ବିପର୍ଯ୍ୟସ୍ତ ଉଚ୍ଚଶିକ୍ଷା: ଗୋଟିଏ ହେଲେ କଲେଜରେ ନାହାନ୍ତି ନିୟମିତ ଅଧ୍ୟକ୍ଷ : ହଜାର ହଜାର ଅଧ୍ୟାପକ ପଦବୀ ଖାଲି

ଭୁବନେଶ୍ୱର, ୮ା୯ (ଓଡ଼ିଆ ପୁଅ) : ଓଡ଼ିଶାର ଗୋଟିଏ ହେଲେ ସରକାରୀ କିମ୍ବା ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଏଗୁଡ଼ିକରେ ପ୍ରାୟ ୩ ହଜାର ଶିକ୍ଷକ ପଦବୀ ଖାଲିପଡ଼ିଛି। ଏହାଛଡ଼ା ଏହି କଲେଜଗୁଡ଼ିକରେ ୨ ହଜାରରୁ ଅଧିକ ଅଣଶିକ୍ଷକ ପଦବୀ ମଧ୍ୟ ଖାଲି। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ବିଧାନସଭାରେ ଦେଇଥିବା ବିବରଣୀରୁ ଏହି ଉଦ୍ବେଗଜନକ ତଥ୍ୟ ଜଣାପଡ଼ିଛି।

ଉଚ୍ଚଶିକ୍ଷା ବିଭାଗ ଅଧିନରେ ୫୨ଟି ସରକାରୀ ଓ ୫୯୮ଟି ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ରହିଛି। ଏଥିରୁ କୌଣସି ଗୋଟିଏ ହେଲେ କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସରକାରୀ ଡିଗ୍ରୀ କଲେଜଗୁଡ଼ିକରୁ ୨୯ଟିର ଅଧ୍ୟକ୍ଷ ପଦବୀ ପୂରଣ ପାଇଁ ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଥିବା ବେଳେ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜଗୁଡ଼ିକର ଅଧ୍ୟକ୍ଷ ପଦବୀ ପୂରଣ ପାଇଁ ସରକାର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ସରକାରୀ ଡିଗ୍ରୀ କଲେଜଗୁଡ଼ିକ ଲାଗି ୨୩୦୬ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ଥିବା ବେଳେ ସେଥିରେ ଏବେ କାର୍ଯ୍ୟରତ ଅଛନ୍ତି ମାତ୍ର ୧୦୨୨ ଜଣ ଅଧ୍ୟାପକ ଓ ଅଧ୍ୟାପିକା। ଏହି ୫୨ଟି ସରକାରୀ ଡିଗ୍ରୀ କଲେଜରେ ୧୨୮୪ଟି ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ୧୨୩ ଜଣ ଆଡହକ୍ ଓ ଅତିଥି ଅଧ୍ୟାପକ ନିୟୋଜନ କରି ପାଠ ପଢ଼ାଯାଉଛି। ତେବେ ୧୬୧ଟି ନିୟମିତ ଅଧ୍ୟାପକ ପଦବୀ ଚୟନ ଲାଗି ଲୋକସେବା ଆୟୋଗକୁ କୁହାଯାଇଛି। ଏହି କଲେଜଗୁଡ଼ିକ ଲାଗି ୨୨୯୯ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବା ବେଳେ ସେଥିରେ ମାତ୍ର ୧୧୩୪ ଜଣ କାର୍ଯ୍ୟରତ ଥିବା ବେଳେ ୧୧୬୫ଟି ଖାଲିପଡ଼ିଛି।

ସେହିପରି ଅନୁଦାନପ୍ରାପ୍ତ ୫୯୮ଟି ବେସରକାରୀ ଡିଗ୍ରୀ କଲେଜରେ କେଉଁଠି ବି ହେଲେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଏଗୁଡ଼ିକ ପାଇଁ ୬୩୬୪ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ଥିବା ବେଳେ ସେଥିରୁ ୧୬୬୬ଟି ଖାଲିପଡ଼ିଛି। ଖାଲି ପଡ଼ିଥିବା ପଦବୀଗୁଡ଼ିକରୁ ୮୩୩ଟି ପୂରଣ ପାଇଁ ରାଜ୍ୟ ସିଲେକ୍ସନ୍ ବୋର୍ଡକୁ କୁହାଯାଇଛି। ଏହି ବେସରକାରୀ ଡିଗ୍ରୀ କଲେଜଗୁଡ଼ିକ ଲାଗି ୩୬୯୮ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ୧୦୯୮ଟି ଖାଲିପଡ଼ିଛି ଓ ତାହା ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।

ରାଜ୍ୟର ଗୋଟିଏ ହେଲେ ସରକାରୀ କିମ୍ବା ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜରେ ଦୀର୍ଘ ବର୍ଷ ଧରି ନିୟମିତ ଅଧ୍ୟକ୍ଷ ନ ରହିବା ଏବଂ ଏଗୁଡ଼ିକରେ ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ଖାଲି ରହିବା ଘଟଣାରୁ ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥା କେତେ ଦୟନୀୟ ତାହା ସ୍ପଷ୍ଟ ବାରି ହୋଇଯାଉଛି ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଏହି ପଦବୀଗୁଡ଼ିକ ପୂରଣ କରିବାକୁ ନିବେଦନ କରିଛନ୍ତି। ଦଳମତ ନିର୍ବିଶେଷରେ ନିର୍ବାଚିତ ପ୍ରତିନିଧି, ରାଜନେତା ଏବଂ ଛାତ୍ର ଓ ଯୁବ ସଙ୍ଗଠନଗୁଡ଼ିକ ଏଥିଲାଗି ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଶ୍ରୀ ରାୟ ଆହ୍ୱାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *