁବ୍ ବେଶି। ବର୍ଷକୁ ପାଖାପାଖି ୨୫ ଶହ ଲୋକେ ମୁଖ କର୍କଟରେ ମରୁଛନ୍ତି। ଆମ ରାଜ୍ୟରେ ବି ଏଇ ହାର ରହିଛି ୬୦ ରୁ ୭୦ ଭାଗ। ଏଚ୍ଆଇଭି ଆଉ ମ୍ୟାଲେରିଆ ରୋଗରେ ମିଶି ଯେତିକି ଲୋକେ ମରୁଛନ୍ତି, ତା ଠୁ ଅଧିକ ମରୁଛନ୍ତି ମୁଖ କର୍କଟରେ। ଭାରତୁକ ମୁଖ କର୍କଟରୁ ରାଜଧାନୀ କୁହାଯାଉଛି। ଯଦି ସମୟ ଆଡକୁ ଏ ଦିଗରେ ପଦକ୍ଷେପ ନିଆ ନଯିବ, ଏହା ଆହୁରି ଭୟଙ୍କର ରୂପ ନେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଗୁଟ୍ଖା ବେପାରୀମାନେ ମୁଖ୍ୟତଃ ଯୁବକଙ୍କୁ ଟାର୍ଗେଟ୍ କରୁଛନ୍ତି। ଆଇନ୍ ଆଣିବା ପରେ ସରକାର ଯଦି ଉତ୍ପାଦକ ଆଉ ବିକ୍ରି କରୁଥିବା ଲୋକଙ୍କ ଠୁ ଜରିମାନା ଆଦାୟ ଠିକ୍ ଭାବେ କରିଥାନ୍ତେ, ଆଜି ଏଭଳି ଅବସ୍ଥା ହୋଇନଥାନ୍ତା। ଲୋକେ ମଧ୍ୟ ଏ ଦିଗରେ ସଚେତନ ହେବା ଦରକାର।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top