ବିବିଆଇଏନ୍ ମୋଟର ଭେଇକିଲ ଏଗ୍ରିମେଂଟ : ଯାତ୍ରୀବାହୀ ଯାନ ଚଳାଚଳ ନିମନ୍ତେ ବାଂଲାଦେଶ, ଭାରତ ଓ ନେପାଳ ସହମତ

ନୂଆଦିଲ୍ଲୀ ୧୭-୧ (ଓଡ଼ିଆ ପୁଅ)୨୦୧୫ ଜୁନ୍ ରେ ସ୍ୱାକ୍ଷର ହୋଇଥିବା ବାଂଲାଦେଶ-ଭୁଟାନ-ଭାରତ-ନେପାଳ (ବିବିଆଇଏନ୍ ) ମୋଟର ଭେଇକିଲ ଏଗ୍ରିମେଂଟ (ଏମଭିଏ) ଅନୁଯାୟୀ ଯାତ୍ରୀବାହୀ ଯାନର ଚଳାଚଳ ନିମନ୍ତେ ବାଂଲାଦେଶ, ଭାରତ ଓ ନେପାଳ ସହମତ ହୋଇଛନ୍ତି। ଏଥିପାଇଁ ଆବଶ୍ୟକ ଆଭ୍ୟନ୍ତରୀଣ ଅନୁମତି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ନିଷ୍ପତି ହୋଇଛି। ଅଂଶୀଦାର ଦେଶ ଗୁଡ଼ିକ ମାଲବାହୀ ଯାନ ଚଳାଚଳ ନିମନ୍ତେ ଅଧିକ ପରୀକ୍ଷା ନିରୀକ୍ଷା କରିବାକୁ ରାଜି ହୋଇଛନ୍ତି। ଜାନୁଆରୀ ୧୦-୧୧ ତାରିଖରେ ବେଙ୍ଗାଲୁରୁରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଭାରତ, ନେପାଳ ଓ ବାଂଲାଦେଶର ଉଚ୍ଚପଦସ୍ଥ ଅଧିକାରୀମାନେ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭୁଟାନର ଏକ ସରକାରୀ ପ୍ରତିନିଧିଦଳ ମଧ୍ୟ ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ।

୨୦୧୫ ଜୁନ୍ ୧୫ରେ ଭୁଟାନର ଥିମ୍ପୁଠାରେ ବିବିଆଇଏନ ଦେଶ ସମୂହର ପରିବହନ ମନ୍ତ୍ରୀମାନେ ଏହି ଏମଭିଏରେ ସ୍ୱାକ୍ଷର କରିଥିଲେ। ଅତୀତରେ ପରୀକ୍ଷାମୂଳକ ଭାବେ ମାଲବାହୀ ଯାନ କୋଲକାତା-ଢାକା-ଅଗରତାଲା ଏବଂ ଦିଲ୍ଲୀ-କୋଲକାତା-ଢାକା ମଧ୍ୟରେ ଚଳାଚଳ କରିଛି। ପରୀକ୍ଷାମୂଳକ ଭାବେ ହୋଇଥିବା ଚଳାଚଳ ଅଂଶୀଦାର ଦେଶଗୁଡ଼ିକର ଆର୍ଥିକ ଫାଇଦା ପାଇଁ ସଫଳ ହୋଇଛି। ବାଂଲାଦେଶ, ନେପାଳ ଏବଂ ଭାରତ ଇତି ମଧ୍ୟରେ ଏମଭିଏର ଚୁକ୍ତିକୁ ଅନୁମୋଦନ ଦେଇ ଗାଡ଼ି ଚଳାଚଳ ପାଇଁ ସହମତ ହୋଇଛନ୍ତି। ଭୁଟାନ ଏହି ଚୁକ୍ତିକୁ ଅନୁମୋଦନ କରିବା ପରେ ଏଥିରେ ସାମିଲ ହେବ।

ବେଙ୍ଗାଲୁରୁ ବୈଠକରେ ଅଧ୍ୟକ୍ଷତା କରିଥିବା ସଡ଼କ ପରିବହନ ମନ୍ତ୍ରାଳୟ ଯୁଗ୍ମ ସଚିବ ଦକ୍ଷିତା ଦାସ କହିଛନ୍ତି ଯେ, ଏମଭିଏକୁ କାର୍ଯ୍ୟକାରୀ କରିବାକୁ ବିବିଆଇଏନ ଦେଶ ସମୂହର ଆନ୍ତରିକତା ଦେଖି ମୁଁ ଉତ୍ସାହିତ। ଉପ-ଅଂଚଳରେ ସୀମାପାର ବାଣିଜ୍ୟ ଓ ଆର୍ଥିକ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ଏମଭିଏକୁ ସଫଳ କରିବା ସକାଶେ ଭାରତ ଯଥାସମ୍ଭବ ଉଦ୍ୟମ କରିବ ବୋଲି ସେ କହିଛନ୍ତି।

ବିବିଆଇଏନ ଏମଭିଏ ପଦକ୍ଷେପକୁ ସଫଳ କରିବା ପାଇଁ ଏସିଆନ ଉନ୍ନୟନ ବ୍ୟାଙ୍କ (ଏଡିବି) ପ୍ରଯୁକ୍ତିଗତ, ପରାମର୍ଶ ଏବଂ ଆର୍ଥିକ ସହାୟତା ପ୍ରଦାନ କରୁଛି। ଦକ୍ଷିଣ ଏସୀୟ ଉପ-ଅଂଚଳ ଆର୍ଥିକ ସହଯୋଗ (ଏସଏଏସଇସି) ଯୋଜନାରେ ଏଡିବି ବିବିଆଇଏନ ଦେଶ ସମୂହ ସହ ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ମ୍ୟଁମାରକୁ ଏକାଠି କରିବା ସକାଶେ ଏହି ପଦକ୍ଷେପ ନେଇଛି।

ବୈଠକରେ ବାଂଲାଦେଶ ସଡ଼କ ପରିବହନ ଏବଂ ବ୍ରିଜ୍ ମନ୍ତ୍ରାଳୟ ଅତିରିକ୍ତ ସଚିବ ସଫିଗୁଲ ଇସଲାମ୍,  ନେପାଳର ଫିଜିକାଲ ଇନଫ୍ରାଷ୍ଟ୍ରକଚର ଆଣ୍ଡ ଟ୍ରାନ୍ସପୋର୍ଟ ମନ୍ତ୍ରାଳୟର ଯୁଗ୍ମ ସଚିବ କେଶବ କୁମାର ଶର୍ମା ତିନୋଟି ଦେଶ ମଧ୍ୟରେ ସରକାରୀ/ବେସରକାରୀ ଯାତ୍ରୀବାହୀ ଯାନ ଚଳାଚଳ ନିମନ୍ତେ ଜରୁରି ଆନୁଷଙ୍ଗିକ ଅନୁମତି ପ୍ରକ୍ରିୟା ଯଥାରୀତି ସମ୍ପନ୍ନ କରିବାକୁ ରାଜି ହୋଇଥିଲେ। ୨୦୧୮ ଏପ୍ରିଲ ପରେ କେତେକ ନିଦ୍ଦିଷ୍ଟ ରୁଟ୍ ରେ ପରୀକ୍ଷାମୂଳକ ଭାବେ ମାଲବାହୀ ଯାନ ଚଳାଚଳ ଜାରି ରଖିବାକୁ ସେମାନେ ସହମତ ହୋଇଥିଲେ। ଉପ-ଅଂଚଳରେ ପରିବହନ ସୁବିଧାକୁ ବ୍ୟାପକ କରିବା ନିମନ୍ତେ ଏହି ବୈଠକର ଆଲୋଚନା ଏକ ମାଇଲଖୁଂଟ ବୋଲି ସମସ୍ତେ ମତ ଦେଇଥିଲେ। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *