ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସ୍ମାରକପତ୍ର

ରାଉରକେଲା ୪-୮ (ଓଡ଼ିଆ ପୁଅ/ଶିବାରାମ ପାତ୍ର) : ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ୱରେ ମୁଖ୍ୟ ଚିକିତ୍ସାଧିକାରୀ ଡା. ଉଦୟଭାନୁ ଦାସଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସାଧାରଣ ଲୋକଙ୍କ ଡାକ୍ତରଖାନା ଭାବେ ରାଉରକେଲା ସରକାରୀ ଡାକ୍ତରଖାନାର ପରିଚୟ ରହିଛି। ରାଜ୍ୟ ସରକାର ଡାକ୍ତର ଓ ପାରାମେଡ଼ିକାଲ କର୍ମଚାରୀ ପଦବୀପୂରଣ ପାଇଁ ଦେଇଥିବା ପ୍ରତିଶୃତି ପ୍ରହସନରେ ପରିଣତ ହୋଇଛି। ଏଠାରେ ଏକ୍ସରେ ମେସିନ ଅଛି କିନ୍ତୁ ଏହାକୁ ଚଳାଇବା ପାଇଁ କର୍ମଚାରୀ ନାହାନ୍ତି। ଡାକ୍ତରଖାନାରେ ଡାକ୍ତର ମରୁଡ଼ି ଲାଗି ରହିଛି। ଏଠାରେ ବିକାଶ କେବଳ କାଗଜ କଲମରେ ଚାଲିଛି। ସେହିଭଳି ନିରାମୟ ଯୋଜନାରେ ରୋଗୀଙ୍କୁ ଆବଶ୍ୟକ ଔଷଧ ମିଳିପାରୁନାହିଁ। ଲୋକେ ବାହାରେ ଏକ୍ସରେ କରାଇ ବହୁଳ ଭାବରେ କ୍ଷତିର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିକଟରେ ଏହାର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଦେଇ ନିଜର ଦାୟିତ୍ୱ ସରିଗଲା ବୋଲି ଭାବିଛନ୍ତି। ଯଦି ଏହି ସବୁ ଅସୁବିଧାର ସମାଧାନ ତୁରନ୍ତ କରାନଯାଏ, ତେବେ ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ରାୟ ଚେତାବନୀ ଦେବା ସହ ଏଥିପ୍ରତି ସୃଷ୍ଟି ହେବାକୁ ଥିବା ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ପ୍ରକାଶ କରିଛନ୍ତି। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ସବିର ହୁସେନ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଗଜେନ୍ଦ୍ର ତନ୍ତୀ, କିର୍ତନ ଦାସ, ଭାସ୍କର ଖିଲାର, ମଝିଆ ପ୍ରଧାନ, ବିଜୁ ପୁରୋହିତ, ଶିବୁ ସାହୁ, ରଂଜିତା ମଲ୍ଲିକ, ପ୍ରଦୀପ ବେହେରା ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *