ବିଶ୍ୱ ଜନସଂଖ୍ୟା ଦିବସ ପ୍ରହସନ : ଲୋକସଂଖ୍ୟା ବୃଦ୍ଧିରେ ସୃଷ୍ଟି ହେଉଛି ସମସ୍ୟା

ରାଉରକେଲା ୧୩-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଜୁଲାଇ ୧୧ରେ ସାରା ବିଶ୍ୱରେ ପାଳିତ ହୋଇଯାଇଛି ବିଶ୍ୱ ଜନସଂଖ୍ୟା ଦିବସ। ଗତ ୧୯୮୯ ମସିହାରୁ ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସ ଜୁଲାଇ ୧୧ରେ ବିଶ୍ୱବ୍ୟାପୀ ପାଳିତ ହୋଇ ଆସୁଛି। ଚଳିତ ବର୍ଷ ‘ପରିବାର ନିୟୋଜନ ଏକ ମାନବିକ ଅଧିକାର’ ସ୍ଲୋଗାନକୁ ଆଧାର କରି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଇ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟ ରଖାଯାଇଛି। ବର୍ତମାନ ବର୍ଦ୍ଦିତ ଜନସଂଖ୍ୟା ଅନେକ ସମସ୍ୟାକୁ ସୃଷ୍ଟି କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାରତ ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ଭାବେ ସାରା ବିଶ୍ୱରେ ପରିଚିତ ହୋଇଛି। ଗତ ୨୦୧୧ ଜନଗଣନା ଅନୁଯାୟୀ ବିଶ୍ୱର ସମୁଦାୟ ମୋଟ ଜନସଂଖ୍ୟା ୭ ବିଲିୟନ ପହଂଚି ସାରିଥିବା ବେଳେ, ବର୍ତମାନ ଭାରତର ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଲାଗି ବିଶ୍ୱ ସମେତ ଭାରତରେ ଥିବା ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅନେକ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ ଲାଗି ପ୍ରୟାସ ଜାରି ରହିଛି। ଜନସଂଖ୍ୟା ବୃଦ୍ଧିର କାରଣ ଗୁଡ଼ିକ ମଧ୍ୟରେ ଦାରିଦ୍ରତା, ନିରକ୍ଷରତା, ଶିଶୁ ମୃତ୍ୟୁହାର ହ୍ରାସ, କମ ବୟସରେ ବିବାହ ଆଦିକୁ ଦାୟୀ କରାଯାଇପାରେ। ଆଧୁନିକ ଯୁଗରେ ଚିକିତ୍ସା ପଦ୍ଧତିରେ ଯଥେଷ୍ଟ ଉନ୍ନତି ହେବା ସଙ୍ଗେ ଅନେକ ବୈଷୟିକ ଜ୍ଞାନ କୌଶଳ ବିକଶିତ ହେବା କାରଣରୁ ମୃତ୍ୟୁହାର କମ ହୋଇଛି। ଅପରପକ୍ଷରେ ଜନ୍ମ ନିୟନ୍ତ୍ରଣରେ ଏତେଟା ସୁଧାର ହୋଇ ପାରିନାହିଁ, ଯାହା ଦ୍ରୁତ ଜନସଂଖ୍ୟା ବୃଦ୍ଧିରେ ସହାୟକ ହେଉଛି। ଜନସଂଖ୍ୟା ବୃଦ୍ଧି ଯୋଗୁ ସୃଷ୍ଟି ହେଉଛି ଅନେକ ସମସ୍ୟା। ବେରୋଜଗାରି, ଖାଦ୍ୟର ଅଭାବ, ଶିଶୁ ଶ୍ରମିକ ସମସ୍ୟା, ଟ୍ରାଫିକ ସମସ୍ୟା ଆଦି ଲୋକସଂଖ୍ୟା ବୃଦ୍ଧି ଯୋଗୁ ସୃଷ୍ଟି ହେଉଛି। ଜନସଂଖ୍ୟା ବୃଦ୍ଧିର ପ୍ରଭାବ ପୁରୁଷ ଓ ନାରୀର ଅନୁପାତ ଉପରେ ସିଧାସଳଖ ପଡୁଛି। ଭାରତର ଜନସଂଖ୍ୟା ପ୍ରତିକ୍ଷଣରେ ବଢି ଚାଲିଥିବା ବେଳେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ମଧ୍ୟ ସେହି ଅନୁପାତରେ ଜନସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ସହରର ଜନସଂଖ୍ୟା ଗୋଟିକ ପଟେ ବଢିଚାଲିଥିବା ବେଳେ, ବାସସ୍ଥାନର ଅଭାବ, ସହରରେ ବେକାରୀ ସମସ୍ୟା, ଶିଶୁ ଶ୍ରମିକ ସମସ୍ୟା ଆଦିରୁ ତ୍ରାହୀ ମିଳିପାରୁନଥିବା ବୁଦ୍ଦିଜିବୀ ମହଲରେ ମତ ପ୍ରକାଶ ପାଇଛି। ସହରର ଲୋକସଂଖ୍ୟା ବୃଦ୍ଧି ଆଳରେ ବଢିବାରେ ଲାଗିଛି ଯାନବାହାନର ସଂଖ୍ୟା। ଫଳସ୍ୱରୂପ ସଡ଼କ ଦୁର୍ଘଟଣାର ହାରରେ ମଧ୍ୟ ପ୍ରତିବର୍ଷ ବୃଦ୍ଧି ଘଟିଛି।

Leave a Reply

Your email address will not be published. Required fields are marked *