ଓଡ଼ିଶା

ବୃହତ ଆନ୍ଦୋଳନ ପାଇଁ ସଜବାଜ ହେଲାଣି ଓଡିଶା କର୍ମଚାରୀ ସଂଗ୍ରାମ ସମିତି

ଭୁବନେଶ୍ୱର ୬-୨ (ଓଡ଼ିଆ ପୁଅ) ଓଡିଶା କର୍ମଚାରୀ ସଂଗ୍ରାମ ସମିତିର ଆହ୍ୱାନରେ ଚୁକ୍ତିଭିତ୍ତିକ ଓ ଆଉଟସୋର୍ସିଙ୍ଗ ନିଯୁକ୍ତି ଉଛେଦ ଦାବିରେ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ସମସ୍ତ ଜିଲ୍ଲା ତରଫରୁ ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟଠାରେ ବିଶାଳ ପ୍ରତିବାଦ ସଭାମାନ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିବାଦ ସଭା ସବୁ ଜିଲ୍ଲା ନେତୃମଣ୍ଡଳୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ସଭାରେ ବିଭିନ୍ନ ବିଭାଗରୁ ଅନ୍ୟୁନ 10, 000 ରୁ ଉର୍ଦ୍ଧ୍ବ ଠିକା, ଚୁକ୍ତିଭିତ୍ତିକ ଓ ଆଉଟସୋର୍ସିଙ୍ଗ କର୍ମଚାରୀ ଯୋଗଦେଇ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଅମାନୁଷିକତାର ପ୍ରତିବାଦ କରିବା ସହ ଅବିଳମ୍ବେ ଏହି ପ୍ରଥାକୁ ଉଛେଦ କରି ସ୍ଥାୟୀ ନିଯୁକ୍ତି ଦେବାପାଇଁ ଦାବି କରିଥିଲେ।
ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଅସ୍ଥାୟୀ ଓ ଠିକା କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି।ସେମାନଙ୍କ ଚାକିରୀ ସ୍ଥାୟୀ କରିବା ଦିଗରେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ନିୟମିତ କର୍ମଚାରୀଙ୍କ ଠାରୁ ଅଧିକ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ କର୍ମଚାରୀ ପାଉଥିବା ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଛି। ନିୟମିତ କର୍ମଚାରୀ ପାଉଥିବା ଦରମାର ଏକ ଦଶମାଂସ ମଧ୍ୟ ଏମାନଙ୍କୁ ଦିଆଯାଉ ନାହିଁ। ଭାରତ ଭଳି ଏକ ବୃହତ ଗଣତାନ୍ତ୍ରିକ ଏବଂ ଜନମଙ୍ଗଳକାରୀ ରାଷ୍ଟ୍ରର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ “ସମାନ କାମକୁ ସମାନ ଦରମା” ପ୍ରଦାନ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ ମଧ୍ୟ ରାଜ୍ୟ ସରକାର ଏହି ନିୟମକୁ ତିଳେମାତ୍ର ଭ୍ରୁକ୍ଷେପ କରୁନାହାନ୍ତି ବରଂ ଏଠି କ୍ରୀତଦାସ ପ୍ରଥାରେ ବେଠି ଖଟେଇ ପେଟକୁ ଦାନା ନଦେଇ କୋରଡା ପ୍ରହାର କରିବା ଭଳି ଘୋର ଅନ୍ୟାୟ ଓ ଅମାନୁଷିକ କାର୍ଯ୍ୟ କରୁଛନ୍ତି। ସରକାରଙ୍କ ଏହି ପକ୍ଷପାତିତା ନୀତିର ପ୍ରତିବାଦରେ ଓଡିଶା କର୍ମଚାରୀ ସଂଗ୍ରାମ ସମିତି ପକ୍ଷରୁ ଗତ ଡିସେମ୍ବର ୨୦ ଓ ୨୧ ତାରିଖରେ ଭୁବନେଶ୍ୱରସ୍ଥିତ ଗାନ୍ଧି ମାର୍ଗ ଠାରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏକ ବିଶାଳ ଗଣଧାରଣାର ଆୟୋଜନ କରାଯାଇଥିଲା। ତେବେ ଓଡ଼ିଶାର ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ଶଶୀଭୂଷଣ ବେହେରାଙ୍କ ଅନୁରୋଧକ୍ରମେ ଏହାକୁ ଏକ ମାସ ପାଇଁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ବିଡମ୍ବନାର ବିଷୟ ଏହି ଯେ ନିର୍ଦ୍ଧାରିତ ସମୟ ସୀମା ପୂରଣ ହୋଇଯାଇଥିଲେ ମଧ୍ୟ ସରକାର ଏଥିପ୍ରତି ସାମାନ୍ୟତମ ଆନ୍ତରିକତା ଦେଖାଇ ନାହାନ୍ତି।
ଏହି ସଭାରେ ଓଡିଶା କର୍ମଚାରୀ ସଂଗ୍ରାମ ସମିତିର ରାଜ୍ୟ ସଭାପତି ଶ୍ରୀ ମଧୁ ମଲ୍ଲିକ, ଢେଙ୍କାନାଳ ଜିଲ୍ଲା ଗ୍ରସ୍ତ କରି ଓ ରାଜ୍ୟ ମହାସଚିବ ଶ୍ରୀ ପ୍ରଭାତ ମହାନ୍ତି ଭିଡିଓ କଲିଙ୍ଗ୍ ସାହାଯ୍ୟରେ ସମସ୍ତ ଜିଲ୍ଲାକୁ ଉଦବୋଧନ ଦେଇଥିଲେ। ସେମାନେ ତାଙ୍କ ଅଭିଭାଷଣରେ ସରକାରଙ୍କ ଏହି ନୀତିକୁ କଠୋର ସମାଲୋଚନା କରିବା ସହ ଅବିଳମ୍ବେ ଏହି ପ୍ରଥାକୁ ଉଛେଦ ପାଇଁ ଦାବି କରିଥିଲେ। ଯଦି ଏ ପ୍ରଥାକୁ ହଟାଇବା ଦିଗରେ ସରକାର ତୁରନ୍ତ ପଦକ୍ଷେପ ନ ନିଅନ୍ତି, ଆଗାମୀ ଦିନରେ ଏହି ଗଣଧାରଣାକୁ ତୀଵ୍ର କରାଯିବ ଓ ଏହାର ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦେଇଥିଲେ। ଏଥିରେ ପ୍ରତ୍ୟେକ ଜିଲ୍ଲାର ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଓ ଚୁକ୍ତିଭିତ୍ତିକ/ଠିକାଭିତ୍ତିକ ସଭ୍ୟ ଓ ସଭ୍ୟା ତଥା ଅନ୍ୟ ନିମନ୍ତ୍ରିତ ଅତିଥିମାନେ ଯୋଗଦେଇ ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top