ଓଡ଼ିଶା

ବିମାନ ଚଳାଚଳ ପାଇଁ ଝାରସୁଗୁଡ଼ା ବିମାନବନ୍ଦର ପ୍ରସ୍ତୁତ : ଅପେକ୍ଷା ଉଦ୍ଘାଟନର

ସମ୍ବଲପୁର, ୯/୯ (ଓଡ଼ିଆ ପୁଅ) – ଝାରସୁଗୁଡ଼ା ଠାରେ ଆଧୁନିକୀକରଣ ହୋଇଥିବା ନୂଆ ବିମାନବନ୍ଦରରୁ ଆଗାମୀ ୨୨ ତାରିଖ ସୁଦ୍ଧା ବାଣିଜ୍ୟିକ ବିମାନ ଚଳାଚଳ ବିଧିବଦ୍ଧ ଭାବେ ଶୁଭାରମ୍ଭ ହେବ। ଏହି ବିମାନବନ୍ଦରକୁ ସେହିଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଏହି ଏୟାରପୋର୍ଟକୁ ୪-ସି ଲାଇାସେନ୍ସ ପ୍ରଦାନ କରିଛନ୍ତି। ଯଦ୍ୱାରା ଏଠାରୁ ବି-୭୬୭ ଏବଂ ଏ-୩୨୦ ଭଳି ବୃହତ ବିମାନ ଚଳାଚଳ କରିପାରିବ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ଗତ ମଇ ୫ ତାରିଖ ଦିନ ଝାରସୁଗୁଡ଼ା ଏୟାରପୋର୍ଟକୁ ରାଜ୍ୟର ଦ୍ୱିତୀୟ ବିମାନବନ୍ଦର ଭାବେ ଲାଇସେନ୍ସ ପ୍ରଦାନ କରିଥିଲେ। ୧୯୪୨ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହା ଏକ ସମ୍ପୂର୍ଣ୍ଣ ବିମାନବନ୍ଦର ରୂପେ ବିକଶିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଆଉ ଆଗକୁ ବଢ଼ି ନପାରି କେବଳ ଭିଭିଆଇପିଙ୍କ ଯାଆସ ପାଇଁ ସାମୟିକ ଭାବେ ସ୍ଥିତି ବଜାୟ ରଖିଥିଲା। ୯୦୯ ଏକଡ଼ ୨୨ ଡ଼ିସିମିଲ ଜମିରେ ନିର୍ମିତ ଏହି ବିମାନବନ୍ଦର ପାଇଁ ୧୭୫ କୋଟି ଟଙ୍କା ବ୍ୟୟ କରାଯାଇଛି। ଏଥିରୁ ରାଜ୍ୟ ସରକାର ୫୦ କୋଟି ଟଙ୍କା ବହନ କରିଛନ୍ତି। ଇତିମଧ୍ୟରେ ପ୍ରାଧିକରଣର ଅଧ୍ୟକ୍ଷ ଡ. ଗୁରୁପ୍ରସାଦ ମହାପାତ୍ର ଝାରସୁଗୁଡ଼ା ଆସି ନୂଆ ବିମାନବନ୍ଦରର ପ୍ରଥମ ନିର୍ଦ୍ଦେଶକ ଏସ୍.ସି.ଚୌହାନଙ୍କ ସହ ଚୂଡ଼ାନ୍ତ ଅନୁଧ୍ୟାନ କରିଛନ୍ତି। ଏହି ବିମାନବନ୍ଦର ଭବିଷ୍ୟତରେ ଦେଶର ଏକନମ୍ବର ବିମାନବନ୍ଦରରେ ପରିଣତ ହୋଇପାରିବ ବୋଲି ଡ. ମହାପାତ୍ର ଆଶା କରିଛନ୍ତି। ସେହିଭଳି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଇତିମଧ୍ୟରେ ଏହି ବିମାନବନ୍ଦର ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏସପିଜିର ଆଇଜି ଏବଂ ସମ୍ବଲପୁର ଡିଆଇଜି ଝାରସୁଗୁଡ଼ା ଆସି ଜିଲ୍ଲା ପ୍ରଶାସନ ଓ ପୋଲିସ ଅଧିକାରୀଙ୍କ ସହିତ ଗତ ଶୁକ୍ରବାର ଆଲୋଚନା କରିଥିଲେ।

ଝାରସୁଗୁଡ଼ା ବିମାନ ବନ୍ଦରକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପୂର୍ଣ୍ଣ ବିମାନବନ୍ଦରର ମାନ୍ୟତା ଦେବା ପରେ ଏଠାରୁ ବିମାନ ଉଡ଼ାଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଡ଼ାଣ ଯୋଜନାରେ ଝାରସୁଗୁଡ଼ା ବିମାନ ଉଡ଼ାଣ ପାଇଁ ଏୟାର ଓଡ଼ିଶା ବିଡ଼ିଂ ପାଇଛି। ଝାରସୁଗୁଡ଼ାରୁ ଭୁବନେଶ୍ୱର, ଝାରସୁଗୁଡ଼ାରୁ ରାୟପୁର ଏବଂ ଝାରସୁଗୁଡ଼ାରୁ ରାଞ୍ଚିକୁ ବିମାନ ଉଡ଼ାଣ ଆରମ୍ଭ ହେବ। ଏଥିପାଇଁ ଗୋଟିଏ ୧୮ ସିଟର ଦୁଇ ଇଞ୍ଜିନ ବିଶିଷ୍ଟ ବିମାନ ବ୍ୟବହାର ହେବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, ସ୍ୱାଧୀନତା ପ୍ରାପ୍ତିର ବହୁ ଆଗରୁ ତତ୍କାଳୀନ ସମ୍ବଲପୁର ଜିଲ୍ଲାର ଝାରସୁଗୁଡ଼ା ଏବଂ ସମ୍ବଲପୁର ଠାରେ ଦୁଇଟି ବିମାନ ବନ୍ଦର ଥିଲା। ଝାରସୁଗୁଡ଼ା ବିମାନବନ୍ଦର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରମୁଖ ସ୍ଥାନ ଅଧିକାର କରିଥିଲା। ପ୍ରାୟ ୫୦୦ ଏକଡ଼ ଜମିରେ ଗଢ଼ିଉଠିଥିବା ଏହି ଏୟାରପୋର୍ଟରେ ଦୈନନ୍ଦିନ ବିମାନ ଚଳାଚଳ ପାଇଁ ହ୍ୟାଙ୍ଗର, ପାଣିପାଗ ଓ ପବନ ପର୍ଯ୍ୟବେକ୍ଷଣ ଯନ୍ତ୍ର ତଥା ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ରହିଥିଲା। ହେଲେ ଦେଶ ସ୍ୱାଧୀନ ହେବା ଉତ୍ତାରୁ ଏହି କାର୍ଯ୍ୟକ୍ଷମ ଏୟାରପୋର୍ଟରେ ବିମାନ ଚଳାଚଳ ନ ହେବାରୁ ଧୀରେ ଧୀରେ ଏହା ବନ୍ଦ ହୋଇଯାଇଥିଲା। ଏବେ ଭାରତ ସରକାରଙ୍କ ଡିଜିସିଏ ଝାରସୁଗୁଡ଼ା ଏୟାରପୋର୍ଟକୁ ଲାଇସେନ୍ସ ପ୍ରଦାନ କରିଛନ୍ତି। ଏହା ଭୁବନେଶ୍ୱର ପରେ ରାଜ୍ୟର ଦ୍ୱିତୀୟ ଡିଜିସିଏ ଲାଇସେନ୍ସ ପାଇଥିବା ଏୟାରପୋର୍ଟ ଅଟେ। ଅର୍ଥାତ୍ ଝାରସୁଗୁଡ଼ା ଏୟାରପୋର୍ଟ କାର୍ଯ୍ୟକ୍ଷମ ହେବାକୁ ୭୦ ବର୍ଷ ଲାଗିଗଲା। ଏବେ ପଶ୍ଚିମ ଓଡ଼ିଶାର ଲୋକେ ଝାରସୁୁଗୁଡ଼ାରୁ ସାଢ଼େ ତିନି ଶହ କିଲୋମିଟର ଦୂରରେ ଥିବା ଭୁବନେଶ୍ୱର କିମ୍ବା ୨୦୦ କିଲୋମିଟର ଦୂରରେ ଥିବା ଛତିଶଗଡ଼ର ରାୟପୁରକୁ ଯାଇ ବିମାନ ଧରୁଛନ୍ତି। ବର୍ତ୍ତମାନ ଝାରସୁଗୁଡ଼ା ଏୟାରପୋର୍ଟ କାର୍ଯ୍ୟକ୍ଷମ ହେଲେ ଉଡ଼ାଜାହାଜରେ ଯାତାୟତ କରିବାକୁ ଚାହୁଁଥିବା ସ୍ଥାନୀୟ ଯାତ୍ରୀଙ୍କ ସମୟ ଓ ଖର୍ଚ୍ଚ ବହୁଗୁଣରେ ହ୍ରାସ ପାଇବ। ଏହା ଅଞ୍ଚଳର ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ବିକାଶକୁ ଗତିଶୀଳ କରିବ। ସେହିଭଳି ପୂର୍ବରୁ ବିମାନ ଯୋଗାଯୋଗ ନଥିବା ଯୋଗୁଁ ପଶ୍ଚିମ ଓଡ଼ିଶାକୁ ଆସିପାରୁ ନଥିବା ଦେଶ ବଦେଶର ପର୍ଯ୍ୟଟକମାନେ ଯିବାଆସିବା କରିପାରିବେ। ଯଦ୍ୱାରା ପର୍ଯ୍ୟଟନ ଶିଳ୍ପର ବିକାଶ ସହିତ ଅଞ୍ଚଳର ମନୋରମ ପର୍ଯ୍ୟଟନ ସ୍ଥଳଗୁଡ଼ିକ ଚଳଚଞ୍ଚଳ ହେବ ବୋଲି ଆଶା କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top