ବିପଦ ସଙ୍କୁଳ ଅବସ୍ଥାରେ ବ୍ରାହ୍ମଣୀ ପୋଲ ସବୁ ଦେଖି ନଦେଖିଲା ପରି ଜାତୀୟ ରାଜପଥ ଅଧିକାରୀ

ଯାଜପୁର-୧୩/୯(ଓଡିାା ପୁଅ/ଏ.ରାଉତ) ରାସ୍ତାର ସୁରକ୍ଷା ହୋଇପାରିଲେ ମୂଲ୍ୟବାନ ଜୀବନ ରକ୍ଷା ହୋଇପାରିବ ବୋଲି ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲା ବେଳେ ୧୬ ନଂ ହେଉ କିମ୍ବା ୫୩ ନଂ ଜାତୀୟ ରାଜପଥ ଉପରେ ଥିବା ଦୁଇଟି ଯାକ ବ୍ରାହ୍ମଣୀ ପୋଲ ଅସୁରକ୍ଷିତ ଅବସ୍ଥାରେ ଥିଲାବେଳେ ଅନେକ ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ହାନି ହେଉଛି । ହେଲେ ଉଭୟ ଜାତୀୟ ରାଜପଥ ଉପରେ ଥିବା ପୋଲି ଦୁଇଟି ଉପରେ ଜାତୀୟ ରାଜପଥ ଅଧିକାରୀଙ୍କର ଦୃଷ୍ଟି ନପଡିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ପ୍ରକାଶ ଥାଉକି ୫୩ ନମ୍ୱର ଜାତୀୟ ରାଜପଥ ଉପରେ କବାଟବନ୍ଧରେ ଥିବା ପୋଲ ଭୁସୁଡିବା ଅବସ୍ଥାରେ ରହିଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟସ୍ଥ ପୁରୁଣା ବ୍ରାହ୍ମଣୀ ପୋଲର ଅବସ୍ଥା ଶୋଚନୀୟ ହୋଇପଡିଛି । ପ୍ରତିଦିନ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଭୁବନେଶ୍ୱରୁ କଲିକତା ଅନେକ ଯାତ୍ରୀବାହି ଯାନ ଏହି ପୋଲ ଉପରଦେଇ ଯିବା ଆସିବା କରିଥାନ୍ତି । ଏପରିକି ଅନେକ ମାଲବାହି ଯାନ ଏହି ପୋଲ ଉପରେ ମଧ୍ୟ ନିର୍ଭରଶୀଳ । ପୋଲ ଉପରେ ଅନେକ ଜାଗାରେ ବଡବଡ ଗର୍ତ୍ତ ସୃଷ୍ଟି ହୋଇ ପ୍ରତିଦିନ ଏହାଯୋଗୁ ଛୋଟବଡ ଦୁର୍ଘଟଣା ଘଟୁଛି । ହେଲେ କୌଣସି ଜାଗାରେ ପୋଲ ବିପଦ ପୂର୍ଣ୍ଣ ଅବସ୍ଥାରେ ଥିବା ସାଇନ୍ ବୋର୍ଡଟିଏ ମଧ୍ୟ ମରାଯାଇନାହିଁ । କେବଳ ଗୋଟିଏ ଜାଗାରେ ବଡ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ବ୍ୟାରିକେଟ୍ ଟିଏ ଲଗାଇଦେଇ ରାଜପଥ ବିଭାଗର କର୍ମଚାରୀ ତାଙ୍କ ଦାୟିତ୍ୱସାରି ବସିଯାଇଛନ୍ତି । ପ୍ରତିଦିନ ସ୍ଥାନୀୟ ଅଞ୍ଚଳର କୃଷକମାନେ ନିକଟସ୍ଥ ବାରବାଟୀ ପରିବା ମାର୍କେଟକୁ ପରିବାବୋଝେଇ ଦୁଇଚକିଆଟିଏ ନେବାପାଇଁ ହନ୍ତସନ୍ତ ହେଉଛନ୍ତି । ସାଧାରଣ ଲୋକଙ୍କୁ ହଇରାଣ କରି ଜାତୀୟ ରାଜପଥ ଅଧିକାରୀ କି ଲାଭ ପାଉଛନ୍ତି ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହେଲମେଟ୍ ,ଡ୍ରାଇଭିଂ ଲାଇସେନ୍ସ୍ ,ଫିଟନେସ୍ ପରମିଟ୍ ଓଭରଲୋଡିଂ ତନଖି କରି ମୂଲ୍ୟବାନ୍ ଜୀବନ ବଞ୍ଚାଇବା ପାଇଁ ସରାକାର ଗୁରୁତ୍ୱ ଦେଉଥିଲାବେଳେ ମୁଖ୍ୟ ରାସ୍ତା ଉପରେ ନଜର ଦେଉନଥିବା ଅଭିଯୋଗ ହେଉଛି । ଏନେଇ ଜାତୀୟ ରାଜପଥ ଚଣ୍ଡିଖେଶଲ ପ୍ରୋଜେକ୍ଟ ମ୍ୟାନେଜର ଅମୀୟ ବଂଶାଲାଙ୍କ ସହ ଯୋଗଯୋଗ କରିବାରୁ ସେ କହିଲେ ଯେ ପୋଲ ମରାମତି ପାଇଁ ବ୍ୟୟ ଅଟକଳ ପ୍ରସ୍ତୁତି ହୋଇ ଉଚ୍ଚ କତ୍ତୃପକ୍ଷଙ୍କୁ ପଠାଯାଇଛି । ଅନୁମୋଦନ ମିଳିବା ପରେ ମରାମତି କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *