ବିମାନବନ୍ଦରରେ ଭବ୍ୟ ସ୍ୱାଗତ: ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ପାଛୋଟି ନେଲେ ହଜାର ହଜାର ସମର୍ଥକ

ଭୁବନେଶ୍ୱର, ତା ୦୬-୦୮(ଓଡ଼ିଆ ପୁଅ): ସୁସ୍ଥ ହୋଇ ଦିଲ୍ଲୀରୁ ଫେରିବା ପରେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ନିଜର ସମର୍ଥକ ଏବଂ ସମ୍ପର୍କୀୟମାନେ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଭବ୍ୟ ସ୍ୱାଗତ ଜଣାଇଛନ୍ତି। ଏତଦ୍ବ୍ୟତୀତ ତାଙ୍କର ହଜାର ହଜାର ସମର୍ଥକ ତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀକୁ ପାଛୋଟି ନେଇଛନ୍ତି। ଶୋଭାଯାତ୍ରାର ଅଗ୍ରଭାଗରେ ପ୍ରବଳ ବର୍ଷା ସତ୍ତ୍ୱେ ପ୍ରାୟ ଏକ ହଜାର ମଟର ସାଇକେଲ ଯାଇଥିଲେ।

ସୋମବାର ସନ୍ଧ୍ୟା ସମୟରେ ଶ୍ରୀ ବିଶ୍ୱାଳ ନୂଆଦିଲ୍ଲୀରୁ ଫେରିବା ମାତ୍ରେ ବିମାନ ବନ୍ଦରଠାରେ ଅପେକ୍ଷା କରିଥିବା ହଜାର ହଜାର ସମର୍ଥକ ପ୍ରଭାତ ବିଶ୍ୱାଳ ଜିନ୍ଦାବାଦ୍ – କଟକ-ଚୌଦ୍ୱାରବାସୀ ଆପଣଙ୍କୁ ସ୍ୱାଗତ କରୁଛୁ ଏବଂ ଅନ୍ୟାୟ ଅପପ୍ରଚାର ବିରୁଦ୍ଧରେ ସତ୍ୟର ଜୟ ବୋଲି ସ୍ଲୋଗାନ୍ମାନ ଦିଆଯାଇଥିଲା। ଶତାଧିକ ସଂଖ୍ୟାରେ ପ୍ଲାକାର୍ଡମାନ ଦେଖିବାକୁ ମିଳିଥିଲା। ନିଜ ସମର୍ଥକମାନଙ୍କ ମଧ୍ୟରେ କଟକ ସହର, ଚୌଦ୍ୱାର ଏବଂ ବିଜେଡିର ସ୍ଥାନୀୟ ନେତା ଓ କର୍ମୀମାନେ ଅନ୍ତର୍ଭୁକ୍ତ ଥିଲେ। ଯେକୌଣସି ପରିସ୍ଥିତିରେ ପ୍ରଭାତ ବିଶ୍ୱାଳଙ୍କୁ କଟକ ଚୌଦ୍ୱାର ଭୋଟର ସମର୍ଥନ ଜଣାଇବେ ବୋଲି ସେମାନେ କହିବା ସହିତ ଶ୍ରୀ ବିଶ୍ୱାଳ ଜଣେ ନିଷ୍କଳଙ୍କ ନେତା ବୋଲି କହିଥିଲେ। ଉକ୍ତ ଜନସମାଗମରେ ଉପସ୍ଥିତ ଥିବା ଶହ ଶହ ମହିଳା ହୁଳହୁଳି ସହିତ ସ୍ୱାଗତ କରିଥିବା ବେଳେ ଶ୍ରୀ ବିଶ୍ୱାଳଙ୍କୁ ଆଜୀବନ ସମର୍ଥନ ଜଣାଇବେ ବୋଲି ଭାବାବେଗର ସହିତ କହିଥିଲେ। ଉକ୍ତ ଶୋଭାଯାତ୍ରା ବିମାନବନ୍ଦରଠାରୁ କ୍ୟାପିଟାଲ୍ ହସ୍ପିଟାଲ୍ ପର୍ଯ୍ୟନ୍ତ ଲାଗି ରହିଥିଲା।

ଭବ୍ୟ ସମ୍ବର୍ଦ୍ଧନାର ଉତ୍ତର ଦେଲାବେଳେ ବିଧାୟକ ଶ୍ରୀ ବିଶ୍ୱାଳ ଭାବବିହ୍ୱଳ ହୋଇପଡ଼ିଥିଲେ। ସେ କହିଥିଲେ ଯେ, ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପରିସମାପ୍ତି ଘଟିଛି। ଏଥି ସହିତ ଷଡ଼ଯନ୍ତ୍ର ମଧ୍ୟ ପଣ୍ଡ ହୋଇଯାଇଛି। ବିଗତ ଦିନମାନଙ୍କ ପରି ସେ କଟକ-ଚୌଦ୍ୱାରବାସୀଙ୍କ ସେବା କରିଚାଲିବେ ଏବଂ ଦୁଃଖସୁଖର ଭାଗୀଦାର ହେବେ। କୌଣସି ପରିସ୍ଥିତିରେ ବିଜୁ ଜନତା ଦଳର କର୍ମୀମାନଙ୍କୁ ଅଲଗା ହେବାକୁ ଦେବେନାହିଁ। ଦଳରେ ନେତା ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ତାଙ୍କ ପ୍ରତି ଆଶୀର୍ବାଦ ରହିଛି, ଯାହା ଫଳରେ ସେ ଦୁରାରୋଗ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ପୁନର୍ବାର ନିଜର ଲୋକମାନଙ୍କ ଭଲ ମନ୍ଦରେ ରହିବେ ବୋଲି ଭାବାବେଗର ସହିତ କହିଥିଲେ।

ସୂଚନାଯୋଗ୍ୟ ଯେ ଶ୍ରୀ ବିଶ୍ୱାଳଙ୍କ ବିରୁଦ୍ଧରେ “ସି ସୋର’ ଚିଟ୍ଫଣ୍ଡ ସଂସ୍ଥାରେ ସମ୍ପୃକ୍ତି ଅଭିଯୋଗ ଆସିଥିଲା, ଯାହାକି ବସ୍ତୁତଃ ନାକଚ ହୋଇଯାଇଛି। ଏଥିପାଇଁ ସେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ମାତ୍ର ଅସୁସ୍ଥ ହେବାରୁ ପାଖାପାଖି ଦୁଇ ବର୍ଷ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିଲେ।

Leave a Reply

Your email address will not be published. Required fields are marked *