ବିରାଟ ଇଲାକା ଜାବୁଡି ଧରିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପ୍ରସ୍ତାବରେ ରହିଯାଇଛି ସାବରଙ୍ଗ ଓ କେନ୍ଦୁଆପଦାରେ ଥାନା ପ୍ରତିଷ୍ଠା

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ସାବରଙ୍ଗ ଓ କେନ୍ଦୁଆପଦା ପୁଲିସ ଫାଣ୍ଡିକୁ ଥାନାକୁ ଉନ୍ନୀତ କରିବା ଲାଗି ୪ ବର୍ଷ ହେଲା ପ୍ରଶାସନିକ ସ୍ତରରେ ଥିବା ପ୍ରସ୍ତାବ କେବଳ ପ୍ରସ୍ତାବରେ ରହିଯାଇଛି। ଭୌଗଳିକ ଦୃଷ୍ଟିକୋଣ, ଆୟତନ, ଅପରାଧ ଆଦି ବିଚାରକୁ ନେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନାର ପରିସୀମାକୁ ହ୍ରାସ କରିବାର ଆବଶ୍ୟକତା ରହିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନରେ ଏବେ ୩୭ଟି ପଞ୍ଚାୟତର ୧୯୮ଟି ଗାଁ। ପାଖାପାଖି ୩ ଲକ୍ଷ ଲୋକଙ୍କ ଧନଜୀବନର ସୁରକ୍ଷା ଲାଗି ଏକମାତ୍ର ଭଦ୍ରକ ଗ୍ରାମାଞ୍ଚଳ ଥାନା କାମ କରୁଛି। ସହର ଉପକଣ୍ଠସ୍ଥ ଗେଲପୁରଠାରୁ ଆରମ୍ଭ କରି ଜାତୀୟ ରାଜପଥର ଚରମ୍ପା ପରି ଅଞ୍ଚଳ ଏହି ଥାନା ଅଧୀନରେ ଆସୁଛି। ଅନୁରୂପ ଭାବେ ବନ୍ତ ବ୍ଲକର ଗଣିଜାଙ୍ଗଠାରୁ ଆରମ୍ଭ କରି ଏପଟେ କେନ୍ଦୁଆପଦା ପୁଣି ବାସୁଦେବପୁର ଭଦ୍ରକ ରାସ୍ତାର ସାବରଙ୍ଗ ଯାଏ ଗ୍ରାମାଞ୍ଚଳ ଥାନାର ଇଲାକା। ବିରାଟକାୟ ଇଲାକାର ଆଇନଶୃଙ୍ଖଳା ପରିସ୍ଥିତି ଲାଗି ପ୍ରତିଷ୍ଠା ହୋଇଥିବା ଗ୍ରାମାଞ୍ଚଳ ଥାନାର ପରିସୀମାକୁ ସଂକୁଚିତ କରି ଅତିରିକ୍ତ ଭାବେ ଦୁଇଟି ଥାନା ପ୍ରତିଷ୍ଠାର ଆବଶ୍ୟକତାକୁ ୪ ବର୍ଷ ତଳୁ ଅନୁଭବ କରିଥିଲା ଜିଲା ପୁଲିସ ପ୍ରଶାସନ। ଏଥିପାଇଁ ଥାନା ଅଧୀନରେ ଥିବା ସାବରଙ୍ଗ ଫାଣ୍ଡି ଓ କେନ୍ଦୁଆପଦା ଫାଣ୍ଡିକୁ ଥାନାକୁ ଉନ୍ନୀତ କରିବା ଲାଗି ୨୦୧୪ ଅଗଷ୍ଟ ମାସରେ ଘରୋଇ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରସ୍ତାବିତ ଦୁଇଟି ଥାନା ଅଧୀନରେ ୧୫ଟି ପଞ୍ଚାୟତର ୭୫ଟି ଗାଁକୁ ରଖିବାକୁ ନିଷ୍ପତି ହୋଇଥିଲା। ପ୍ରସ୍ତାବତ ସାବରଙ୍ଗ ଥାନା ଅଧୀନରେ ସାବରଙ୍ଗ, ସାହାଡା, କେଦାରପୁର, ବରହମପୁର, ଚଣ୍ଡୀଗାଁ, ବଣିଆ, ଏରଡା ଆଦି ୭ ପଞ୍ଚାୟତ ରଖିବାକୁ ପ୍ରସ୍ତାବ ରହିଥିଲା। ସାବରଙ୍ଗ ଫାଣ୍ଡିରୁ ଗ୍ରାମାଞ୍ଚଳ ଥାନାର ଦୂରତା ୧୫ କିମି ହୋଇଥିବାରୁ ସାବରଙ୍ଗ ନିକଟବର୍ତ୍ତୀ ୭ଟି ପଞ୍ଚାୟତକୁ ନେଇ ନୂତନ ଥାନା ସ୍ଥାପନର ପ୍ରସ୍ତାବ ଦିଆଯାଇଥିଲା। ଏହି ଥାନା ଅଧୀନରେ ୩୬ଟି ଗାଁ ରହିବାର ଅଛି। ଅନ୍ୟୁନ ୫୦ ହଜାର ଲୋକ ଥାନା ଇଲାକାରେ ରହିବେ ବୋଲି ଆକଳନ କରାଯାଇଥିଲା। ସେହିଭଳି ପ୍ରସ୍ତାବିତ କେନ୍ଦୁଆପଦା ଥାନା ଅଧୀନରେ ଆଖପାଖର ୮ଟି ପଞ୍ଚାୟତକୁ ରଖିବାର ନିଷ୍ପତି ନିଆଯାଇଥିଲା। ଏହା ସମ୍ଭବ ହେଲେ ସେଠାକାର ଲୋକଙ୍କୁ ଆଉ ଥାନାରେ ପହଞ୍ଚିବା ଲାଗି ୨୦ କିମି ବାଟ ଅତିକ୍ରମ କରିବାକୁ ପଡି ନଥାନ୍ତା। ଏଠାରେ ଉଲ୍ଲେଖନୀୟ ଯେ, ଏକ ବିରାଟ ଅଞ୍ଚଳକୁ ଜାବୁଡି ଧରିଥିବା ଗ୍ରାମାଞ୍ଚଳ ଥାନାରେ ଅପରାଧିକ ମାମଲା ସଂଖ୍ୟା ମଧ୍ୟ ବଢି ଚାଲିଛି। ଗତ ୨୦୧୭ ବର୍ଷରେ ୭ ଶହରୁ ଅଧିକ ମାମଲା ରୁଜୁ ହୋଇଛି। ଆପୋସ ସମାଧାନକୁ ଯଦି ହିସବାକୁ ନିଆଯିବ, ତେବେ ଏହି ସଂଖ୍ୟା ୧୫୦୦ ଟିଯିବ ବୋଲି କୁହାଯାଉଛି। ଏଣୁ ଦୈନିକ ହାରାହାରି ୫ଟି ମାମଲା ଥାନାରେ ପହଞ୍ଚୁଛି। ଯାହାକୁ ବୁଝି ତଦନ୍ତ କରିବା କାଠିକର ପାଠ ବୋଲି ଜଣେ ପୁଳିସ ଅଧିକାରୀ କହିଛନ୍ତି। ସେହିଭଳି ବିରାଟ ଅଞ୍ଚଳର ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା, କୋଇଲା ଚୋରି, ରାହାଜାନି ଆଦି ଅପରାଧକୁ ରୋକିବା ମଧ୍ୟ କଷ୍ଟସାଧ୍ୟ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି। ତେବେ ବର୍ତ୍ତମାନର ପୁଲିସ ବ୍ୟବସ୍ଥାକୁ ଜନପ୍ରିୟ କରିବାକୁ ଯୋଜନା ପରେ ଯୋଜନା ହେଉଥିବା ବେଳେ ଥାନା ପ୍ରତିଷ୍ଠା ଭଳି ବାସ୍ତବ ଦିଗକୁ ଅଣଦେଖା କରାଯିବା ସମିଚୀନ ନୁହେଁ ବୋଲି କହିଛନ୍ତି ଆଇନଜୀବୀ ଚିନ୍ମୟ ସ୍ୱାଇଁ। ସରକାର ତଥା ଘରୋଇ ବିଭାଗ ଏ ଦିଗରେ ବିହୀତ ପଦକ୍ଷେପ ନେବା ଜରୁରି ହେଲାଣି ବୋଳି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *