ବୀଣାପାଣି ନୋଡାଲ-ରମ୍ଭିଳା ଉଚ୍ଚ ବିଦ୍ୟାଳୟର ହୀରକ ଓ ରୌପ୍ୟ ଜୟନ୍ତୀ, ସ୍ୱାଧୀନୋତ୍ତର ଭାରତବର୍ଷରେ ଶିକ୍ଷାନୁଷ୍ଠାନର ସଂଖ୍ୟା ଓ ଭିତ୍ତିଭୂମିର ଅଗ୍ରଗତି ଘଟିଥିଲେ ବି ଗୁଣାତ୍ମକ ଶିକ୍ଷାର ଉନ୍ନତି ହୋଇପାରିନାହିଁ- କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍

ଭଦ୍ରକ, ୨୨ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ): ଭଦ୍ରକ ବ୍ଲକ୍ ରମ୍ଭିଳା ପଞ୍ଚାୟତ ଅଧୀନସ୍ଥ ରମ୍ଭିଳା ବିଦ୍ୟାଳୟ ସମୂହ ପରିସରରେ ମିଳିତ ଭାବେ ଆୟୋଜିତ ବୀଣାପାଣି ନୋଡାଲର ହୀରକ ଜୟନ୍ତୀ ଓ ରମ୍ଭିଳା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହର ଦ୍ୱିତୀୟ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷାନୁଷ୍ଠାନର ସଂଖ୍ୟା ଓ ଭିତ୍ତିଭୂମିର ଅଗ୍ରଗତି ଘଟିଥିଲେ ମଧ୍ୟ ସେହି ପରିମାଣରେ ଗୁଣାତ୍ମକ ଶିକ୍ଷାର ଉନ୍ନତି ହୋଇପାରିନାହିଁ ବୋଲି କହିଛନ୍ତି। ପ୍ରାକ୍ ସ୍ୱାଧୀନତା ଓ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଲୋକଙ୍କ ସହଭାଗିତାରେ ବହୁ ଶିକ୍ଷାନୁଷ୍ଠାନ ଗଢି ଉଠିଥିଲେ ମଧ୍ୟ ବର୍ତ୍ତମାନ ଏଥିରେ ବହୁମାତ୍ରାରେ ଅଭାବ ପରିଲକ୍ଷିତ ହେଉଛି ବୋଲି ସେ କହିଥିଲେ। ଏହି ଅବସରରେ ମନ୍ତ୍ରୀଙ୍କ ନିକଟରେ ବିଦ୍ୟାଳୟ ପକ୍ଷରୁ କେତେକ ଦାବି ଉପସ୍ଥାପନା କରାଯାଇଥିବାବେଳେ ସେ ସେଗୁଡିକ ପୂରଣ ଦିଗରେ ପ୍ରତିଶ୍ରୁତି ଦେଇଥିଲେ। ଏବଂ ଏହାର ଦାୟିତ୍ୱ ମଂଚାସୀନ ଭାଜପ୍ ନେତା ତୁଷାରକାନ୍ତି ଜେନାଙ୍କୁ ପ୍ରଦାନ କରିଥିଲେ। ଏହି ଉତ୍ସବରେ ଭାଜ୍ପାର ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାନୁଷ୍ଠାନ ଏକ ମଣିଷ ତିଆରି ଅନୁଷ୍ଠାନ ହୋଇଥିବାରୁ କେବଳ ମେଧାବୀ ବିଦ୍ୟାର୍ଥୀ ସୃଷ୍ଟି କରିବା ଏହାର ଏକମାତ୍ର କାମ୍ୟ ନହୋଇ ଭଲମଣିଷ ତିଆରି କରାଯିବା ପାଇଁ ପରାମର୍ଶ ଦେଇଥିଲେ। ଏବଂ ଏଥିନିମନ୍ତେ ଗୁରୁ, ପିତାମାତା ଓ ବିଦ୍ୟାର୍ଥୀମାନଙ୍କର ଉତ୍ତରଦାୟିତ୍ୱ ରହୁଥିବାର କହି ଗୁରୁ, ମା’ ଓ ମାତୃଭୂମିର ଋଣ କେହି ସୁଝିପାରିବେ ନାହିଁ ବୋଲି ସୂଚାଇ ବିଦ୍ୟାର୍ଥୀମାନେ ଏଥିପ୍ରତି ଯତ୍ନବାନ ହେବାକୁ କହିଥିଲେ। ଅଧ୍ୟାପକ ଡା. ମନିନ୍ଦ୍ର ଦୀକ୍ଷିତ୍ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଜିର ଦିନରେ ଗୁରୁଶିଷ୍ୟର ପବିତ୍ର ସଂପର୍କରେ ଅବକ୍ଷୟ ଘଟିଥିବାରୁ ସମାଜରେ ଅପସଂସ୍କୃତି ବୃଦ୍ଧି ପାଉଥିବାରୁ ଏଥିପ୍ରତି ସମସ୍ତେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ତୁଷାର କାନ୍ତି ଜେନା ଯୋଗଦେଇ ଏହି ଅନୁଷ୍ଠାନର ଯାହା ଆବଶ୍ୟକତା ପଡିବ, ତାହା ବିନା ଦ୍ୱିଧାରେ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ରମ୍ଭିଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଦ୍ୱୟର ପ୍ରତିଷ୍ଠା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରେଣ୍ୟ ବ୍ୟକ୍ତିବିଶେଷ ଓ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂସଦ ସଭାପତି ପ୍ରଦୀପ କୁମାର ବାରିକ, ସ୍ଥାନୀୟ ସରପଞ୍ଚ ମମତା ସିଂ, ସମିତି ସଭ୍ୟ କାଳନ୍ଦୀ ସିଂ, ଅକ୍ଷୟ ସାହୁ, ମନସ୍ମିତା ଖୁଣ୍ଟିଆ, ମାନସ ମିଶ୍ର ପ୍ରମୁଖ ଯୋଗଦେଇଥିବାବେଳେ ବୀଣାପାଣି ନୋଡାଲର ପ୍ରଧାନ ଶିକ୍ଷକ ରାଜକିଶୋର ଦାସ ସଭା ସଂଚାଳନ ଓ ଅତିଥି ପରିଚୟ ଦେଇଥିଲେ। ସହକାରୀ ଶିକ୍ଷକ କୃଷ୍ଣଚନ୍ଦ୍ର ସେନାପତି ସ୍ୱାଗତ ସମ୍ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *