ବିବେକାନନ୍ଦ ଇନ୍ଷ୍ଟିଚ୍ୟୁଟ୍ ରେ ମାତୃ ପିତୃ ପୂଜନ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା ୨୭-୨ (ଓଡ଼ିଆ ପୁଅ): ସ୍ଥାନୀୟ ବିବେକାନନ୍ଦ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡ୍ଭାନ୍ସଡ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟେକ୍ନୋଲୋଜି ଓ କଲେଜ୍ ଅଫ୍ ବିଜିନେସ୍ ମ୍ୟାନେଜ୍ମେଂଟ୍ର ମିଳିତ ଆନୁକୁଲ୍ୟରେ ଏକ ଅଭିଭାବକ ସମ୍ମିଳନୀରେ ‘ମାତୃପିତୃ ପୂଜନ ଉତ୍ସବ’ ସହିତ ‘ଆମ ପିଲାଙ୍କ ଭବିଷ୍ୟତ’ ଶୀର୍ଷକ ଏକ ସେମିନାର ଅନୁଷ୍ଠାନର ଚେୟାରମ୍ୟାନ୍ ଶିକ୍ଷାବିତ୍ ଡ଼କ୍ଟର ଧୀରେନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବରେ ଓଡିଶା କଋଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଡିନ୍ ପ୍ରଫେସର ଦିଲୀପ କୁମାର ଦୋରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଉଦଘାଟନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡ଼କ୍ଟର ନନ୍ଦ ଅତିଥି ପରିଚୟ ପ୍ରଦାନ କଲାପରେ ଯୋଗବେଦାନ୍ତ ସମିତିର ଜିଲ୍ଲା କୋଷାଧ୍ୟକ୍ଷ ସୁକାନ୍ତ ପ୍ରଧାନଙ୍କର ସହଯୋଗରେ ଛାତ୍ରଛାତ୍ରୀମାନେ ହାତରେ ଦୀପ, ଧୂପ, ଫୁଲ, ଚନ୍ଦନ, ସିନ୍ଦୁର, ମିଷ୍ଠାନ୍ନ ଆଦି ପୂଜାସାମଗ୍ରୀରେ ସୁସଜ୍ଜିତ ପୂଜା ଥାଳି ଧରି ମନରେ ଅନେକ ଭକ୍ତି ଭାବ ନେଇ ନିଜର ପିତାମାତାଙ୍କ ସମ୍ମୁଖରେ ବସି ମାତୃଦେବୋଭବ-ପିତୃଦେବୋଭବର ଭାବନା ନେଇ ପୂଜାର୍ଚ୍ଚନା କରିବାପରେ ଶ୍ରୀ ଗଣେଶଙ୍କ ପୃଥିବୀ ପରିକ୍ରମା ପରି ନିଜ ପିତାମାତାଙ୍କ ଚତୁର୍ଦ୍ଦିଗରେ ସାତଥର ପରିକ୍ରମା କରି ଶେଷରେ ସେମାନଙ୍କ ପିତାମାତାଙ୍କର ଆଶ୍ରୀବାଦ ନେଇଥିଲେ। ପିଲାମାନଙ୍କର ସେମାନଙ୍କ ପିତାମାତାଙ୍କ ପ୍ରତି ଏହି ପ୍ରକାର ସ୍ନେହ, ପ୍ରେମ ଓ ବନ୍ଧନର ଭାବୋଦ୍ଦିପକ ଭାବନା ଏକ ଭାବବିହ୍ୱଳ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ଚେୟାରମ୍ୟାନ୍ ଡ଼କ୍ଟର ନନ୍ଦ କହିଲେ ବିଶ୍ୱ ମାନବ କଲ୍ୟାଣର ଦିବ୍ୟ ଭାବନାକୁ ସଂରକ୍ଷିତ ରଖିଥିବା ଭାରତୀୟ ସଂସ୍କୃତି ଆଜି ମଧ୍ୟ ଆଧ୍ୟାତ୍ମିକତାର ଶୀର୍ଷ ସ୍ଥାନ ଅଧିକାର କରିଥିବାବେଳେ ଆଜିର ଯୁବ ସମାଜ ମହାପୁରୁଷମାନଙ୍କ ସାନ୍ନିଧ୍ୟ ଏବଂ ଆମ ସଂସ୍କୃତିର ଦିବ୍ୟ ଜୀବନକୁ ଅବହେଳା କରି ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ କରି ଚାଲିଛନ୍ତି, ଯାହାଦ୍ୱାରା ସେମାନେ ଅଶାନ୍ତ ତଥା ଦୂରାଚାର ଓ ଏଡ଼୍ସ୍ ଭଳି ରୋଗର ଶିକାର ହେଉଛନ୍ତି। ଭାରତୀୟ ସଂସ୍କୃତିର ଏଭଳି ଅବକ୍ଷୟକୁ ସହ୍ୟ କରିନପାରି ଫେବୃୟାରୀ ୧୪ ‘ଭ୍ୟାଲେଣ୍ଟାଇନ୍ ଡେ’ର କୁସଂସ୍କାର ବିସ୍ତାର ନହେବାପାଇଁ ଏହି ଦିନକୁ ‘ମାତୃପିତୃ ପୂଜନ ଦିବସ’ ରୂପେ ଦୀର୍ଘ ଦଶ ବର୍ଷ ଧରି ଆମ ଦେଶରେ ପାଳିତ ହୋଇ ଆସୁଛି। ପିତାମାତାମାନେ ପିଲାମାନଙ୍କର ଚରିତ୍ର ଗଠନ ପାଇଁ ସେମାନଙ୍କଠାରେ ମାତୃପିତୃ ପୂଜା ସହିତ ଗୁରୁପୂଜା ଓ ମାତୃଭୂମି ପୂଜାର ଭାବନା ନିର୍ମାଣ କରାଇବା ଉଚିତ୍। ମୁଖ୍ୟ ଅତିଥି ପ୍ରଫେସର ଦୋରା କହିଲେ ସାମ୍ପ୍ରତିକ ପରିସ୍ଥିତିରେ ଆମେ ପିଲାମାନଙ୍କୁ ଉପଯୁକ୍ତ ଅନୁଶାସନ ଓ ନୀତି ଶିକ୍ଷା ମାଧ୍ୟମରେ ଗଢିପାରିଲେ ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ। ଏକ ଭାବବିହ୍ୱଳ ଢଙ୍ଗରେ ସେ କହିଲେ ମହାବିଦ୍ୟାଳୟ ସ୍ତରରେ ଏଭଳି ଏକ ସ୍ୱତନ୍ତ୍ର ପରିବେଶ ମୁଁ ଏଠାରେ ପ୍ରଥମ କରି ଦେଖିଲି। ଏଭଳି ପରିବେଶ ଯଦି ସମସ୍ତ ଶିକ୍ଷାନୁଷ୍ଠାନରେ ସୃଷ୍ଟି କରିହେବ ଦେଶରୁ ଅନୀତି, ଦୁର୍ନୀତି ଓ ଭ୍ରଷ୍ଟାଚାର ଲୋପ ପାଇଯିବ। ମୁଖ୍ୟ ବକ୍ତା ଭାବରେ ବିବେକାନନ୍ଦ ବିଜ୍ଞାନ ଭବନର ସଭାପତି ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଅଶୋକ କୁମାର ନନ୍ଦ ଯୋଗଦେଇ କହିଲେ ଆଜିର ସାମାଜିକ ବ୍ୟବସ୍ଥା ଭୁଷୁଡି ପଡିଛି। ଆମ ମହାନ୍ ସଂସ୍କୃତିର ଅବକ୍ଷୟ ଘଟିଛି। ଏଭଳି ମାତୃପିତୃୃ ପୂଜନ ଉତ୍ସବରେ ପ୍ରେମର ପ୍ରକୃତ ମୂଲ୍ୟ ପିଲାମାନେ ସେମାନଙ୍କ ମା’ବାପାଙ୍କ ନିକଟରେ ପାଇପାରିବେ। ଏହାଦ୍ୱାରା ପିଲାମାନେ ସଂଯମ, ସଦାଚାର, ଧୈର୍ଯ୍ୟ, ବୁଦ୍ଧି, ସାହସ, ଶକ୍ତି ଓ ପରାକ୍ରମ ଭଳି ଦିବ୍ୟଗୁଣର ଅଧିକାରୀ ହୋଇ ସୁସ୍ଥ, ସୁନ୍ଦର ଓ ସମ୍ମାନଯୁୁକ୍ତ ସୁଖି ଜୀବନ ବିତାଇ ପାରିବେ। ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଖୋର୍ଦ୍ଧା ଜିଲ୍ଲା ଜଜ୍ ଧନୁର୍ଦ୍ଧର ସେନାପତି, ପୋଲିସ ବିଭାଗର ପ୍ରାକ୍ତନ ଡେପୁଟି କମାଣ୍ଡାଂଟ୍ ରାଜେନ୍ଦ୍ର କୁମାର ନରେନ୍ଦ୍ର, ଖୋର୍ଦ୍ଧା ବ୍ଲକ୍ ଶିକ୍ଷାଧିକାରୀ ସତ୍ୟବାନ୍ ଶ୍ରୀଚନ୍ଦନ, ଶିକ୍ଷାବିତ୍ ଡକ୍ଟର ବୃନ୍ଦାବନ ପଣ୍ଡା ପ୍ରମୁଖ ଯୋଗଦେଇ କହିଲେ ମୂଲ୍ୟବୋଧ ଭିତିକ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ହେବାରୁ ଆଜି ଆମ ପିଲାଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇପଡିଛି, ସେଥିପାଇଁ ଆମ ସମସ୍ତଙ୍କୁ ସଜାଗ ହେବାକୁ ପଡିବ। ଏହି କାର୍ଯ୍ୟକ୍ରମରେ ଅଭିଭାବକ ମୀନକେତନ ଦାସ, ଭଗବାନ ଦେହୁରୀ, ଶିକ୍ଷାବିତ ଦୟାନିଧି ସାହୁ, ଆଇନଜୀବି ବିଜୟ ସାମନ୍ତସିଂହାର, ବ୍ରଜକିଶୋର ସାହୁ, ସମାଜସେବୀ ଇତିଶ୍ରୀ ସାହୁ, ରଶ୍ମୀ ମିଶ୍ର ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ କହିଲେ ଏହିଭଳି ପରିବେଶ ଥିବା ଅନୁଷ୍ଠାନରେ ନିଜର ପିଲାମାନଙ୍କୁ ପାଠ ପଢାଇଲେ ପିଲାମାନଙ୍କଠାରେ ସାମାଜିକ, ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ ଭାବନାର ବିକାଶ ହୋଇପାରିବ। ଏହି ଅବସରରେ ସୁଶ୍ରୀ ଶୁଭଲକ୍ଷ୍ମୀ ନନ୍ଦଙ୍କର ତ୍ରୟୋଦଶ ବାର୍ଷିକ ଜନ୍ମୋତ୍ସବ ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ଏକ ସ୍ୱସ୍ତିକ ମଣ୍ଡଳରେ ଚଉଦଟି ଦୀପ ଲଗାଇ ପୂଜନ କରାଯାଇ ପାଳିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରଫୁଲ୍ଲ ମହାପାତ୍ର, ସଭ୍ୟଲତା କର, ସିଦ୍ଦେଶ୍ୱର ସିଂହ, କେଦାର ନାଥ ପାତ୍ର, ଜ୍ୟୋତ୍ସା ନରେନ୍ଦ୍ରଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତା, ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବି ଓ ସମାଜସେବୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *