ବୁଲା ଗୋରୁଙ୍କ ଆଡ୍ଡା ପାଲଟିଛି ଜାତୀୟ ରାଜପଥ ; ବଢ଼ୁଛି ଦୁର୍ଘଟଣା, ମୃତ୍ୟୁ ମୁଖରେ ପଥଚାରୀ

ଯାଜପୁର-୨୧/୮(ଓଡିଆ ପୁଅ/ଏ.ରାଉତ) ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥ ଏବେ ମରଣଜନ୍ତାରେ ପରିଣତ ହୋଇଛି। ବହୁଦିନ ହେବ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଅଧପନ୍ତରୀଆ ହୋଇ ପଡି ରହିଥିବା ହେତୁ ଏଭଳି ସମସ୍ୟା ଉପୁଜୁଛି। ସେହିପରି ରାସ୍ତାରେ କଟକଣା ନଥିବାରୁ ତଥା ମୁକୁଳା ପଡିଥିବାରୁ ବୁଲା ଗୋରୁ ଗୁଡ଼ିକ ରାସ୍ତା ଉପରକୁ ଆସି ଅବରୋଧ କରି ରଖୁଛନ୍ତି। ଫଳରେ ଦ୍ରୁତ ଗତିରେ ଆସୁଥିବା ବିଭିନ୍ନ ଗାଡି ମୋଟର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଉଛି। ଏଥିରେ ବହୁ ଧନଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେଉନଥିବାରୁ ରାଜପଥ ସମ୍ପୂର୍ଣ୍ଣ ବିପଦ ସଂକୁଳ ଅବସ୍ଥା ଦେଇ ଗତି କରୁଛି। ପଥଚାରୀମାନେ ଯାତାୟତ କରୁଥିବା ବେଳେ ଭୟଭୀତ ହେବା ସହିତ ସୁରକ୍ଷିତ ମଣୁନାହାଁନ୍ତି। ଏ ଭଳି ଅବସ୍ଥା ଲାଗି ରହିଥିବାରୁ ଦୁର୍ଘଟଣାର ଆଶଙ୍କା ଦିନକୁ ଦିନ ବଢ଼ିବାକୁ ଲାଗିଛି। ଉକ୍ତ ରାସ୍ତାର ତୁରନ୍ତ ସଂପ୍ରସାରଣ କାର୍ଯ୍ୟ ଶେଷ କରି ଲୁହାବାଡ ଦେଲେ ବୁଲା ଗୋରୁଙ୍କ ଅବାଧ ପ୍ରବେଶ କମ୍ ହୋଇପାରିବ ବୋଲି ସ୍ଥାନୀୟ ଲୋକମାନେ ମତପୋଷଣ କରିଛନ୍ତି। ପ୍ରକାଶ ଥାଉକି ଅନେକ ରାଜପଥ ମଧ୍ୟରୁ ଏହା ଏକ ବ୍ୟସ୍ତ ବହୁଳ ଜାତୀୟ ରାଜପଥ ଭାବେ ମାନ୍ୟତା ଲାଭ କରିଛି। ଏହି ରାଜପଥ ଉପରେ ଓଡ଼ିଶା ରାଜ୍ୟର ରାଜକୋଷ ନିର୍ଭରଶୀଳ। ତେବେ ରାଜ୍ୟ ସରକାର ଏହି ରାଜପଥ ନିର୍ମାଣରେ କଣ ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ତାହା ସମସ୍ତଙ୍କୁ ବିସ୍ମିତ କରିଛି। ୨୦୧୪ ମସିହାରୁ ଚଣ୍ଡିଖୋଲ ଠାରୁ ଦୈତାରୀ ମାଇନ୍ସ ପର୍ଯ୍ୟନ୍ତ ଏହି ରାସ୍ତାର ସଂପ୍ରସାରଣ ନିମନ୍ତେ ଟେଣ୍ଡ୍ ହୋଇଥିଲା। ୮ ଶହ କୋଟି ଟଙ୍କା ବ୍ୟୟରେ ଏହି ନିର୍ମାଣ କାର୍ଯ୍ୟକୁ ଏକ ବିଦେଶୀ କମ୍ପାନୀ ଆଇସୋଲେସ୍ ଟେଣ୍ଡର ପାଇଥିଲା। ୨ବର୍ଷ କାର୍ଯ୍ୟ କରି ୨୦୧୭ ମସିହା ଆରମ୍ଭରେ ତାର କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ରାସ୍ତା ସଂପ୍ରସାରଣ କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ସେହି ଦିନ ଠାରୁ ସଂପ୍ରସାରଣ କାର୍ଯ୍ୟ ବନ୍ଦ ରହିଛି। ପୂର୍ବରୁ ରାସ୍ତା ସଂପ୍ରସାରଣ ନିମନ୍ତେ ମାଟି, ଗୋଡି ଓ ମହରମ ଠୁଳ କରି ରଖାଯାଇଥିଲା। ସେଗୁଡ଼ିକୁ ମେସିନ୍ ସାହାଯ୍ୟରେ ସମତଳ କରାନଯିବାରୁ ତାହା ବର୍ଷାରେ ରାସ୍ତାକୁ ଧସିବା ଫଳରେ ଜାତୀୟ ରାଜପଥ ସଂକୁଚିତ ହୋଇଯାଇଛି। ଏହି ଗୋଡି, ମାଟି ଓ ମହରମ ଗୁଡ଼ିକୁ ସମତଳ କରାଇଦେଲେ ରାସ୍ତାଟି ପ୍ରଶସ୍ତ ହୋଇପାରନ୍ତା। ଫଳରେ ଅନେକାଂଶରେ ଦୁର୍ଘଟଣା ରୋକାଯିବା ସହିତ ପଥଚାରୀମାନେ ଦୁର୍ଘଟଣାରୁ ମୁକୁଳି ପାରନ୍ତେ। ଚଳିତ ବର୍ଷ ଏହି ସମସ୍ୟା ହେତୁ ବହୁ ଦୁର୍ଘଟଣା ଘଟି ଚଣ୍ଡିଖୋଲରୁ କବାଟବନ୍ଧ ମଧ୍ୟରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହାତ ହୋଇଛନ୍ତି। ସଡ଼କ ସୁରକ୍ଷା ଆଇନ ଅନୁଯାୟୀ ଜେନାପୁର ପୋଲିସ୍ ଓ ଚଢ଼େଇଧରା ବିଟ୍ ହାଉସ୍ ପକ୍ଷରୁ ବହୁବାର ଦୁର୍ଘଟଣା ପ୍ରବଣ ଛକମାନଙ୍କରେ ସଚେତନତା କରାଉଥିଲେ ମଧ୍ୟ ଦୁର୍ଘଟଣା ରୋକିବାରେ ବିଫଳ ହୋଇଛନ୍ତି। ଏ ସଂପର୍କରେ ଜେନାପୁର ଥାନା ଅଧିକାରୀ ସୁଶାନ୍ତ ଦାସଙ୍କୁ ପଚାରିବାରୁ ଲୋକମାନେ ଅଦ୍ୟାବଧି ସଚେତନ ନୁହଁନ୍ତି। ବହୁବାର ହେଲ୍ମେଟ୍, ସିଟ୍ ବେଲ୍ଟ୍, ବିଭିନ୍ନ କାଗଜପତ୍ର ଓ ଗାଡି ଚଳାଇବା ବେଳେ ମୋବାଇଲ୍କୁ ବ୍ୟବହାର ନକରିବାକୁ ପରାମର୍ଶ ଦେଉଥିଲେ ମଧ୍ୟ ତାକୁ କେହି କାର୍ଯ୍ୟକାରୀ କରୁନାହାଁନ୍ତି। ଫଳରେ ଦୁର୍ଘଟଣା ବୃଦ୍ଧି ପାଉଛି। ବର୍ତ୍ତମାନ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବାରୁ ବିଭିନ୍ନ ଛକମାନଙ୍କରେ ଟ୍ରାଫିକ୍ ସମସ୍ୟା ଗୁରୁତର ହୋଇଛି। ସେହିପରି ଭାରିଯାନ ଯାତାୟତ କରୁଥିବାରୁ ଅନେକ ସ୍ଥାନରେ ବଡ ବଡ ଖାଲମାନ ସୃଷ୍ଟି ହୋଇଛି। ବର୍ଷା ଦିନ ହୋଇଥିବାରୁ ସେହି ଖାଲରେ ପାଣି ଜମି ରହୁଛି। ବାଇକ୍ ଓ ସାଇକେଲ୍ ଆରୋହୀମାନେ ରାତିରେ ଜାଣିନପାରି ଉକ୍ତ ଖାଲରେ ପଡି ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିପରି ଏବେ ଦୁର୍ଘଟଣାର ମୁଖ୍ୟ କାରଣ ବୁଲା ଗୋରୁ ପାଲଟିଛନ୍ତି। ଛକମାନଙ୍କରେ ଗାଈଗୋରୁ ଷେଣ୍ଢ ଆଦି ରାଜପଥ ଅବରୋଧ କରୁଥିବାରୁ ବହୁ ଗାଡି ଭାରସାମ୍ୟ ହରାଇ ଅନ୍ୟତ୍ର ଚାଲିଯାଉଛି। ଯାହାଦ୍ୱାରା ଦୁର୍ଘଟଣା ବଢ଼ୁଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ରାଜପଥ ସଂପ୍ରସାରଣ କାର୍ଯ୍ୟ ଶେଷ କରିବା ସହିତ ଟ୍ରାଫିକ୍ ସମସ୍ୟାକୁ ଗୁରୁତ୍ୱ ଦେଲେ ଦୁର୍ଘଟଣା ବହୁ ମାତ୍ରାରେ କମି ପାରିବ ବୋଲି ଶ୍ରୀ ଦାସ କହିଛନ୍ତି। ନଚେତ୍ ଏହିଭଳି ଦୁର୍ଘଟଣା ବଢ଼ି ଚାଲିଥିବ। ଏଥିରେ ବହୁ ଲୋକଙ୍କ ଧନଜୀବନ ନଷ୍ଟ ମଧ୍ୟ ହେଉଥିବ।

Leave a Reply

Your email address will not be published. Required fields are marked *