ଜିଲ୍ଲା ପରିକ୍ରମା

ବିପଦସଙ୍କୁଳ ପୋଲକୁ ରାସ୍ତା ଛାତ୍ରଛାତ୍ରୀଙ୍କ ବିପଦପୂର୍ଣ୍ଣ ପାଲଟିଛି 

ଯାଜପୁର -୧୧/୬(ଓଡିଆ ପୁଅ/ଏ.ରାଉତ) ରାଜ୍ୟ ସରକାର ଗମନାଗମନ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଯେଉଁ ଅଞ୍ଚଳକୁ ଭଲ ରାସ୍ତା ଖଣ୍ଡେ ନଥିଲା ସେ ଅଞ୍ଚଳକୁ ପିଚୁ ଓ କଂକ୍ରିଟ୍ ରାସ୍ତା ହୋଇଛି। କିନ୍ତୁ ୨୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ବରୁଆଁ ଛକଠାରୁ ମାତ୍ର ଅନତିଦୂରରେ ଥିବା ଏକ ବିପଦସଙ୍କୁଳ ପୋଲ ଓ ଦୂରାବସ୍ଥା ରାସ୍ତା ଦେଇ ଛାତ୍ରଛାତ୍ରୀମାନେ କୁସୁନପୁର ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଉଥିବା ଦେଖିବାକୁ ମିଳିଛି। ଦୁଧେଇ ନାଳ ଉପରେ ଥିବା ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ପୋଲର ବାଡ଼ା ମଧ୍ୟ ନାହିଁ। ଦୁଧେଇ ନାଳରେ ବନ୍ୟାଜଳ ପ୍ରବାହିତ ହେଲେ ପୋଲଟି ସମ୍ପୂର୍ଣ୍ଣ ବୁଡ଼ିଯାଇଥାଏ। ଯାହାଫଳରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଇପାରିନଥାନ୍ତି। ସେହିପରି ମାଟି ରାସ୍ତା ହୋଇଥିବାରୁ ଏହି ରାସ୍ତଦେଇ ଯିବା ସମ୍ଭବ ହୋଇନଥିବାବେଳେ ଦୁଧେଇ ନାଳରେ ବନ୍ୟାଜଳ ଆସିଲେ ରାସ୍ତା ମଧ୍ୟ ବୁଡ଼ିଯାଏ। ବନ୍ୟା ଓ ବର୍ଷାଦିନେ ଅଧିକାଂଶ ଦିନ ବିଦ୍ୟାଳୟ ବନ୍ଦ କହିଲେ ଚଳେ। ଏପରିକି ଛାତ୍ରଛାତ୍ରୀମାନେ ଦୀର୍ଘ ରାସ୍ତା ବୁଲି ମହେଶ୍ୱରପୁର ପଞ୍ଚାୟତ ଦେଇ ଉକ୍ତ ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଥାଏ। ଏହି ଘଟଣା ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ବର୍ଷା ଓ ବନ୍ୟା ସମୟରେ ଛୋଟ ଛୋଟ ପିଲାମାନେ ଅଧିକାଂଶ ସମୟରେ ଅସାବଧାନତା ଯୋଗୁ ପୋଲରୁ ଖସିପଡ଼ୁଥିବା ନଜିର ରହିଛି। ଖାଲି ପୋଲ ନୁହେଁ ରାସ୍ତାରେ ମଧ୍ୟ ପିଲାମାନେ ପଡ଼ିଯାଉଥିବା ଦେଖିବାକୁ ମିଳିଛି। ଖାଲି ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ନୁହନ୍ତି ପୋଲ ଆରପାରିଲେ ବସବାସ କରୁଥିବା ଲୋକମାନେ ନାହିଁନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ସେମାନେ ବରୁଆଁ ପଞ୍ଚାୟତର ଅଧିବାସୀ ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ ଭଲ ରାସ୍ତାଟିଏ ନାହିଁ ବୋଲି କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ଷା ଓ ବନ୍ୟା ସମୟରେ ସେମାନେ ବରୁଆଁ ଛକକୁ ଯାଇନପାରି ଜଳବନ୍ଦୀ ଜୀବନ ବିତାଉଥିବା ଶୁଣିବାକୁ ମିଳିଛି। ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଭଲ ରାସ୍ତାଟିଏ ନଥିବା ଦେଖିବାକୁ ମିଳିଛି। ଲୋକମାନଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟକରି ରାସ୍ତା ନିର୍ମାଣ କରାଯାଇଥିବାବେଳେ ଏ କ୍ଷେତ୍ରରେ କିନ୍ତୁ ସମସ୍ତେ ନୀରବଦ୍ରଷ୍ଟା ଦେଖିବାକୁ ମିଳିଛି। ସେହିପରି ଏହି ବିଦ୍ୟାଳୟର ଅନତି ଦୂରରେ ମା’ ତାରାଦେବୀଙ୍କ ପୀଠ ଅଟେ। ବିଭିନ୍ନ ମାନସିକ ନେଇ ପ୍ରତିଦିନ ଲୋକମାନେ ଏଠାକୁ ଧାଇଁ ଆସିଥାନ୍ତି। ବିଭିନ୍ନ ପର୍ବପର୍ବାଣୀ ସମୟରେ ମା’ଙ୍କ ପୀଠରେ ଭକ୍ତଙ୍କ ଜନସମାଗମ ଲାଗିରହିଥାଏ। ସେହିପରି ପୀଠ ପରିସରରେ ଏକ ମଣ୍ଡପ ନିର୍ମାଣ କରାଯିବା ସହ ପୀଠର ଉନ୍ନତିକରଣ କରାଯାଇଛି। ହେଲେ ପୀଠକୁ ଯିବାପାଇଁ ବରୁଆଁ ଛକରୁ ଭଲ ଖଣ୍ଡେ ରାସ୍ତା ନଥିବା ଦେଖିବାକୁ ମିଳିଛି। ଭଲ ରାସ୍ତାଟିଏ ନଥିବାରୁ ମା’ ତାରାଦେବୀ ପୀଠକୁ ଆସୁଥିବା ଭକ୍ତମାନେ ନାହିଁନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଏପରିକି ଖରାଦିନେ ମଧ୍ୟ ପୀଠକୁ ଯିବା ନିମନ୍ତେ ଏହି ବିପଦସଙ୍କୁଳ ପୋଲଦେଇ ଭକ୍ତମାନେ ଯାତାୟାତ କରିଥାନ୍ତି। କୁସୁନପୁର ଆମ୍ବତୋଟା ଦେଇ ଯାଇଥିବା ରାସ୍ତାଟି ସ୍ଥାନୀୟ କିଛି ଲୋକଙ୍କ ବ୍ୟକ୍ତିଗତ ମାଲିକାନାରେ ରହିଛି। ତେଣୁ ରାସ୍ତା ନିର୍ମାଣ କରାଯାଇ ପାରୁନାହିଁ ବୋଲି ଶୁଣିବାକୁ ମିଳିଛି। ସେହିପରି ଦୁଧେଇ ନାଳ ପାର୍ଶ୍ୱ ଦେଇ ବରୁଆଁ ଛକକୁ ଏକ ରାସ୍ତା ସଂଯୋଗ କରାଯିବ ବୋଲି ଶୁଣିବାକୁ ମିଳିଛି। ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅର୍ଥ ବ୍ୟୟବରାଦ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ହେଲେ ଅଦ୍ୟାବଧି କିଛି ହୋଇନଥିବା ଦେଖିବାକୁ ମିଳିଛି। ଆଗକୁ ବର୍ଷାଦିନ ହୋଇଥିବାରୁ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଗ୍ରାମବାସୀ ନାହିଁନଥିବା ହଇରାଣ ହେବେ ବୋଲି ଗ୍ରାମବାସୀ କହୁଥିବା ଶୁଣିବାକୁ ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top