ବିଭାଗୀୟ ସହାୟକଙ୍କ ଅବହେଳାରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ସହାୟତା ମିଳିବାରେ ଅହେତୁକ ବିଳମ୍ବ

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପ୍ରଚଳିତ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚିକିତ୍ସା ସହାୟତା ମିଳିବାରେ ଅହେତୁକ ବିଳମ୍ବ ଘଟିଚାଲିଛି। ଚିକିତ୍ସା ସହାୟତା ପାଇଁ ଆବେଦନ କରିବାର ୨ମାସ ପରେ ମଧ୍ୟ ମଞ୍ଜୁର ହୋଇଥିବା ଅର୍ଥରାଶୀ ହିତାଧିକାରୀଙ୍କୁ ମିଳିପାରୁନି। ଫଳରେ ବିଭିନ୍ନ ସ୍ଥାନରେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ରୋଗୀଙ୍କ ସମ୍ପର୍କୀୟ ଏହି ରିଲିଫ ପାଣ୍ଠି ଚିକିତ୍ସା ସହାୟତା ବ୍ୟବସ୍ଥା ଉପରେ ଭରସା ତୁଟାଇ ନିଜ ଭାଗ୍ୟକୁ ଆଦରି ପଡ଼ି ରହୁଛନ୍ତି। ଏହିପରି ଏକ ଉଦାହରଣ ଭଦ୍ରକ ବ୍ଲକ ଦଇସିଂ ପଞ୍ଚାୟତ ଚଢ଼େୟା ଗ୍ରାମର ୩୨ବର୍ଷର ହରିଜନ ଯୁବକ ରାଜେନ୍ଦ୍ର ଜେନା(ରାଜୁ)ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ରାଜୁ ଗତ ୬ମାସ ହେଲା ନିଜର ୨ଟି କିଡ଼ନି ହରାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ରାଜୁର ଏ ଅବସ୍ଥା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଭଦ୍ରକ ଜିଲ୍ଲାପାଳ ତା’ର ଚିକିତ୍ସା ସହାୟତା ପାଇଁ ମାର୍ଚ୍ଚ ମାସ ୧୯ତାରିଖ ରେଡ଼କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ରାଜୁର ଆବଶ୍ୟକତାକୁ ଅନୁଭବ କରି ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚିକିତ୍ସା ସହାୟତା ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। ରାଜୁର ସ୍ତ୍ରୀ ପତ୍ନୀ ମିଳିଥିବା ଅର୍ଥ ଓ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଠାରୁ ପାଇଥିବା ଅର୍ଥକୁ ନେଇ କଟକ ଯାଇଥିଲେ ସ୍ୱାମୀର ଚିକିତ୍ସା ପାଇଁ। ସରକାରୀ ଡ଼ାକ୍ତରଖାନାର ନେଫ୍ରୋଲଜି ବିଭାଗରେ ଶଯ୍ୟାର ଅଭାବ ହେତୁ ଗୁରୁତର ରାଜୁକୁ ଏକ ଘରୋଇ ହସପିଟାଲରେ ରଖି ଚିକିତ୍ସା କରିଥିଲେ। ଇତିମଧ୍ୟରେ ରାଜୁର ୩୬ରୁ ଉର୍ଦ୍ଧ୍ୱ ଥର ଡ଼ାଇଲିସିସ ହୋଇ ସାରିଲାଣି। ଅର୍ଥାଭାବ ଯୋଗୁଁ ସ୍ତ୍ରୀ ସସ୍ମିତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ମଇ ୨୩ତାରିଖ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏହି ଆବେଦନପତ୍ର ଅନୁଯାୟୀ ଜିଲ୍ଲାପାଳ ରାଜୁର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅଧିକ ୧୦ହଜାର ଟଙ୍କା ଦେବାକୁ ଗତ ମାସ ୩୧ତାରିଖ ସୁପାରିଶ କରିଥିଲେ। କିନ୍ତୁ ଇତି ମଧ୍ୟରେ ଅର୍ଥ ମଞ୍ଜୁରର ୨୫ଦିନ ବିତିଯାଇଥିଲେ ମଧ୍ୟ ରାଜୁ ନିକଟରେ ଏହି ଅର୍ଥରାଶୀ ପହଞ୍ଚି ପାରି ନାହିଁ। ଜିଲ୍ଲ କଲେକ୍ଟରିଏଟ ନିଜାରତ ବିଭାଗର ବିଭାଗୀୟ ଅଧିକାରୀ ଏହି ଅର୍ଥରାଶୀ ହିତାଧିକାରୀ ଦେଇଥିବା ବ୍ୟାଙ୍କ ଏକାଉଣ୍ଟକୁ ଗତ ୧୧ତାରିଖ ଟ୍ରାନ୍ସଫର କରାଯାଇଥିବା କହିଛନ୍ତି। କିନ୍ତୁ ବାସ୍ତବପକ୍ଷେ ଆଜିର ଦିନରେ ହିତାଧିକାରୀଙ୍କ ଏକାଉଣ୍ଟରେ ଏହି ଅର୍ଥ ପହଞ୍ଚି ପାରି ନାହିଁ। କେବଳ ରାଜୁ ନୁହେଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚିକିତ୍ସା ସହାୟତା ପାଇଁ ଆବେଦନ କରୁଥିବା ବହୁ ଗୁରୁତର ରୋଗୀଙ୍କ ସମ୍ପର୍କୀୟ ଅନୁରୂପ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ତେବେ ଅର୍ଥ ପହଞ୍ଚିବାରେ କାହିଁକି ବିଳମ୍ବ ହେଉଛି ସେ ସମ୍ପର୍କରେ ମୁଁ କାଲି ବୁଝିବି ବୋଲି ଅଧିକାରୀଜଣକ କହିଛନ୍ତି। ଯାହା ଜଣାପଡ଼ିଛି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଚିକିତ୍ସା ସହାୟତା ଅବେଦନପତ୍ରର ବିଚାର ପରେ ମଞ୍ଜୁର ଅର୍ଥ ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଉଥିଲା। ମାତ୍ର ଗତ କେଇମାସ ହେଲା ମଞ୍ଜୁର ଅର୍ଥରାଶୀକୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାର ବ୍ୟବସ୍ଥା ଆରମ୍ଭ ହୋଇଛି। ତେଣୁ ଆବେଦନକାରୀ ନିର୍ଦ୍ଧାରିତ ଫର୍ମ ପୂରଣ କରି ଆବେଦନ କରିବା ସମୟରେ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କୀତ ତଥ୍ୟ ଦେବା କଥା। କିନ୍ତୁ ଆବେଦନ ଫର୍ମରେ ବ୍ୟାଙ୍କ ତଥ୍ୟ ଦେବା ସମ୍ପର୍କରେ କୌଣସି ସୂଚନା ନଥିବାରୁ ବହୁ ଆବେଦନକାରୀ ଏହା ଦେଇ ପାରୁନାହାନ୍ତି। ଫଳରେ ମଞ୍ଜୁର ଅର୍ଥ ମିଳିବାରେ ବିଳମ୍ବ ହେଉଛି। ଅପରପକ୍ଷରେ ଏହି କାର୍ଯ୍ୟରେ ବାରମ୍ବାର ବ୍ୟାଙ୍କୁ ଯିବାକୁ ଅନିଛା ପ୍ରକାଶ କରି ବିଭାଗୀୟ ଅଧିକାରୀ ଓ ସହାୟକମାନେ ଏକକାଳୀନ ୧୫ରୁ ୨୦ ଆବେଦନକାରୀଙ୍କ ଆବେଦନ ଫର୍ମ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ଫଳରେ ଏହି ସହାୟତା ମିଳିବାରେ ବିଳମ୍ବ ହୋଇଚାଲିଛି। ଏହି ଘଟଣାରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ଆଶ୍ଚଯ୍ୟପ୍ରକଟ କରିଥିବାବେଳେ, ଏପରି ବିଳମ୍ବ ଯେପରି ଆଉ କାହା କ୍ଷେତ୍ରରେ ନଘଟେ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *