ବିଶ୍ୱନାଥ ମହାଦେବ ମନ୍ଦିରରେ ଶିବ ବିବାହ ଓ ଶୀତଳଷଷ୍ଠୀ ଉତ୍ସବ ଉପଲକ୍ଷେ ସମ୍ବର୍ଦ୍ଧନା ସଭା

ଭୁବନେଶ୍ୱର, ୧୯.୬ (ଓଡ଼ିଆ ପୁଅ) : ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ଡ଼ିଷ୍ଟ୍ରିକ୍ଟ ସେଣ୍ଟରଠାରେ ଥିବା ହିନ୍ଦୁ ଦେବୋତ୍ତର ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଶ୍ୱନାଥ ମହାଦେବ ମନ୍ଦିରରେ ଦୀର୍ଘ ୯ବର୍ଷ ଧରି ଶିବ ବିବାହ ଓ ଶୀତଳଷଷ୍ଠୀ ଉତ୍ସବ ପାଳିତ ହୋଇ ଆସୁଅଛି। ଚଳିତବର୍ଷ ମଧ୍ୟ ଶିବ ବିବାହ ଓ ଶୀତଳଷଷ୍ଠୀ ଉତ୍ସବ ଗତ ସନ୍ଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଏକ ସମ୍ବର୍ଦ୍ଧନା ସଭା ଓ ଭଜନ ସମାରୋହର ଆୟୋଜନ କରାଯାଇଥିଲା। ବିଶ୍ୱନାଥ ମହାଦେବ ମନ୍ଦିରର ପ୍ରତିଷ୍ଠାତା ବିଶ୍ୱନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ଅଲେଖ ଚନ୍ଦ୍ର ସାହୁ ମୁଖ୍ୟଅତିଥି ରୂପେ ଯୋଗଦେଇ ଯୋଗଗୁରୁ ବୀରବଲ୍ଲଭ ବିଶ୍ୱାଳ, ଶ୍ରୀଜଗନ୍ନାଥ ପରିଷଦର ମହାସଚିବ ଦେବେନ୍ଦ୍ର କୁମାର ଦାସ, ଉପସଭାପତି ରବିନାରାୟଣ ମିଶ୍ର, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ବସନ୍ତ କୁମାର ଜେନା, ଡଃ ଭାଗ୍ୟଧର ଭୋଇଙ୍କୁ ପୁଷ୍ପଗୁଚ୍ଛ ଓ ଉପାୟନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରିଥିଲେ। ଚନ୍ଦ୍ରଶେଖରପୁର ଅଞ୍ଚଳର ସାଧାରଣ ଜନଜୀବନକୁ ପ୍ରେରଣାର ଉତ୍ସ ଯୋଗାଇ ଆସୁଥିବା ଜଣେ ବିହାରୀ ଭାଇଙ୍କୁ ମଧ୍ୟ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ରେବତୀ ସ, ଶ୍ରୀଧର ଦାସ, ପ୍ରଭାସ ରଞ୍ଜନ ଦାସ, ଦାଶରଥୀ ମଙ୍ଗରାଜ, ଆଲୋକ ଚନ୍ଦ୍ର ପାଢୀ ଓ ଅନ୍ତର୍ଯ୍ୟାମୀ ମିଶ୍ର ପ୍ରମୁଖ ସହାୟତା କରିଥିଲେ। ଧାର୍ମିକ ଅନୁଷ୍ଠାନରେ ଧର୍ମ ରୂପକ ଆକାଉଣ୍ଟ ଖାତା ଖୋଲିବା ପାଇଁ ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀ ମହାନ୍ତି ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *