ବିବାହ ବେଳେ ନାବାଳିକାକୁ ଉଦ୍ଧାର କଲା ପୋଲିସ, ବର ଗିରଫ

ଯାଜପୁର, ୧୧/୦୭ (ଓଡିଆ ପୁଅ/ମାନସ ରାଉତ)-ବଡ଼ଚଣା ଥାନା ବାଉଂଶପୁଟ ଗ୍ରାମରୁ ଗତ ଜୁନ ୨୯ ତାରିଖ ଦିନ ନବମ ଶ୍ରେଣୀରେ ପଢୁଥିବା ଜଣେ ୧୪ ବର୍ଷିୟା ନାବାଳିକାକୁ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଛଅ ଗାଁ ଗ୍ରାମର ସୁରେନ୍ଦ୍ର ରାଉତଙ୍କ ପୁଅ ବିବେକ ରାଉତ ଅପହରଣ କରିନେଇଥିଲା। ଜଣେ ନାବାଳିକାକୁ ଅପହରଣ କରିନେଇ ତାର ପ୍ରେମିକ ବେଦୀରେ ବସି ବଳ ପୂର୍ବକ ନିଜ ଘରେ ବିବାହ କରୁଥିବା ବେଳେ ବଡ଼ଚଣା ପୋଲିସ୍ ସେଠାରେ ପହଞ୍ଚି ମଙ୍ଗଳବାର ଦିନ ବରକୁ ଗିରଫ କରିବା ସଙ୍ଗେ ସଙ୍ଗେ ନାବାଳିକାକୁ ଉଦ୍ଧାର କରିଛି। ଦୀର୍ଘ ୧୧ ଦିନ ଧରି ନାବାଳିକାଙ୍କୁ ଯୁବକ ଜଣକ ଅପହରଣ କରିନେଇ କେଉଁଠାରେ ଲୁଚାଇ ରଖିଥିଲା। ଗତ ୩ ତାରିଖରେ ଏ ସମ୍ପର୍କରେ ନାବାଳିକାର ପିତା ବଡ଼ଚଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ କେସ୍ ନଂ ୧୪୧/୧୮ରେ ମାମଲା ରୁଜୁ କରି ପୋଲିସ ଖୋଜୁଥିଲା ବେଳେ ମଙ୍ଗଳବାର ବିବାହ ହେଉଥିବା ଜାଣିବାକୁ ପାଇଥିଲା। ଏହି ଖବର ଜାଣିବା ପରେ ବଡ଼ଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ ପୋଲିସ୍ ଦଳ ବିବାହ ସ୍ଥଳରେ ଚଢାଉ କରିଥିଲା। ବର ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ତାଙ୍କୁ କାବୁ କରିନେବା ସହ କନ୍ୟା ବେଶରେ ଥିବା ନାବାଳିକାକୁ ବେଦିରୁ ଉଦ୍ଧାର କରିଥିଲା। ପରେ ଉଭୟଙ୍କୁ ବଡ଼ଚଣା ଥାନାକୁ ଆଣି ନାବାଳିକାକୁ ଡ଼ାକ୍ତର ମାଇନା କରାଯିବା ସହ ଆସନ୍ତା କାଲି କେସ୍ ନଂ ୧୪୧/୧୮ ଦଫା ୩୬୩, ୩୬୬, ୩୭୬ ଓ ୬ ପୋକ୍ସ ଆକ୍ଟ୍ ଚଣ୍ଡିଖୋଲ କୋର୍ଟରେ ହାଜର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣା ବଡ଼ଚଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *