ବିବାହର ୮ ଦିନ ପରେ… କଲେଜରେ ନାମ ଲେଖାଇବାକୁ ଆସି ସ୍ତ୍ରୀ ନିଖୋଜ

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବିବାହର ୮ ଦିନ ପରେ ସ୍ତ୍ରୀ ନିଖୋଜ ହୋଇଛନ୍ତି। ସ୍ତ୍ରୀକୁ ଖୋଜି ବାହାର କରିବା ଲାଗି ସ୍ୱାମୀ ପୁଲିସର ସହାୟତା ଲୋଡିଛି। ଏଥିନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ରିପୋର୍ଟ ହୋଇଛି। ରିପୋର୍ଟ ଅନୁଯାୟୀ, ଧୁଷୁରୀ ଥାନା ଅନ୍ତର୍ଗତ ଅସୁରାଳି ଉଚପଦା ଗ୍ରାମର ନିମାଇଁ ଦାସ(୩୩) ଗତ ମେ ୨ ତାରିଖରେ ଭଦ୍ରକ ସହର ପାଖ ଗେଲପୁରର ଏକ ଝିଅକୁ ବିବାହ କରିଥିଲେ। ଗୁରୁବାର (୧୦ ତାରିଖ) ଦିନ ନିମାଇଁ ନିଜ ସ୍ତ୍ରୀଙ୍କ ସହ ଭଦ୍ରକ ଆସିଥିଲେ। ନିମାଇଁଙ୍କ ଅନୁସାରେ, ତାଙ୍କ ସ୍ତ୍ରୀ ଚରମ୍ପା ମହାବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷରେ ନାମ ଲେଖାଇବା ଲାଗି ଚାହିଁଥିଲେ। ନାମ ଲେଖାଇବା ଲାଗି ନିମାଇଁ ବାଇକ ଯୋଗେ ସ୍ତ୍ରୀଙ୍କୁ ଆଣି ଗୁରୁବାର ଦିନ ସାଢେ ୧୧ଟାରେ ଚରମ୍ପା କଲେଜରେ ଛାଡିଥିଲେ। ଦିନ ଗୋଟାଏ ବେଳକୁ ନିମାଇଁ ଚରମ୍ପା କଲେଜରେ ପହଞ୍ଚି ସ୍ତ୍ରୀକୁ ଖୋଜାଖୋଜି କରି ପାଇ ନଥିଲେ। ବ୍ୟସ୍ତ ହୋଇ ସ୍ତ୍ରୀ ଦେଇଥିବା ଜଣେ ସାଙ୍ଗର ନମ୍ବରକୁ ଫୋନ କରିଥିଲେ। କିନ୍ତୁ ସେଇଟା ରଙ୍ଗ୍ ନମ୍ବର ଥିଲା। ପରେ ନିମାଇଁ ନିଜ ଶ୍ୱଶୁର ଘର ଓ ବନ୍ଧୁବାନ୍ଧବ ଘରକୁ ଯୋଗାଯୋଗ କରିଥିଲେ ବି କିଛି ଖବର ମିଳି ନଥିଲା। ତେବେ ଚତୁର୍ଥୀରେ ମିଳିଥିବା ଉପହାର ବାବଦ ଅଳଙ୍କାର ଓ ନଗଦ ୬୨ ହଜାର ଟଙ୍କା ତାଙ୍କ ସ୍ତ୍ରୀ ଘରୁ ଲୁଚାଇ ନେଇ ଆସିଛି ବୋଲି ନିମାଇଁ ଦର୍ଶାଇଛନ୍ତି। ଥାନାରେ ସବୁକଥା ଜଣାଇ ନିମାଇଁ ଏବେ ପତ୍ନୀଙ୍କ ସନ୍ଧାନରେ ଅଛନ୍ତି।

Leave a Reply

Your email address will not be published. Required fields are marked *