ବିସ୍ଥାପିତ ସଂଘର ଶୋଭାଯାତ୍ରା: ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

କୋରାପୁଟ; ତା୨୮-୦୨-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଅବିଭକ୍ତ କୋରାପୁଟ ଜିଲାର ବିସ୍ଥାପୀତ ମାନଙ୍କ ସମସ୍ୟାର ସମାଧାନ ପାଇଁ ଲୋକ ଶକ୍ତି ଅଭିଯାନ ଓ କୋରାପୁଟ ଜନ ସୁରକ୍ଷା ସଂଘ(କେଜେଏସଏସ) ଏବଂ ହାଲ ବିସ୍ଥାପୀତ ସଂଘ ମିଳିତ ଭାବେ ବୁଧବାର ଏକ ବିରାଟ ଶୋଭାଯାତ୍ରା କରିବା ସହ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଲୋକ ଶକ୍ତି ଅଭିଯାନର ଆବାହକ ପ୍ରଫୁଲ ସାମନ୍ତରା, କେଜେଏସଏସ ସଭାପତି ଦାସି ନନ୍ଦିବଲି, ହାଲ ବିସ୍ଥାପୀତ ସଂଘ ସଭାପତି ତ୍ରିଲୋଚନ ମୁଦୁଲିଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରା ସ୍ଥାନୀୟ ନିଶାଣୀ ମୁଣ୍ଡାରୁ ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳ ଅଫିସ ସମୁଖରେ ଏକ ବୈଠକ କରିଥିଲେ। ଅବିଭକ୍ତ କୋରାପୁଟ ଜିଲାରେ ପ୍ରତିଷ୍ଠିତ, ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ(ହାଲ), ନାଲକୋ ଏବଂ ଅପର କୋଲାବ, ଇନ୍ଦ୍ରାବତୀ, ମାଛକୁଣ୍ଡ, ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପ ସମେତ ତେଲେଙ୍ଗିରି ଜଳ ସେଚନ ପ୍ରକଳ୍ପ ଦ୍ୱାରା ବିସ୍ଥାପୀତ ହୋଇଥିବା ସହଶ୍ର ଗ୍ରାମର ଶତାଧିକ ଲୋକ ଜମି ହରାଇ ବିସ୍ଥାପୀତ ହୋଇଛନ୍ତି। ଗତ ୫୦ବର୍ଷ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ସରକାର ଅବିଭକ୍ତ କୋରାପୁଟ ଜିଲାର ହଜାର ହଜାର ପରିବାରକୁ ବିସ୍ଥାପୀତ କରିଛନ୍ତି। ଲୋକେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ନିଜ ଭିଟା ମାଟି, ଚାଷ ଜମି ଛାଡିଛନ୍ତି କିନ୍ତୁ ସରକାର ଏଯାଏ ସେମାନଙ୍କ ସମସ୍ୟା ଦୂର କରିବାରେ ସଫଳ ହୋଇ ନାହାନ୍ତି ବୋଲି ଲୋକ ଶକ୍ତି ଅଭିଯାନର ଆବାହକ ବକ୍ତବ୍ୟ ରଖିଥିଲେ। ବିସ୍ଥାପୀତ ଗ୍ରାମବାସୀ ଆଜି ମଧ୍ୟ ସରକାରଙ୍କ ଦ୍ୱାରା ଶୋଷିତ ହେଉଥିବା ଦର୍ଶାଇ ଜମିହରା ହକ୍ ଆଦାୟ ପାଇଁ ଆନ୍ଦୋଳନ କଲେ ମିଥ୍ୟା ମାମଲାରେ ଛନ୍ଦି ଆଦିବାସୀଙ୍କୁ ଜେଲ ପଠାଉଥିବା ସେ ଅଭିଯୋଗ କରିଥିଲେ। କେବଳ ଜମିହରା ନୁହଁନ୍ତି ଅବିଭକ୍ତ କୋରାପୁଟ ଜିଲାରେ ଦଳିତ ଓ ଆଦିାସୀ ସବୁ କ୍ଷେତ୍ରରେ ଶୋଷିତ ହେଉଛନ୍ତି ଅଥଚ ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି ବୋଲି ହାଲ ବିସ୍ଥାପୀତ ସଂଘ ସଭାପତି ତ୍ରିଲୋଚନ ମୁଦୁଲି ଅଭିଯୋଗ କରିଥିଲେ। ମିଗ୍ କାରଖାନା ନିମନ୍ତେ ଅଧୀଗ୍ରହଣ କରା ଯାଇଥିବା ଜମିର ଏକ ବୃହତ ଭାଗ ଏବେ ମଧୟ ବ୍ୟବହାର ନହୋଇ ପଡି ରହିଛି, ବ୍ୟବହାର କରା ଯାଉନଥିବା ଜମିକୁ ମୂଳ ମାଲିକକୁ ଫେରାଇବାର ନୟମ ଥିଲେ ମଧ୍ୟ ହାଲ କର୍ତୂପକ୍ଷ କିମ୍ବା ରାଜ୍ୟ ସରକାର ତାହା କରୁ ନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ। ପ୍ରଫେସର ମନୋରଂଜନ ମହାନ୍ତି, ଡଃ.ବିଦ୍ୟୁତ ମହାନ୍ତି ଓ ଲିଙ୍ଗରାଜ ଉପସ୍ଥିତ ରହି ବିସ୍ଥାପୀତ ମାନଙ୍କ ଅଭିଯୋଗ ଶୁଣିବାରେ ସରକାରଙ୍କ ଉଦାସୀନତା ଏବଂ ବିସ୍ଥାପୀତଙ୍କ ପ୍ରତି ହୋଇଥିବା ଅନ୍ୟାୟର ତୀବ୍ର ସମାଲୋଚନା କରିଥିଲେ। ସେହିପରି ରାଜ୍ୟ ସରକାର ଖଣି ଖନନ ପାଇଁ ଅନୁମତି ଦେଇଥିବା ମାଳି ପର୍ବତ, କୋଡିଂଗାମାଳି, ଚିନାମାଟି ଖନନକୁ ବିରୋଦ୍ଧ କରିଥିବାବେଳେ କେନ୍ଦ୍ରୀୟ ଯବାନଙ୍କ ଦ୍ୱାରା ଗଣଦୁଷ୍କର୍ମ ଶିକାର ହୋଇ ଆତ୍ମହତ୍ୟା କରିଥିବା କୁନ୍ଦୁଲି ପୀଡିତାକୁ ନ୍ୟାୟ ଦେବା ନିମନ୍ତେ ଦାବି କରା ଯାଇଛି।

Leave a Reply

Your email address will not be published. Required fields are marked *