ବିଭିନ୍ନ ଦାବି ନେଇ ଜିଲ୍ଲାର ଘରୋଇ ନର୍ସିଂହୋମ୍ ଗୁଡ଼ିକ ପକ୍ଷରୁ ବନ୍ଦ ପାଳନ

ଅନୁଗୋଳ, ୨୫/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କ୍ଲିନିକାଲ ଏଷ୍ଟାବ୍ଲିସମେଂଟ୍ ଆକ୍ଟକୁ ବିରୋଧ କରି ଅନୁଗୋଳ ଜିଲ୍ଲାର ବିଭିନ୍ନ ଘରୋଇ ନର୍ସିଂ ହୋମ, ଡାଇଗ୍ନୋସ୍ଟିକ ସେଂଟର, ଫିଜିଓଥେରାପି, ପାଥୋଲ୍ୟାବ ଆଦିରେ ଶୁକ୍ରବାର ଦିନ ୨୪ଘଂଟିଆ ବନ୍ଦ ପାଳନ କରାଯାଉଛି। ଅଲ ଓଡ଼ିଶା ପ୍ରାଇଭେଟ୍ ମେଡ଼ିକାଲ ଏଷ୍ଟାବ୍ଲିସମେଂଟ୍ ଫୋରମ୍ ଆହ୍ୱାନରେ ଅନୁଗୋଳ ଜିଲ୍ଲା କ୍ଲିନିକାଲ ଏଷ୍ଟାବ୍ଲିସମେଂଟ୍ ଆଣ୍ଡ ପ୍ରାଇଭେଟ୍ ପ୍ରାକ୍ଟିସନର୍ସ ଆସୋସିଏସନ ପକ୍ଷରୁ ଶୁକ୍ରବାର ସକାଳ ୬ଟାରୁ ଏହି ବନ୍ଦ ପାଳନ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ ବଳବତର ରହିବ ବୋଲି ସୂଚନା ଦିଆଯାଇଛି। ଫୋରମ୍ ର କହିବାନୁସାରେ କ୍ଲିନିକାଲ ଏଷ୍ଟାବ୍ଲିସମେଂଟ୍ ଆକ୍ଟ, ନବୀକରଣ, ପଞ୍ଜିକରଣ, ଅଗ୍ନି ସୁରକ୍ଷା ଆଇନ୍, ପ୍ରିଭେନସନ ଟୁ ଭାୟୋଲେସନ ଆଣ୍ଡ ଡ୍ୟାମେଜ ଟୁ ପ୍ରପର୍ଟି ଆଦି ସମସ୍ୟାଭିତିକ ପ୍ରସଙ୍ଗ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇ ଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଇନି। ଫଳରେ ପୂର୍ବ ନିଷ୍ପତି ଅନୁଯାୟୀ ଏହି ୨୪ଘଂଟିଆ ବନ୍ଦ ପାଳନ କରାଯାଉଛି। ଫୋରମର ଦାବି ଗୁଡ଼ିକ ମଧ୍ୟରେ ଅଗ୍ନି ସୁରକ୍ଷାର ସରଳୀକରଣ, ସରକାରୀ ଓ ଘରୋଇ ଚିକିତ୍ସାଳୟ ପାଇଁ ସମାନ ନିୟମ, ଘରୋଇ ନର୍ସିଂ ହୋମରେ ସୁରକ୍ଷା ଆଇନ କାର୍ଯ୍ୟକାରୀ, ୧୦୦ଶଯ୍ୟାରୁ କମ୍ ପ୍ରାଇଭେଟ୍ ଚିକିତ୍ସାଳୟ ପାଇଁ ଅଗ୍ନିଶମ ଓ ବର୍ଯ୍ୟବସ୍ତୁ ନିୟମ କର୍ଣ୍ଣାଟକ ଓ ମହାରାଷ୍ଟ୍ର ରାଜ୍ୟ ପରି କରାଯିବା, ୩୦ ଦିନ ମଧ୍ୟରେ ପଞ୍ଜିକରଣ ଓ ନବିକରଣ ବ୍ୟବସ୍ଥା ଆଦି ପ୍ରମୁଖ ରହିଛି। ଏହି ବନ୍ଦ ପାଳନ ଫଳରେ ଅନୁଗୋଳ ଜିଲ୍ଲାରେ ଥିବା ପ୍ରାୟ ୫୮ଟି ଘରୋଇ ନର୍ସିଂହୋମ୍, ଡାଇଗ୍ନୋସ୍ଟିକ ସେଂଟର, ପାଥୋଲ୍ୟାବ, ଫିଜିଓଥେରାପି ବନ୍ଦ ରହିଥିବାର ଜଣାପଡ଼ିଛି। ତେବେ ରାଜ୍ୟ ସରକାର ନିଜର ମନୋମୂଖୀ ନୀତି, ନିୟମ ପ୍ରଣୟନ କରି ଘରୋଇ ନର୍ସିଂ ହୋମଗୁଡ଼ିକୁ ହଇରାଣ ହରକତ କରୁଥିବାର ଜିଲ୍ଲାର ବହୁ ନର୍ସିଂ ହୋମ ସତ୍ୱାଧିକାରୀ ଅଭିଯୋଗ କରିଛନ୍ତି। ଏହି କ୍ରମରେ ଅନୁଗୋଳରେ ଫୋରମର ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାର କରାଯାଇ ଅନୁଗୋଳ ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅପରପକ୍ଷରେ ଏହି ବନ୍ଦ ପାଳନ ଯୋଗୁଁ ଜରୁରୀ ସ୍ୱାସ୍ଥ୍ୟ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ସମସ୍ତ ଆଉଟଡୋର ଚିକିତ୍ସା ବନ୍ଦ ରହିବାସହ ନୂଆ ରୋଗୀଙ୍କୁ ଆଡ଼ମିଶନ ବାରଣ କରାଯାଇଛି। ତେବେ ପୂର୍ବରୁ ଆଡ଼ମିଶନ କରିଥିବା ରୋଗୀଙ୍କ ଚିକିତ୍ସାରେ କୈାଣସି ଅବହେଳା କରାଯାଉ ନଥିବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *