ଜିଲ୍ଲା ପରିକ୍ରମା

ବିଲଣାରେ ଧାମନଗର ନିର୍ବାଚନ ମଣ୍ଡଳୀ ବିଜେଡି ନେତୃ ମଣ୍ଡଳୀଙ୍କ ବୈଠକ, ବ୍ଲକ ଅଧ୍ୟକ୍ଷଙ୍କୁ ତୁରନ୍ତ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)- ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀ ବିଜେଡି ରାଜନୀତିରେ ଏବେ ସୃଷ୍ଟି ହୋଇଛି କମ୍ପନ। ଧାମନଗର ବିଜେଡି କର୍ମକର୍ତ୍ତା ଓ ନେତୃମଣ୍ଡଳୀ ତିହିଡି ବ୍ଲକ ଅଧ୍ୟକ୍ଷାଙ୍କ ପଞ୍ଚାୟତ ବିଲଣାରେ ଏକତ୍ରିତ ହୋଇ ଦଳ ବିରୋଧୀ କାର୍ଯ୍ୟ ପାଇଁ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରିବା ଲାଗଇ ବିଜେଡି ସୁପ୍ରିମୋଙ୍କୁ ପତ୍ର ଲେଖିଛନ୍ତି। ଅଧ୍ୟକ୍ଷ ଅଶୋକ ନାୟକଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଗତ କରାଯାଇଛି ସେଥିରୁ ବଡ ଅଭିଯୋଗ ହେଉଛି, ସେ ବିଜେପି ସହ ମିଶି ଧାମନଗର ବ୍ଲକରେ ରାଜନୀତି କରୁଛନ୍ତି। ପୂର୍ବତନ ବିଧାୟକ ତଥା ବିଜେଡି ଜିଲା ଉପସଭାପତି ବିଜୟ ନାୟକ, ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା, ତିହିଡି ବ୍ଲକ ବିଜେଡି ସଭାପତି ରଘୁନାଥ ଲେଙ୍କା, ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜିଲା ସଂଯୋଜକ ଅଜୟ କୁମାର ନାୟକ, ଭାନୁପ୍ରତାପ ପଲେଇ, ଚିନ୍ତାମଣି ଦାସ, କମଳାକାନ୍ତ ଭୋଇ, ପ୍ରଦୀପ ପଣ୍ଡା, ନାରାୟଣଚନ୍ଦ୍ର ସାହୁ, ପ୍ରଦୀପ କୁମାର ମଲିକ, ଶରତ ଚନ୍ଦ୍ର ମହାନ୍ତି ପ୍ରମୁଖ ଶତାଧିକ ନେତା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅଭିଯୋଗପତ୍ର ପଠାଇଛନ୍ତି। ଏହି ଅଭିଯୋଗପତ୍ରରେ ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳ ବିରୋଧରେ ଯାଇ ବିଜେପିର ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀଙ୍କ ସହିତ ବଣଭୋଜି କରିବା ଓ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ଛିଡା କରାଇବା ଘଟଣାରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ସମିତି ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଜିଲା କମିଟି, ବ୍ଲକ କମିଟି ଓ ବିଧାୟକଙ୍କ ବିନା ପରାମର୍ଶରେ ପୁନଶ୍ଚ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପରେ ମୁଖ୍ୟମନ୍ତ୍ରୀଙ୍କର ଏହି ନିର୍ଦେଶକୁ ସମ୍ମାନ ଜଣାଇ ବିଜେଡି ସମର୍ଥନରେ ଜିତିଥିବା ସମିତିସଭ୍ୟମାନେ ଶ୍ରୀ ନାୟକଙ୍କୁ ଅଧ୍ୟକ୍ଷ ପଦ ପାଇଁ ସମର୍ଥନ ଜଣାଇଥିଲେ। ତେବେ ଏହି ନିଲମ୍ବନ ପ୍ରତ୍ୟାହାର ଆଦେଶକୁ ଅସମ୍ମାନ କରି ବିଜେପି ସମର୍ଥôତ ସମିତିସଭ୍ୟଙ୍କ ସହ ମେଣ୍ଟ କରି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ସେବେଠାରୁ ବିଜୟ ଉତ୍ସବ, ଇଦ ମୁବାରକ ପର୍ବ, ହୋଲି ପର୍ବ, ବିଜେପି ଜିଲା, ରାଜ୍ୟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ମାରିବା, ଧୂଷୁରୀ ଥାନା ଘେରାଉରେ ବିଜେପି ସହ ସାମିଲ ହେବା ସରକାରଙ୍କ ବିରୋଧରେ ବୟାନବାଜି କରିବା ଆଦି କାର୍ଯ୍ୟରେ ସେ ନିଜକୁ ସଂପୃକ୍ତ ରଖି ଦଳୀୟ ବିଶୃଙ୍ଖଳା କରିଛନ୍ତି। ସେହିପରି ବିଡିଓ ଓ ଅନ୍ୟ କର୍ମଚାରୀଙ୍କୁ କୋଠରୀ ମଧ୍ୟରେ ଆବଦ୍ଧ କରି ଗାଳିଗୁଲଜ କରିବା ଓ ଧମକଚମକ ଦେବା ସହ ବ୍ଲକ କାମ ୫୦ ଭାଗ ନିୟମରେ ଓ ୫୦ ଭାଗ ବେନିୟମରେ ଚାଲେ ବୋଲି ଅଧ୍ୟକ୍ଷ ଅଶୋକ ନାୟକ କହୁଛନ୍ତି। ଶ୍ରୀ ନାୟକଙ୍କ ଏତାଦୃଶ କାର୍ଯ୍ୟ ବିରୋଧରେ ଭଦ୍ରକ ଜିଲା ଓଏଏସ ସଂଘ ଓ ଅମଲା ସଂଘ ପ୍ରତିବାଦ ସ୍ୱରୂପ ଶ୍ରୀ ନାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ଓ ଏସପିଙ୍କୁ ଚରମବାଣୀ ଶୁଣାଇଛନ୍ତି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି। ସେହିପରି ଦଳ ପକ୍ଷରୁ କେତେକ ନିର୍ଦ୍ଦିଷ୍ଟ ଅଭିଯୋଗ ମଧ୍ୟ ଆଗତ କରାଯାଇଛି। ତେଣୁ ଶ୍ରୀ ନାୟକଙ୍କ ଏତାଦୃଶ ଦଳ ବିରୋଧୀ କାର୍ଯ୍ୟକୁ ଅଧିକ ସମୟ ଓ ସୁଯୋଗ ନଦେଇ ତୁରନ୍ତ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଦଳର ସାଂଗଠନିକ ସ୍ଥିତି ମଜଭୁତ ହେବ ବୋଲି କୁହାଯାଇଛି। ଏ ସଂପର୍କରେ ପ୍ରତିକ୍ରିୟା ନେବା ପାଇଁ ଅଧ୍ୟକ୍ଷ ଅଶୋକ ନାୟକଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ବିଜେଡିରେ ଅଛନ୍ତି ଓ ଜନସାଧାରଣ ତାଙ୍କ ନିକଟରେ ଅଛି ବୋଲି କହିଛନ୍ତି। ତାଙ୍କୁ ନିଲମ୍ବନ କରିବା ଓ ପରେ ତାହାକୁ ପ୍ରତ୍ୟାହାର କରିବା ତାଙ୍କ ଲୋକପ୍ରିୟତାର ମାପକାଠି ଓ ତାଙ୍କ ବିରୋଧରେ ସମସ୍ତ ଆରୋପ କେବଳ ଭିତ୍ତିହୀନ ନୁହେଁ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ଦୁର୍ନୀତି କରି ଅନ୍ୟମାନେ ନିଜର ସଂପତ୍ତିକୁ ଦ୍ୱିଗୁଣିତ କରିଥିବ ବେଳେ ସେ ସ୍ୱଚ୍ଛ ଅଛନ୍ତି ଏବଂ ରହିବେ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top