ବିଳାସପୁରରେ ନୂଆ ଏମ୍ସ ପ୍ରତିଷ୍ଠାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ ୩/୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏସୱାଇ) ଅଧୀନରେ ହିମାଚଳ ପ୍ରଦେଶର ବିଳାସପୁରଠାରେ ଏକ ନୂଆ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପ୍ରତିଷ୍ଠା କରାଯିବ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପ ଲାଗି ୧୩୫୧ କୋଟି ଟଙ୍କା ବ୍ୟୟ କରାଯିବ।

ପ୍ରମୁଖ ବିଶେଷତ୍ୱ :

ଏହି ନୂଆ ଏମ୍ସ ସମ୍ପୂର୍ଣ୍ଣ ହେବା ଲାଗି ୪୮ ମାସ ସମୟ ଲାଗିବ। ନିର୍ମାଣ ପୂର୍ବବର୍ତ୍ତୀ ୧୨ ମାସ, ନିର୍ମାଣ ପାଇଁ ୩୦ ମାସ ଏବଂ କାର୍ଯ୍ୟକ୍ଷମ ହେବା ପାଇଁ ୬ ମାସ ଲାଗିବ।

ଏହି ସଂସ୍ଥାନରେ ୭୫୦ ଶଯ୍ୟା ବିଶିଷ୍ଟ ଏକ ହସପିଟାଲ ଏବଂ ଟ୍ରମା କେନ୍ଦ୍ର ସୁବିଧା ରହିବ।

ଏଥିରେ ବାର୍ଷିକ ୧୦୦ ଜଣ ଏମବିବିଏସ ଛାତ୍ର ନାମ ଲେଖାଇପାରିବେ।

ସେହିପରି ବର୍ଷକୁ ୬୦ ବିଏସସି ନର୍ସିଂ ଛାତ୍ରୀଙ୍କ ପଢ଼ିବା ପାଇଁ ଏକ ନର୍ସିଂ କଲେଜ ମଧ୍ୟ ରହିବ।

ଆବାସିକ କମ୍ପ୍ଲେକ୍ସ ଏବଂ ଆନୁସଙ୍ଗିକ ସୁବିଧା/ସେବା ନୂଆଦିଲ୍ଲୀ ଏମ୍ସ ଡାଂଚାରେ ନିର୍ମାଣ କରାଯିବ।

ହସପିଟାଲରେ ୨୦ଟି ସ୍ପେଶାଲିଟି/ସୁପର-ସ୍ପେଶାଲିଟି ବିଭାଗ ସହିତ ୧୫ଟି ଅପରେସନ ଥିଏଟର ରହିବ।

ଏହା ମଧ୍ୟରେ ଏକ ୩୦ ଶଯ୍ୟା ବିଶିଷ୍ଟ ଏକ ଆୟୁଷ ବିଭାଗ ମଧ୍ୟ ରହିବ ଯେଉଁଥିରେ ପାରମ୍ପରିକ ପଦ୍ଧତିରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।

ପ୍ରଭାବ :

ନୂଆ ଏମ୍ସ ପ୍ରତିଷ୍ଠା ଦ୍ୱାରା ସ୍ଥାନୀୟ ଅଂଚଳର ଲୋକମାନଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଉପଲବ୍ଧ ହେବା ସହିତ ଅଧିକ ସଂଖ୍ୟାରେ ତାଲିମପ୍ରାପ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସୃଷ୍ଟି ହୋଇପାରିବେ। ଏମାନେ ସ୍ଥାନୀୟ ଅଂଚଳରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅଧୀନରେ ପ୍ରାଥମିକ ଏବଂ ମାଧ୍ୟମିକସ୍ତରର ଡାକ୍ତରଖାନା ପାଇଁ ଉପଲବ୍ଧ ହୋଇପାରିବେ।

ସୂଚନାଯୋଗ୍ୟ ଯେ ଏହି ଯୋଜନା ଅଧୀନରେ ଭୁବନେଶ୍ୱର, ଭୋପାଳ, ରାୟପୁର, ଯୋଦ୍ଧପୁର, ହୃଷିକେଶ ଏବଂ ପାଟନାରେ ଏମ୍ସ ପ୍ରତିଷ୍ଠା ହୋଇସାରିଛି। ରାଏବରେଲୀ ଏମ୍ସ ନିର୍ମାଣ କାମ ବର୍ତମାନ ଜାରି ରହିଛି। ସେହିପରି ନାଗପୁର, ପଶ୍ଚିମବଙ୍ଗର କଲ୍ୟାଣୀ ଏବଂ ଆନ୍ଧ୍ରପ୍ରଦେଶର ଗୁଂଟୁରସ୍ଥିତ ମଙ୍ଗଳଗିରିରେ ଏମ୍ସ ପ୍ରତିଷ୍ଠାକୁ ମଞ୍ଜୁରି ମିଳିଛି।

Leave a Reply

Your email address will not be published. Required fields are marked *