ବିବାଦ ଘେରରେ‘ଆନ୍ଧ୍ର ମାଛ’ ମାଛ ବଜାର ମାନ୍ଦା, ବେପାରୀ ହତାଶ

ରାଉରକେଲା ୧୭-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ‘ଆନ୍ଧ୍ର ମାଛ’ ବିବାଦ ଘେରରେ ଆସିବା ପରେ ଏହାର ସିଧାସଳଖ ପ୍ରଭାବ ମାଛ ବଜାରରେ ପଡ଼ିଥିବା ଦେଖିବାକୁ ମିଳିଛି। ମାଛକୁ ସତେଜ ରଖିବା ଲାଗି ଆନ୍ଧ୍ର ମାଛରେ ଫର୍ମାଲିନଯୁକ୍ତ ରାସାନିୟକ ଲଗାଯାଉଥିବାରୁ ଏହା ସ୍ୱାସ୍ଥ୍ୟପକ୍ଷେ ହାନିକାରକ ବୋଲି ପ୍ରମାଣିତ ହେବା ପରେ ଏହାକୁ ନେଇ ଗ୍ରାହକ ଆତଙ୍କିତ ହୋଇପଡ଼ିଛନ୍ତି। ରାଉରକେଲା ସ୍ଥିତ ମାଛ ବଜାରରେ ମାଛ ବିକ୍ରୀ ଉପରେ ମାନ୍ଦାବସ୍ଥା ନଜରକୁ ଆସିଛି। ଆଜି ରବିବାର ସୁପରମାର୍କେଟରେ ଥିବା ମାଛ ଦୋକାନ ଗୁଡ଼ିକରେ ପୂର୍ବ ରବିବାର ଭଳି ଏତେଟା ବେପାର ଦେଖିବାକୁ ମିଳିନଥିଲା। ଗତ ରବିବାର ମାଛ ବଜାରରେ ପ୍ରାୟ ୬୦୦ କିଲୋ ମାଛ ବିକ୍ରି ହୋଇଥିବା ବେଳେ, ଆଜି ୭୦ରୁ ୮୦ କିଲୋ ମାଛ ବିକ୍ରି ହୋଇଥିଲା ବୋଲି ଜଣେ ମାଛ ବେପାରୀ ପ୍ରକାଶ କରିଛନ୍ତି। ଯାହା ଫଳରେ ଆନ୍ଧ୍ର ରୋହୀ ମାଛ କିଣିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଆସାମରେ ଆନ୍ଧ୍ର ମାଛକୁ ସେଠାକାର ସରକାର ବିକ୍ରି ଉପରେ ନିଷିଦ୍ଧାଦେଶ ଜାରି କରିସାରିଛନ୍ତି। ଓଡ଼ିଶା ସରକାର ସ୍ଥିତି ଉପରେ ଅନୁଧ୍ୟାନ ଜାରି ରଖିଛନ୍ତି। ରାଉରକେଲାକୁ ବହୁ ମାତ୍ରାରେ ବିଭିନ୍ନ କିସମର ମାଛ ଆନ୍ଧ୍ରରୁ ଆମଦାନୀ ହୋଇଥାଏ। ବିଶେଷ କରି ଆନ୍ଧ୍ର ରୋହୀକୁ ଗ୍ରାହକ ମାନେ ଅଧିକ ମାତ୍ରାରେ ପସନ୍ଦ କରିଥାନ୍ତି। ବର୍ତମାନ ଗ୍ରାହକ ମାନେ ଆନ୍ଧ୍ର ମାଛ ଠାରୁ ଦୂରେଇ ଯାଇଥିବା ବେଳେ ପୋଖରୀ, ନଦୀର ଚୁନାମାଛ, କଙ୍କଡ଼ା, ଚିଙ୍ଗୁଡ଼ି ମାଛ ଖାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଅପରପକ୍ଷରେ ଆନ୍ଧ୍ର ମାଛର ଚାହିଦା କମି ଯାଇଥିବା ବେଳେ, ଚିକେନ, ମଟନ, ଅଣ୍ଡାର ଅହେତୁକ ଚାହିଦା ଗ୍ରାହକଙ୍କ ଠାରେ ବୃଦ୍ଧି ପାଇଛି। ଖୁଚୁରା ମାଛ ବେପାରୀ ମାନେ ପାଇକାରୀ ବେପାରୀ ମାନଙ୍କ ଠାରୁ ଆନ୍ଧ୍ର ମାଛ ଖରିଦ କରୁନଥିବାରୁ ବଡ଼ ବେପାରୀ ମାନେ ବହୁଳ ଭାବରେ କ୍ଷତିର ସମ୍ମୁଖୀନ ହେଉଛନ୍ତି। ସେହିପରି ବିଭିନ୍ନ ବିବାହ ଭୋଜିରେ ଅତିଥି ମାନଙ୍କୁ ସହଜ ସୁଲଭ ଆମିଷ ଖାଦ୍ୟ ମାଛ ପରିବେଷଣ କରିବାକୁ ଇଚ୍ଛା ପ୍ରକାଶ କରୁଥିବା ମୁରବୀଜଣଙ୍କ ଆନ୍ଧ୍ର ମାଛକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ମାତ୍ର ଉପଯୁକ୍ତ ଜନସଚେତନତା ଅଭାବରୁ ଗ୍ରାମାଚଂଳ ତଥା ବସ୍ତି ଅଂଚଳର ବାସିନ୍ଦା ମାନେ ଏବେ ମଧ୍ୟ ଆନ୍ଧ୍ରମାଛ ବଜାରରୁ ଖରିଦ କରୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *