ବିପଦସଙ୍କୁଳ ଘରେ ଚାଲିଛି ପଧାନପଡା ପଞ୍ଚାୟତ ଅଫିସ କାନ୍ଥରେ ଫାଟ, ଖସୁଛି ଘରର ଛାତ, ରାଜୀବ ସଦନ ଅଧପନ୍ତରିଆ

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ବନ୍ତ ବ୍ଲକର ପୁରାତନ ଗ୍ରାମ ପଞ୍ଚାୟତ ପଧାନପଡା ବନ୍ତ ବ୍ଲକ ସଦର ମହକୁମାରୁ ମାତ୍ର ୨କିମି ଦୂରରେ ଏହା ଅବସ୍ଥିତ।୧୯୬୭ ମସିହାରେ ପ୍ରତିଷ୍ଠିତ ଏହି ପଞ୍ଚାୟତର ୫୨ବର୍ଷ ପୂରିବାକୁ ବସିଛି। ମାତ୍ର ଅଦ୍ୟାବଧି ଭିତ୍ତିଭୂମି ସୁଦୃଢ ହୋଇପାରିନି। ଏହି ପଞ୍ଚାୟତ ନାମରେ ମାତ୍ର ୬୨ ଡିସିମିଲ ଜମି ଥିବାବେଳେ ସେଥିରୁ ୫୬ ଡିସିମିଲ ଜମି ର କିସମ ଜଳାଶୟ ଥିବାରୁ ସେଥିରେ ପୋଖରୀ ଖୋଳା ଯାଇଛି। ବାକି ମାତ୍ର ୬ ଡିସିମିଲ ଜମିରେ ପଞ୍ଚାୟତ କାର୍ଯ୍ୟାଳୟ ଓ ଗୋଦାମ ଗୃହ ନିର୍ମିତ ହୋଇଛି। ବହୁ ପୁରାତନ ଏହି ପଞ୍ଚାୟତ ଗୃହର କାନ୍ଥ, ଖୁଣ୍ଟଗୁଡିକ ଫାଟିଯିବା ସହ ଛାତରୁ ଢଳାଇ ଖସିବା ଫଳରେ ବର୍ଷା ଦିନେ ଛାତରୁ ପାଣି ବୋହୁଛି। ଗୋଦାମ ଗୃହର ମଧ୍ୟ ସେହି ଏକା ଅବସ୍ଥା। ଏହି ପଞ୍ଚାୟତରେ ପାଚେରୀ ନଥିବାରୁ ବୁଲା ଗୋରୁଙ୍କ ଚରାଭୂଇଁ ପାଲଟିଛି। କିଛି ବର୍ଷ ପୂର୍ବେ ବନ୍ତ ବ୍ଲକର ୨୨ଟି ପଞ୍ଚାୟତ ଅଫିସରେ ପଞ୍ଚାୟତିରାଜ ବିଭାଗ ତରଫରୁ ପ୍ରତ୍ୟେକ ପଞ୍ଚାୟତରେ ରାଜୀବ ଗାନ୍ଧୀ ସେବାକେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଠାରେ ରାଜୀବ ସଦନ ଗୃହ ଅଧପନ୍ତରିଆ ଭାବେ ପଡିରହିଛି। ପଞ୍ଚାୟତ ଗୃହ ଅଭାବ ସାଙ୍ଗକୁ ଭିତ୍ତିଭୂମି ଅଭାବରୁ ଏହି ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟରେ ନାନା ସମସ୍ୟା ଦେଖାଯାଉଛି। ଏହିସବୁ ସମସ୍ୟା ନେଇ ବର୍ତ୍ତମାନର ସରପଞ୍ଚ ମୁସ୍ତାକ ଅଲ୍ଲୀ ଖାଁ ସୋମବାର ବନ୍ତ ବ୍ଲକ ପରିସରରେ ଅନୁଷ୍ଠିତ ଜନଶୁଣାଣିରେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *