ବୃଦ୍ଧି ପାଉଛି ବେଆଇନ ଇଟାଭାଟି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ନିର୍ଦ୍ଦେଶକୁ ପ୍ରଶାସନର ଅଣଦେଖା

ଭଦ୍ରକ, ୨୫/୫ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲାରେ ବେଆଇନ ଇଟାଭାଟି ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ତଥା ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରୀ ରହିଥିବାବେଳେ, ଏସମସ୍ତ ଇଟାଭାଟିରୁ ଉତ୍ପନ୍ନ ତାପମାତ୍ରା ପରିବେଶକୁ ଆହୁରି ଉତପ୍ତ କରୁଛି।  ପ୍ରଚଳିତ ନିତି ନିୟମକୁ ଉଲଂଘନ କରାଯାଇ ଇଟାଗଢ଼ା କାର୍ଯ୍ୟ ନଭେମ୍ବର ମାସରୁ ଆରମ୍ଭ ହୋଇ ମେ ଏପରିକି ଜୁନ ମାସ ପର୍ଯ୍ୟନ୍ତ ଚାଲୁ ରହିଛି। ଏକ୍ଷେତ୍ରରେ ପରିବେଶ ଆଇନକୁ ଖୋଲାଖୋଲି ଉଲଙ୍ଘନ କରାଯାଉଥିବା ଦେଖିବାକୁ ମିଳୁଛି। ସାଳନ୍ଦୀ, ବୈତରଣୀ ସମେତ ଜିଲ୍ଲାର ବିଭିନ୍ନ ଛୋଟଛୋଟ ନଦୀକୂଳରେ ଇଟା ନିର୍ମାଣ କରୁଛନ୍ତି। ଏପରିକି ଏହି ଇଟା ବେପାରୀମାନେ କେତେକ ସ୍ଥାନରେ ସରକାରୀ ଜମିକୁ ମଧ୍ୟ ଜବରଦଖଲ କରି ନିଜର ବ୍ୟବସାୟ ଚଳାଇଛନ୍ତି। ଜିଲ୍ଲା ତମାମ ଏପରି ବେଆଇନ ଇଟାଭାଟି ଗଢ଼ି ଉଠୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀମାନଙ୍କର ଏଥିପ୍ରତି ଦୃଷ୍ଟି ନଥିବା ଅଭିଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ପୌରାପାଳିକାର ୨୯ ନମ୍ବର କାଉନସିଲର ଅଶୋକ ମହାପାତ୍ର ରାଜ୍ୟ ପ୍ରଦୂଷଣ ବୋର୍ଡ଼ର ବାଲେଶ୍ୱରସ୍ଥିତ ଆଞ୍ଚଳିକ ଅଧିକାରୀଙ୍କୁ ନିର୍ଦ୍ଧିଷ୍ଟ ଅଭିଯୋଗ ପ୍ରଦାନ କରିଥିଲେ। ଶ୍ରୀ ମହାପାତ୍ର ନିଜ ଅଭିଯୋଗପତ୍ରରେ ଦର୍ଶାଇଛନ୍ତିଯେ ଏହି ୱାର୍ଡ଼ ମଧ୍ୟ ଦେଇ ସାଳନ୍ଦୀ ନଦୀ ପ୍ରବାହିତ। ସାଳନ୍ଦୀ କୂଳରେ ଦୀର୍ଘବର୍ଷ ହେବ କେତେକ ବ୍ୟବସାୟୀ ଇଟା ବ୍ୟବସାୟ ବେଆଇନ ଭାବରେ ଚଳାଇଛନ୍ତି। ବେଆଇନ ଇଟାଭାଟି ଦ୍ୱାରା ୨ଶହ ମିଟର ଦୂରରେ ଥିବା ବିଦ୍ୟାଳୟ ଓ ୧ଶହ ମିଟର ଦୂରରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରର ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଢ଼ୁଛି। ଏହା ବ୍ୟତୀତ ଏହି ବ୍ୟବସାୟରେ ବ୍ୟବହୃତ ଭାରିଯାନ ଚଳପ୍ରଚଳ ଦ୍ୱାରା ରାସ୍ତାଘାଟ ଖରାପ ହେଉଛି। ସର୍ବୋପରି ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଶ୍ରୀ ମହାପାତ୍ର ପ୍ରଦୂଷଣ ବୋର୍ଡ଼ର ଅଧିକାରୀଙ୍କୁ ଜଣାଇଥିଲେ। ବୋର୍ଡ଼ର ଆଞ୍ଚଳିକ ଅଧିକାରୀ ପତ୍ରାଙ୍କ ୪୮୪/୧୬.୩.୨୦୧୭ ମୂଳେ ଭଦ୍ରକ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ସହିତ ଏଗୁଡ଼ିକୁ ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ। ମାତ୍ର ଇତିମଧ୍ୟରେ ୨ମାସ ବିତିଯାଇଥିଲେ ମଧ୍ୟ ପ୍ରଶାସନ ସଂପୃକ୍ତ ବ୍ୟବସାୟୀଙ୍କ ବିରୁଦ୍ଧରେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଜିଲ୍ଲା ପ୍ରଶାସନ କାହା ଚାପରେ ବଶବର୍ତ୍ତୀ ହୋଇ ଏପରି ବେଆଇନ ବ୍ୟବସାୟକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ତେବେ କେବଳ ୨୯ ନମ୍ବର ୱାର୍ଡ଼ ନୁହେଁ, ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ର ସାହିବସ୍ତିରେ ଏପରି ବେଆଇନ ଇଟାଭାଟି ବଢ଼ି ଚାଲିଛି। ବେଆଇନ ଇଟାଭାଟି ବନ୍ଦ କରିବା ଦିଗରେ ରାଜସ୍ୱ ବିଭାଗର ଏକ ବିଶେଷ ଭୂମିକା ଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ନୀରବ ରହୁଛନ୍ତି। ଯାହାକି ଇଟା ବ୍ୟବସାୟୀଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି। ଏଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *