ବୃନ୍ଦାବନ କଳାକେନ୍ଦ୍ରରେ ଶୋକସଭା

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ମାଟିର ଯୋଗ୍ୟ ସନ୍ତାନ ତଥା ସଂଗୀତ ଜଗତର ଏକ ଉଜ୍ୱଳ ଜ୍ୟୋତିଷ୍କ ଗୁରୁ ରାମହରି ମହାନ୍ତିଙ୍କର ତିରୋଧାନରେ ବୃନ୍ଦାବନ କଳାକେନ୍ଦ୍ର ତା’ର ସଭାଗୃହରେ ନାଟ୍ୟକାର ନିର୍ମଳ ରାଉତଙ୍କ ଉପସ୍ଥିତିରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସଭାରେ ସଂଗୀତ ଗୁରୁ କେଶବ ଯେନା ସ୍ୱର୍ଗତ ରାମହରି ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅନୁଷ୍ଠାନର ସଂଗୀତ ପ୍ରଶିକ୍ଷକ ଗୁରୁ ସୁରେନ୍ଦ୍ର ଗାହାଣ ଅମରଆତ୍ମା ଉଦ୍ଦେଶ୍ୟରେ ଏକ ଶାସ୍ତ୍ରିୟ ସଂଗୀତ ଗାନ କରିଥିଲେ। ତାପରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ୱର୍ଗତ ମହାନ୍ତି ଦୀର୍ଘ ପଚାଶ ବର୍ଷରୁ ଉଦ୍ଧ୍ୱର୍କାଳ ସଂଗୀତ କ୍ଷେତ୍ରରେ ଏକ ଅନବଦ୍ୟ ଇତିହାସ ସୃଷ୍ଟି କରିଥିଲେ। ଭଦ୍ରକ ମ୍ୟୁଜିକ କଲେଜ ପ୍ରତିଷ୍ଠା କରି ବହୁ ପ୍ରତିଭାବାନ ସଂଗୀତଜ୍ଞ ସୃଷ୍ଟି କରିବାରେ ତାଙ୍କର ଅବଦାନ ଅତୁଳନୀୟ। ବହୁ ଉପାଦେୟ ସଂଗୀତ ପୁସ୍ତକ ମଧ୍ୟ ତାଙ୍କ ଦ୍ୱାରା ରଚୟିତ ଓ ଆଦୃତ ହୋଇଛି। ସ୍ୱର୍ଗତ ଗୁରୁ ଜଗବନ୍ଧୁ ସାହୁ, କ୍ଷିତିଶ ମୈତ୍ର ଓ ମଧୁ ଘୋଷଙ୍କ ଠାରୁ ସଂଗୀତ ଶିକ୍ଷା କରି ଭଦ୍ରକକୁ ସେ କର୍ମସ୍ଥଳୀ ଭାବରେ ଆଦରି ନେଇଥିଲେ। ଶୋକସଭାରେ ତବଲା ବାଦକ ଅନିରୁଦ୍ଧ ଜେନା ତଥା କଳାକେନ୍ଦ୍ର ଛାତ୍ରଛାତ୍ରୀ ଦୀପକ, ଚନ୍ଦ୍ରମଣି, ସରିତା, ଦିବ୍ୟଜ୍ୟୋତି, କସ୍ତୁରୀ, ଅନନ୍ୟା, ରୋଜାଲିନ ପ୍ରମୁଖ ସ୍ୱର୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *