ବିଭାଗୀୟ କମିଟିରେ ଦାବି ଉପସ୍ଥାପନ କଲେ ନୂତନ ପେନ୍ସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର, ୧୩ା୧୧ (ଓଡ଼ିଆ ପୁଅ) : ନୂତନ ପେନ୍ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ସଭାପତି ରାଜେଶ ମହାନ୍ତିଙ୍କ ନେତୃତ୍ୱରେ ଆଜି ଭୁବନେଶ୍ୱର ଓପେପା ସମ୍ମିଳନୀ କକ୍ଷରେ ଗଣଶିକ୍ଷା ବିଭାଗର ବିଭାଗୀୟ କମିଟିକୁ ଭେଟି ଏକ ତିନିଦଫା ଦାବି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଆହ୍ୱାନକ୍ରମେ ଗତ ନଭେମ୍ବର ୮ ଓ ୯ତାରିଖରେ ଭୁବନେଶ୍ୱରରେ ୫୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ସାମୁହିକ ଛୁଟିନେଇ ଆନ୍ଦୋଳନ କରିଥିଲେ। ସେତେବେଳେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ମାନ୍ୟବର ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପତ୍ରାଙ୍କ ନଂ-୭୩୩ ତା ୮.୧୧.୨୦୧୭ରିଖରେ ଏକ ପତ୍ର ପ୍ରକାଶ ପାଇଥିଲା। ଉକ୍ତ ପତ୍ରାନୁଯାୟୀ ଆଜି ବିଭାଗୀୟ କମିଟି ବସିଥିଲା। ପ୍ରାଥମିକ ଶିକ୍ଷକମାନଙ୍କର ପଦବୀ ମାଟ୍ରିକ୍ ଓ ସି.ଟି. ରୁ ଉନ୍ନୀତ କରି ଯୁକ୍ତ ୨ ଓ ସି.ଟି. କରିବା ସହିତ ୨୨୦୦ ଟଙ୍କା ଗ୍ରେଡ୍ ପେ ପରିବର୍ତ୍ତେ ୨୮୦୦ ଟଙ୍କା ଧାର୍ଯ୍ୟ କରି ୭ମ ବେତନ କମିଶନରେ ୧.୧.୨୦୧୬ ମସିହାରୁ ଦରମା ଧାର୍ଯ୍ୟ କରିବା, ୬ ବର୍ଷ ଶିକ୍ଷା ସହାୟକ ଚାକିରୀକୁ ସରକାରୀ ଚାକିରୀରେ ଗଣନା କରିବା, ଶିକ୍ଷା ସହାୟକ ପରିବର୍ତ୍ତେ କନିଷ୍ଠ ଶିକ୍ଷକ ନିଯୁକ୍ତି ଦେବା ଆଦି ଦାବି ବିଷୟରେ କମିଟିକୁ ଅବଗତ କରାଯାଇଛି। ନଭେମ୍ବର ୮ ଓ ୯ ତାରିଖରେ ଛୁଟିନେଇ ଆନ୍ଦୋଳନକୁ ଆସିଥିବା ଶିକ୍ଷକମାନଙ୍କର ଛୁଟି ମଞ୍ଜୁର କରିବା ପାଇଁ ବିଭାଗକୁ ସଂଘ ତରଫରୁ ଅନୁରୋଧ କରାଯାଇଛି। ଆଜିର ବୈଠକରେ ବିଭାଗୀୟ କମିଟିର ଅଧ୍ୟକ୍ଷ ତଥା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଚୁଡାମଣି ସେଠ, ସ୍ୱତନ୍ତ୍ର ସଚିବ ବିଶ୍ୱନାଥ ପ୍ରଧାନ, ଉପନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ସମେତ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସଂଘ ତରଫରୁ ସଭାପତି ରାଜେଶ ମହାନ୍ତି, ସାଧାରଣ ସମ୍ପାଦକ ଖଗେନ୍ଦ୍ରନାଥ ପାଲ ମହାସଚିବ ବିକ୍ରମ ରଥ, ଦୋଳଗୋବିନ୍ଦ ପଣ୍ଡା, କାର୍ଯ୍ୟକାରୀ ସଭାପତି ସହସ୍ରାଂଶୁ ଶେଖର ମହାନ୍ତି, ଶମ୍ଭୁ ଗିରି, ଅକ୍ଷୟ କୁମାର ମଲ୍ଲିକ, ପ୍ରମୋଦ କୁମାର ଭଞ୍ଜ, ମାୟାଧର ମଲ୍ଲିକ ଓ ଗଣମାଧ୍ୟମ ସଂଯୋଜକ ସୁନିଲ କୁମାର ମହାନ୍ତି ପ୍ରମୁଖ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *