ବିଭିନ୍ନ ତୈଳ କମ୍ପାନୀ ପକ୍ଷରୁ ରାଜ୍ୟର ବିଭିନ୍ନ ଅଂଚଳରେ ଜଳ ବନ୍ଦୀ ଅବସ୍ଥାରେ ଥିବା ଲୋକ ମାନଙ୍କୁ ରିଲିଫ ସାମଗ୍ରୀ ବଂଟନ

ଭୁବନେଶ୍ୱର, ୨୫ ଜୁଲାଇ (ଓଡ଼ିଆ ପୁଅ) – ବିଭିନ୍ନ ତୈଳ କମ୍ପାନୀ ଯଥା ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ପକ୍ଷରୁ ଜଳ ବନ୍ଦୀ ଅବସ୍ଥାରେ ଥିବା ଲୋକ ମାନଙ୍କୁ ରିଲିଫ ସାମଗ୍ରୀ ବଂଟନ କରାଯାଇଛି। ତୈଳ କମ୍ପାନୀ ମାନଙ୍କ ପକ୍ଷରୁ ଭୁବନେଶ୍ୱରର ସତ୍ୟନଗର ସ୍ଥିତ ସତ୍ୟକାଳି ବସ୍ତି ଓ ଡ଼ମଣା ସ୍ଥିତ ନୀଳପଡ଼ିଆ ବସ୍ତି ତଥା କଟକ, କଳାହାଣ୍ଡି, ବରଗଡ଼, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାର ପ୍ରଭାବିତ ଲୋକ ମାନଙ୍କ ପାଇଁ ରିଲିଫ ସାମଗ୍ରୀ ବଂଟନ କରା ଯାଇଛି।

ଉଲ୍ଲେଖନୀୟ ଯେ ଗତ ୨୦ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା କାରଣରୁ ଅନେକ ସ୍ଥାନରେ ଲୋକ ମାନେ ଜଳବନ୍ଦୀ ହେବାର ଦେଖା ଯାଇଥିଲା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା। ଏହାକୁ ଆଖି ଆଗରେ ରଖି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ରାଜ୍ୟରେ ପ୍ରଭାବିତ ଅଂଚଳରେ କିରୋସିନ, ଏଲପିଜି ଓ ପେଟ୍ରୋଲ, ଡିଜେଲ ଭଳି ଅନ୍ୟାନ୍ୟ ଆବଶ୍ୟକୀୟ ଇନ୍ଧନ ଯୋଗାଣ କିପରି ନିରବଛିନ୍ନ ଭାବେ ହେବ ସେଥି ପ୍ରତି ଦୃଷ୍ଟି ଦେବାକୁ ଭିନ୍ନ ତୈଳ କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା।

ଏହି ନିର୍ଦେଶ ପାଇବା ପରେ ବିଭିନ୍ନ ତୈଳ କମ୍ପାନୀ ମାନଙ୍କ ରାଜ୍ୟ ସ୍ତରୀୟ ସଂଯୋଜକ ପ୍ରୀତିଶ ଭାରତ ବିଭିନ୍ନ ତୈଳ କମ୍ପାନୀ ମାନଙ୍କର ଏକ ଜରୁରୀ ବୈଠକ ଡାକିଥିଲେ। ଏହି ବୈଠକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ଆଲୋଚନା ହେବା ସହ କିରୋସିନ, ଏଲପିଜି ଓ ଅନ୍ୟାନ୍ୟ ଆବଶ୍ୟକୀୟ ଇନ୍ଧନର ନିରବଚ୍ଛିନ୍ନ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ସମ୍ବନ୍ଧିତ ଅଧିକାରୀ ମାନେ ତଦାରଖ କରିବେ ବୋଲି ନିଷ୍ପତି ନିଆ ଯାଇଥିଲା। ସେହିପରି ଏହି ସମୟରେ ତୈଳ କମ୍ପାନୀର ଅଧିକାରୀ ମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆ ଯିବା ସହ ପ୍ରଭାବିତ ଅଂଚଳ ମାନଙ୍କରେ ଯେପରି ଲୋକ ମାନଙ୍କୁ କୌଣସି ଆବଶ୍ୟକୀୟ ଇନ୍ଧନର ଅଭାବ ନ ହେବ ସେଥି ପାଇଁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦେଶ ଦିଆ ଯାଇ ଥିଲା। ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ପ୍ରଭାବିତ ଲୋକମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଏହି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା।

 

Leave a Reply

Your email address will not be published. Required fields are marked *