ବିବାହର ୧୫ବର୍ଷ ପରେ ବି ନିର୍ଯ୍ୟାତନା ! ସ୍ତ୍ରୀ ଏତେଲା ଦେଲେ ଥାନାରେ

ବାହାନଗା/ ବାଲେଶ୍ୱର, ୧୨/୦୩(ଓଡ଼ିଆ ପୁଅ/ ଭାରତୀ ଦାସ)- ବିବାହର ୧୫ବର୍ଷ ପରେ ବି ମହିଳା ନିଜ ସ୍ୱାମୀ ଓ ଶାଶୁଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇ ବାପଘରେ ଆଶ୍ରିତ ହୋଇଥିବାର ଜଣାପଡ଼ିଛି। ମହିଳା ନିଜ ବାପାଙ୍କ ସହ ଥାନାରେ ଅଭିଯୋଗ କରିଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଖନ୍ତାପଡ଼ା ଥାନା ଅଧିନ ତାଳପଦା ଗ୍ରାମର ସୁରେନ୍ଦ୍ର ଦାସଙ୍କ ଝିଅ ପ୍ରତିମା ୧୫ବର୍ଷ ତଳେ ଏହି ଥାନା ଅଧିନ କୁଳିଗାଁର ୰ଗଙ୍ଗାଧର ମଳିକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଯୌତୁକ ପ୍ରଦାନ କରାଯାଇଥିଲା। ତେବେ ବିବାହର ୭/୮ମାସପରେ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଓ ଶାଶୁ ବାସନ୍ତି ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ତେବେ ଇତି ମଧ୍ୟରେ ୨ପୁଅଙ୍କ ଭବିଷ୍ୟତକୁ ଚାହିଁ ପ୍ରତିମା ସବୁ ନିର୍ଯ୍ୟାତନାକୁ ସହ୍ୟ କରିଆସୁଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ ଥାନାରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହୋଇଥିଲେ। ଥାନାରେ କୌଣସି ପ୍ରକାରର ନିଯ୍ୟାତନା କରିବେ ନାହିଁ ବୋଲି ସ୍ୱାମୀ ଓ ଶାଶୁ ଆପୋଷ ବୁଝାମଣାରେ ସମାଧାନ ହୋଇଥିଲା।ତେବେ କିଛି ଦିନ ପରେ ପୁଣି ସ୍ୱାମୀ ଓ ଶାଶୁ ବିନା କାରଣରେ ପିଟାମରା କରିଥିଲେ। ଗତ କାଲି ସ୍ୱାମୀ ଓ ଶାଶୁ ପ୍ରତିମାଙ୍କୁ ପିଟିପିଟି ଘରୁ ବାହାର କରି ଦେଇଥିଲେ। ଏବାବଦରେ ପ୍ରତିମା ଥାନାରେ ଅଭିଯୋଗ କରିବା ପରେ ଖନ୍ତାପଡ଼ା ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *