ବି.ଏଡ୍ ଶିକ୍ଷକଙ୍କ ସହ ମନ୍ତ୍ରୀଙ୍କ ଆଲୋଚନା ବିଫଳ

– ଟି.ଜି.ଟି. ଦରମା ଓ ବିଷୟଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବି ସମ୍ପର୍କିତ ପୂର୍ଣ୍ଣାଙ୍ଗ ଆଲୋଚନା ପାଇଁ ଖୁବ୍ ଶୀଘ୍ର ଡକାଇବେ ମନ୍ତ୍ରୀ
– ୧୭ ସେପ୍ଟେମ୍ବରରେ ଲୋୟର ପି.ଏମ୍.ଜିରେ ୬୦ ହଜାର ବି.ଏଡ୍ ଶିକ୍ଷକଙ୍କର ହେବ ମହାସମାବେଶ
ଭୁବନେଶ୍ୱର, ତା ୧୨ା୯ (ଓଡ଼ିଆ ପୁଅ) : ୭ ଦଫା ଦାବି ନେଇ ମହାତ୍ମା ଗାନ୍ଧୀମାର୍ଗରେ ଓଡ଼ିଶା ସରକାରଙ୍କ ଦ୍ୱାରା ବିଭିନ୍ନ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ବି.ଏଡ୍ ଶିକ୍ଷକଙ୍କ ଧାରଣା ଆଜି ଦ୍ୱିତୀୟ ଦିବସରେ ପହଞ୍ଚିଛି। ସରକାରଙ୍କ ତରଫରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସଂଘ ସହିତ ଆଲୋଚନା ପାଇଁ ଡକାଇଥିଲେ। ଅପରାହ୍ନ ଘ.୧.୩୦ମିନିଟ୍ ସମୟରେ ମନ୍ତ୍ରୀଙ୍କ ସଚିବାଳୟସ୍ଥିତ ପ୍ରକୋଷ୍ଠରେ ମିଳିତ ବି.ଏଡ୍ ଶିକ୍ଷକ ମହାସଂଘ, ଓଡ଼ିଶା ତରଫରୁ ଲକ୍ଷ୍ମଣ କୁମାର ମହାନ୍ତି, ଅଜୟ କୁମାର ଧଳ, ସନ୍ତୋଷ କୁମାର ପ୍ରଧାନ, ଦେବେନ୍ଦ୍ର କୁମାର ନାୟକ, ଦୁର୍ଯେ୍ୟାଧନ ଦାସ, ରଂଜନ ମହାନ୍ତି, ନରେଶ ନାୟକ, ଅକ୍ଷୟ ମିଶ୍ର, ସୁଧୀର ପ୍ରଧାନ ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ଦଳ ମନ୍ତ୍ରୀଙ୍କ ସହ ଆାଲୋଚନା କରିଥିଲେ। ମାତ୍ର ମନ୍ତ୍ରୀ ଖୁବ୍ଶୀଘ୍ର ପୁନଃ ଏକ ଆଲୋଚନାକୁ ଡାକି ସଂଘର ନ୍ୟାର୍ଯ୍ୟ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଖୁବଶୀଘ୍ର ମହାସଂଘ ସହିତ ଆଲୋଚନା ପାଇଁ ଦିନଧାର୍ଯ୍ୟ କରିବା ସହ ସଫଳ ଆଲୋଚନା ନହେଲେ ଭବିଷ୍ୟତରେ ଏକ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ମହାସଂଘ ଚେତାବନି ଦେଇଛି। ଆଜିର ଆଲୋଚନା ବିଫଳ ହୋଇଥିବାରୁ ମହାସଂଘ ଧାରାଣା କାର୍ଯ୍ୟକ୍ରମ ପୂର୍ବବତ୍ ଚାଲୁ ରଖିବା ପାଇଁ ନିଷ୍ପତ୍ତି ନେବା ସହ ଆସନ୍ତା ୧୭ ସେପ୍ଟେମ୍ବରରେ ଏକ ମହାସମାବେଶ କରିବା ପାଇଁ ସିଦ୍ଧାନ୍ତ ହୋଇଛି। ଏଥିରେ ବହୁ ସଂଖ୍ୟାରେ ଉଚ୍ଚ ପ୍ରାଥମିକ ବି.ଏଡ୍ ଶିକ୍ଷକ ଯୋଗଦେବା ପାଇଁ ମହାସଂଘ ତରଫରୁ ନିବେଦନ କରାଯାଇଛି। ମହାସଂଘ ତରଫରୁ ପ୍ରମୁଖ ଦାବିଗୁଡ଼ିକ ହେଲା –

(୧) ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବି.ଏଡ୍ ଭିତ୍ତିରେ ନିଯୁକ୍ତ ଶିକ୍ଷକମାନଙ୍କ ପଦବୀକୁ ମାଟି୍ରକ୍ ସିଟିରୁ ଅପ୍ଗ୍ରେଡ୍ କରାଯାଇ ନିଯୁକ୍ତି ଦିଆଯାଇଥିବା ଟି.ଜି. ଶିକ୍ଷକ ପଦବୀ ଲେବଲ୍-୩ରେ ନିଯୁକ୍ତ କରିବା ସହ ବିଷୟଭିତ୍ତିକ ଶିକ୍ଷକ ଭାବରେ ଘୋଷଣା କରିବା ଏବଂ ସେହି ଅନୁସାରେ ଅବିକଳ କେନ୍ଦ୍ରୀୟ ହାରରେ ୭ମ ବେତନ କମିଶନଙ୍କ ସୁପାରିଶ ଆଧାରରେ ଦରମା ପ୍ରଦାନ।

(୨) ତା ୧.୦୭.୨୦୧୪ ମସିହାର ସଂଶୋଧିତ କ୍ୟାଡର ରୁଲ୍କୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ସହ ଟି.ଜି. ପଦବୀରେ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିଯୁକ୍ତି ଦିନଠାରୁ ଲେବୁଲ୍-୩ ପଦବୀରେ ଅବସ୍ଥାପିତ କରି ସେହି ଅନୁସାରେ ଦରମା ପ୍ରଦାନ।

(୩) ଉଚ୍ଚ ଯୋଗ୍ୟତାଧାରୀ ଶିକ୍ଷକମାନଙ୍କୁ ଉଚ୍ଚବିଦ୍ୟାଳୟ ଏବଂ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ପଦୋନ୍ନତି ଭିତ୍ତିରେ ନିଯୁକ୍ତି ପ୍ରଦାନର ବ୍ୟବସ୍ଥା କରିବା।

(୪) ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଏବଂ କନିଷ୍ଠ ଶିକ୍ଷକମାନଙ୍କୁ ୬ ବର୍ଷର କାର୍ଯ୍ୟ ସମୟ ଅବଧିକୁ ଉଚ୍ଛେଦ କରି ମୂଳ ଚାକିରୀକାଳରେ ଗଣନା କରିବା ସହ ବାର୍ଷିକ ଗୋଟିଏ ଇନକ୍ରିମେଣ୍ଟ ପ୍ରଦାନ କରି ନିୟମିତ କରିବା ଏବଂ କେନ୍ଦ୍ର ସରକାରଙ୍କ ସୁପାରିଶକୃତ ୨୦୧୮ ମସିହା ଏ.ଡବ୍ଲ୍ୟୁ ଆଣ୍ଡ ପି.ଏ.ବି. ଆଧାରରେ ସର୍ବନିମ୍ନ ୧୬, ୭୦୦ ଟଙ୍କା ହିସାବରେ ଦରମା ପ୍ରଦାନ କରାଯାଉ।

(୫) ୨୦୦୫ ମସିହା ପରଠାରୁ ନିଯୁକ୍ତ ସମସ୍ତ ଶିକ୍ଷକଙ୍କୁ ନୂତନ ପେନ୍ସନ୍ ପରିବର୍ତ୍ତେ ପୁରାତନ ପେନ୍ସନ୍ ବ୍ୟବସ୍ଥା ଲାଗୁ କରାଯାଉ।

(୬) ପ୍ରାଥମିକ କ୍ୟାଡର ରୁଲ୍ ଶତକଡ଼ା ୧୦୦ ପ୍ରତିଶତ ବି.ଇ.ଓ. ପଦ, ୫୦ ପ୍ରତିଶତ ଏ.ଡି.ଇ.ଓ. ଏବଂ ଡି.ଇ.ଓ. ୫୦ ପ୍ରତିଶତ ଡେପୁଟି ଡାଇରେକ୍ଟର ପଦକୁ ସଂରକ୍ଷଣ କରାଯାଇ ସେହି ଅନୁସାରେ ପଦୋନ୍ନତି ପ୍ରଦାନ କରାଯିବା

(୭) ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ / କନିଷ୍ଠ ଶିକ୍ଷକ ମାନଙ୍କୁ ଅସମୟରେ ମୃତ୍ୟୁ ଘଟିଲେ ମୃତ୍ୟୁକାଳୀନ ସହାୟତା ରାଶି ୨ ଲକ୍ଷଟଙ୍କାରୁ ବୃଦ୍ଧି କରି ୧୦ ଲକ୍ଷ ଟଙ୍କା କରାଯାଉ ଏବଂ ଆନ୍ତଃ ଜିଲ୍ଲା ସ୍ତରରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ବଦଳି ନୀତିକୁ ସରଳୀକରଣ କରାଯାଉ।

ଗୋଟିଏ ଜନମଙ୍ଗଳ ରାଷ୍ଟ୍ରରେ କାର୍ଯ୍ୟ କରୁଥିବା ସରକାର ସମସ୍ତ କର୍ମଚାରୀମାନଙ୍କ ପ୍ରତି ଧ୍ୟାନ ଦେଉଥିବା ସମୟରେ ଚୁକ୍ତିଭିତ୍ତିରେ ନିଯୁକ୍ତ ଶିକ୍ଷକମାନଙ୍କୁ ଅଣଦେଖା କରିବା ତଥା ସମସ୍ତଙ୍କୁ ୭ମ ବେତନ ଦେଇ ଖୁସି କରୁଥିବାବେଳେ ମାତ୍ର ୬୫୧୨ଟଙ୍କାରେ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କ ପ୍ରତି ଆଖି ବୁଜିଦେଇଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ଆଜିର ଧାରଣାସ୍ଥଳରେ ଉପସ୍ଥିତ ଶିକ୍ଷକ ନେତା ଲକ୍ଷ୍ମଣ କୁମାର ମହାନ୍ତି, ସନ୍ତୋଷ କୁମାର ପ୍ରଧାନ, ଅଜୟ କୁମାର ଧଳ, ଦେବେନ୍ଦ୍ର କୁମାର ନାୟକ, ସରୋଜ କୁମାର ପଣ୍ଡା, ରଞ୍ଜନ କୁମାର ମହାନ୍ତି, ମୁରଲୀଧର ନାୟକ, ଉମେଶ ଚନ୍ଦ୍ର ନାୟକ, ଗୁରୁପ୍ରସାଦ ଦାସ, ଦୁର୍ଯେ୍ୟାଧନ ଦାସ, ସଚିକାନ୍ତ ମିଶ୍ର, ନୃସିଂହ ଚରଣ ସାହୁ, ରତିକାନ୍ତ ଦାସ, ସୁଧିର କୁମାର ପ୍ରଧାନ, ରୂପେଶ କୁମାର ସାହୁ, ଲଲାଟେନ୍ଦୁ ମହଲ, ପ୍ରଦ୍ୟୁମ୍ନ ବାରିକ, ଅଜୟ ବିଶ୍ୱାଳ, ଅମୂଲ୍ୟ ଲେଙ୍କା, ରମଣୀରଂଜନ ନାୟକ, ଅମରେନ୍ଦ୍ର ଜେନା, ଅର୍ଚ୍ଚନା ଜେନା, ପୂର୍ଣ୍ଣଚନ୍ଦ୍ର ଖଟୁଆ, ସନ୍ତୋଷ ଦାସ, ସନ୍ତୋଷ କୁମାର ମିଶ୍ର ପ୍ରମୁଖ ସରକାରଙ୍କୁ ଏ ଦିଗରେ ତୁରନ୍ତ ଘୋଷଣା କରି ଗୁଣାତ୍ମକ ଶିକ୍ଷାର ବିକାଶ ତଥା ପ୍ରସାର କରିବା ନିମନ୍ତେ ଦାବି ଉପସ୍ଥାପନ କରିଛନ୍ତି।

Leave a Reply

Your email address will not be published. Required fields are marked *