ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ

ତାଳଚେର, ୧୨/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ସ୍ୱେଚ୍ଛାସେବୀ ସଙ୍ଗଠନ ସୋସିଆଲ୍ ଡେଭେଲପ୍ମେଂଟ୍ ଫାଉଣ୍ଡେସନ୍, ବନ୍ତୋଲ ଗ୍ରାମ ପଂଚାୟତ ଏବଂ ଜିଲ୍ଲା ଶ୍ରମ ବିଭାଗ ତାଳଚେରର ମିଳିତ ଆନୁକୂଲ୍ୟରେ ବନ୍ତୋଲ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ-୨୦୧୮ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିତ୍ୟାନନ୍ଦ ସାହୁ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବାସହ ଶିଶୁ ଶ୍ରମିକ ଉପରେ ଆଲୋକପାତ କରିଥିଲେ। ସେହିପରି ଅନ୍ୟତମ ଅତିଥିଭାବେ ଜିଲ୍ଲା ଶ୍ରମ ଅଧିକାରିଣୀ ଇତିଶ୍ରୀ ଗାଗରାଇ ଶିଶୁ ଶ୍ରମିକ ଆଇନ୍, ନିର୍ମାଣ ଶ୍ରମିକ ନିମନ୍ତେ ସୁବିଧା ସୁଯୋଗ ଉପରେ ଅଂଶଗ୍ରହଣକାରୀଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ। ବନ୍ତୋଲ ସରପଂଚ ଅବନୀ କୁମାର ଦେହୁରୀ ଶିଶୁ ଶ୍ରମିକମାନଙ୍କୁ କିପରି ଥଇଥାନ କରାଯିବା ତଥା ସେମାନଙ୍କୁ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟ, ପୃଷ୍ଟି ମିଳିପାରିବ ତାହା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ବିଜୁ କନ୍ୟା ରତ୍ନ ଯୋଜନା ବ୍ଲକ ଟାକ୍ସଫୋର୍ସ କମିଟିର ସଦସ୍ୟା ସେଫାଳୀ ବଳ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସର୍ବଭାରତୀୟସ୍ତରରେ ଯୁବ ପିଢ଼ୀ ପାଇଁ ଆଦର୍ଶ ଏବଂ ସାମାଜିକ କୁସଂସ୍କାର ତଥା ମାସିକ ଋତୁସ୍ରାବ ଉପରେ ତଥ୍ୟ ଉପସ୍ଥାପନ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ନାଲ୍କୋ ଅଂଚଳର ଗୀତାଞ୍ଜଳୀ ମାରାଣ୍ଡିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଶିଷ ସାମଲ, ମହାଦେବ ଦାସ, ରାକେଶ କୁମାର ସାମଲ, ବାଦଲ ପଟ୍ଟନାୟକ ଓ ସୁରେନ୍ କୁମାର ଗଡ଼ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମ୍ପାଦକ ବୁଦ୍ଧଦେବ ଦାସ ଅତିଥି ପରିଚୟ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ।

 

Leave a Reply

Your email address will not be published. Required fields are marked *